• ସାପ୍ତାହିକ ସଟ୍ ଡାଉନ୍ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ବନ୍ଦ ରହିବ • ସକାଳ ୬ଘ.ରୁ ଦିନ ୧୨ଘ. ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ହେବ, ପଞ୍ଚସୂତ୍ରୀ ନିୟମ ଅବମାନନା କଲେ ଦୋକାନ ବନ୍ଦ ହେବ

0
119

ଛତ୍ରପୁର,୦୩/୦୫/୨୦୨୧: ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଗାଇଡ୍ ଲାଇନ୍ ର କଡାକଡି ପାଳନ କରାଯିବ । ବୁଧବାର ଦିନ ସକାଳ ୫ଘ. ରୁ ଆରମ୍ଭ କରାଯାଇଥିବା ଲକ୍ ଡାଉନ୍ ମେ ୧୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏ ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଆଲୋଚନା ହୋଇଯାଇଛି । ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଜଣାଇଥିଲେଯେ, ଲକ୍ ଡାଉନ୍ ସମୟରେ ଜନ ସାଧାରଣ ଅତି ଜରୁରୀ ନହେଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଯେଉଁ ମାନେ ବାହାରକୁ ଜରୁରୀ କାର୍ଯ୍ୟରେ ଯାଉଛନ୍ତି ତେବେ ସେସମ୍ପର୍କରେ କାରଣ ଦର୍ଶାଇବେ ତେବେ ତାଙ୍କୁ ପ୍ରଶାସନ ପକ୍ଷରୁ ଅଟକାଯିବ ନାହିଁ । ବସ୍ ଚଳାଚଳ ଠାରୁ ଆରମ୍ଭ କରି ସବୁ ଯାତାୟତ ବାରଣ କରାଯାଇଛି । ଦୁଇଚକିଆ .ଯାନରେ କେବଳ ଜଣେ ବ୍ୟକ୍ତିଙ୍କୁ ଅନୁମତି ଦିଆଯାଇଛି । ଲକ୍ ଡାଉନ୍ ସମୟରେ ଟିକାକରଣ ଏବଂ କୋଭିଡ୍ ଟେଷ୍ଟ କାର୍ଯ୍ୟ ବନ୍ଦ ହେବ ନାହିଁ । ଜନ ସାଧାରଣଙ୍କୁ ଅନୁରୋଧ ଗହଳି କରନ୍ତୁ ନାହିଁ କି ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ଗତକାଲି ସମରଝୋଳ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଗ୍ରାମରେ କେହି ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କଲେ ନାହିଁ । ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀ, ଜି.ଆର୍. ଏସ୍. ଏବଂ ଅତିରିକ୍ତ ତହସିଲଦାର ଉପସ୍ଥିତ ରହି ଉକ୍ତ ବ୍ୟକ୍ତିଙ୍କ ଶବ ଅନ୍ତ୍ୟେଷ୍ଟିକ୍ରିୟା କରିଥିଲେ, ଯାହାକୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟ ଯୋଗୁଁ ସମସ୍ତଙ୍କୁ ସାଧୁବାଦ ଅର୍ପଣ କରିଥିଲେ ଏବଂ ଏହିପରି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରିତ କରୁ ବୋଲି ଜଣାଇଥିଲେ । ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସମସ୍ତ ବନ୍ଦ ରହିବ । ପ୍ରତ୍ୟେକ ଦିନ ସକାଳ ୬ଘ.ରୁ ମଧ୍ୟାହ୍ନ ୧୨ଘ. ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ, ତେଜରାତି, ମାଛ, ମାଂସ, ପନିପରିବା ଦୋକାନ ଖୋଲା ହେବ । ତାହା ମଧ୍ୟ ପଞ୍ଚସୂତ୍ର ନିୟମକୁ ପାଳନ କରି । ପଞ୍ଚସୂତ୍ର ନିୟମ ଅବମାନନା କରୁଥିବା ଦୋକାନ ବନ୍ଦ କରିଦିଆଯିବ । ସାପ୍ତାହିକ ହାଟ ସମ୍ପୂର୍ଣ୍ଣ ବାରଣ । ସାପ୍ତାହିକ ସଟ୍ ଡାଉନ୍ ପୂରାପୂରି କଡାକଡି ପାଳନ ହେବ । ଶନିବାର ରବିବାର କେବଳ ମେଡିକାଲ୍ ବ୍ୟତୀତ ସବୁ ସମ୍ପୂର୍ଣ୍ଣ ବନ୍ଦ ରହିବ । ଦୋକାନ ବଜାର ବନ୍ଦ କରି ଠେଲାଗାଡିରେ ବିକ୍ରିବଟାକୁ, ଅନ୍ ଲାଇନ୍ କାରବାରକୁ ପ୍ରୋତ୍ସାହନ କରିବା ଦିଗରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ଜଣାଇଥିଲେ । ଲୋକେ ଯଦି ନିଜ ଘରସାମ୍ନାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇପାରିବେ ତେବେ ସେମାନେ ବାହାରକୁ ଯିବେ ନାହିଁ । ଖବରକାଗଜ ପ୍ରତ୍ୟେକ ଦିନ ସକାଳ ୫ଘ.ରୁ ୮ଘ. ମଧ୍ୟରେ ବିକ୍ରୀ ଓ ଲୋକଙ୍କ ଘରେ ପହଞ୍ଚାଇବା ସକାଶେ ଅନୁମତି ଦିଆଯାଇଛି । ଉନ୍ନୟନକାର୍ଯ୍ୟ, କୋଠା ନିର୍ମାଣ କାର୍ଯ୍ୟ, କୃଷି କାର୍ଯ୍ୟ, ସ୍ବୟଂ ସହାୟକ ଗୋଷ୍ଠୀଙ୍କ କାମ ବନ୍ଦ ହେବ ନାହିଁ । ଖେଳ ପଡିଆରେ ଖେଳିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗ୍ରାମରେ ଗହଳି କରି ତାସ୍ ଖେଳୁଥିବା ନଜରକୁ ଆସୁଛି । ଏଭଳି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପନିପରିବା ଓ ମାଛ ବିକାଳି ଗଣ ଠିକ୍ ରୂପେ ମାସ୍କ ପରିଧାନ ନକରି ଏବଂ ପାଖାପାଖି ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି । ସେମାନେ ଗୋଟିଏ ଦୋକାନ ଆଉ ଗୋଟିଏ ଦୋକାନ ମଧ୍ୟରେ ପାଞ୍ଚ ଫୁଟ ଦୂରତାରେ ବସନ୍ତୁ । ବିକେନ୍ଦ୍ରୀକରଣ କରି ସେମାନେ ବ୍ୟବସାୟ କରିବାକୁ କୁହାଯାଇଛି । ଯଦି ସେମାନେ ନିୟମର ଅନୁପାଳନ କରନ୍ତି ନାହିଁ ତେବେ ତାଙ୍କ ଦୋକାନ ବନ୍ଦ କରିଦିଆଯିବ ।
ସଂକ୍ରମିତ ବ୍ୟକ୍ତିଙ୍କୁ ସି.ଏଚ୍.ସି. ଓ ପି.ଏଚ୍.ସି. ରେ ରଖାଯିବ । ରୋଗୀଙ୍କୁ କୋଉଠିକୁ ସ୍ଥାନାନ୍ତର କରି ଚିକିତ୍ସା କରାଯିବ ତାହା ଡାକ୍ତରମାନେ ପରାମର୍ଶ କରି ଚିକିତ୍ସା କରିବାକୁ କୁହାଯାଇଛି ।
ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ , ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚ୍ଚିବ ସମ୍ବିତ ରାଉତ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଂକର ମିଶ୍ର, ଏମ୍.କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here