ସାଧାରଣ ଲୋକଙ୍କୁ ତଣ୍ଡ , ଶାସକଦଳ ନେତାଙ୍କୁ ମାଫ, ମୁଖିଆଙ୍କ ନିର୍ଦେଶକୁ ହେୟଜ୍ଞାନ,ହେବକି କାର୍ଯ୍ୟାନୁଷ୍ଠାନ

0
214

ବ୍ରହ୍ମପୁର,୧୫/୦୬/୨୦୨୧: କରୋନା କୁ ପ୍ରତିହତ କରିବା ଲାଗି ରାଜ୍ୟରେ ଲକ ଡାଉନ ଜାରି କରିଛନ୍ତି। ଆସନ୍ତା ୧୭ ତାରିଖ ଯାଏଁ ସାରା ରାଜ୍ୟ ଲକ ଡାଉନ ରେ ରହିବ। ଏଥିସହ ଦୁଇ ଦିନିଆ ସଟ ଡାଉନ ମଧ୍ୟ ଜାରି ରହିଛି। ଲୋକଙ୍କୁ ଅଦୃଶ୍ୟ ଭାଇରସ ଦାଉରୁ ରକ୍ଷା କରିବା ଲାଗି ସରକାର ଏଭଳି ନିଷ୍ପତି ନେଇଛନ୍ତି। ଯାହା ଫଳରେ ଲୋକେ ଏବେ ଦୀର୍ଘ ଦିନ ଧରି ଘରେ ରହି ନିଜକୁ ସୁରକ୍ଷିତ ମନେ କରୁଛନ୍ତି। କରୋନା ସଂକ୍ରମଣ ରୁ ବର୍ତ୍ତିବା ପାଇଁ ଏସଏମଏସ ଅର୍ଥାତ ମାସ୍କ , ସାମାଜିକ ଦୂରତା ଓ ସାନିଟାଇଜର କୁ ଗୁରୁତ୍ୱ ଦିଆଯାଉଛି।
କିନ୍ତୁ ପରିତାପର ବିଷୟ ଯେଉଁଠି ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଘରେ ରହି ଲୋକଙ୍କୁ ସଚେତନତାର ବାର୍ତା ବାଣ୍ଟୁଛନ୍ତି। ସେଠି ଖୋଦ ଶାସକ ଦଳ ନେତା କୋଭିଡ କଟକଣାକୁ ହେୟଜ୍ଞାନ କଲା ଭଳି ଚିତ୍ର ସାମ୍ନାକୁ ଆସୁଛି। ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ସତ କିନ୍ତୁ କୋଭିଡ ପାଇଁ ସାମାଜିକ ଦୂରତା କଥା ଯେ ଅଛି ତାହା ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଛନ୍ତି।
କୋଭିଡ ରେ ଯେଉଁଭଳି କେହି ମଧ୍ୟ ଭୋକିଲା ନରହିବେ ସେନେଇ ମୁଖ୍ୟମନ୍ତ୍ରୀ ଅନେକ କିଛି ନିଷ୍ପତି ନେଇଛନ୍ତି। ଖାଦ୍ୟ ବଣ୍ଟନ କୁ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଖାଦ୍ୟ ବଣ୍ଟନ ମଧ୍ୟ ଜାରି ରହିଛି। ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ ଜଣେ ଶାସକ ଦଳ ନେତା କୋଭିଡ଼ କଟକଣା ଭୁଲି କାର୍ଯ୍ୟକ୍ରମ କରିବା କେତେଦୂର ଠିକ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଗଣମାଧ୍ୟମ ରେ ନିଜେ କୋଭିଡ ସଚେତନତାର ବାର୍ତା ବାଣ୍ଟି ନିଜେ ଏହାର ଉଲ୍ଲଂଘନ କରିଛନ୍ତି କରିଛି ଖୋଦ ବିଜୁ ଜନତା ଦଳ ନେତା ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। ଆଜି ବ୍ରହ୍ମପୁର ଏମକେସିଜି ପରିସରରେ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଓଡିଶା ମୋ ପରିବାର ପକ୍ଷରୁ ଉଦ୍ୟମ କରାଯାଇଥିଲା। ଯାହା ସ୍ୱାଗତଯୋଗ୍ୟ। କିନ୍ତୁ ଶହ ଶହ ଲୋକଙ୍କୁ ଏକାଠି କରି ବିଧାୟକ ଓ ତାଙ୍କ ଦଳର ସହଯୋଗୀ ମାନେ ଖାଦ୍ୟ ବଣ୍ଟନ କରିବା କେତେ ଠିକ ତାହା ଏବେ ବଡ଼ ପ୍ରଶ୍ନ। ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। କହିବାକୁ ଗଲେ କୋଭିଡ ସଂକ୍ରମଣ କୁ ଡାକି ଆଣିବା ସହ ସମାନ। ସାମାଜିକ ଦୂରତାର ଚିତ୍ର ମଧ୍ୟ ଦେଖିବାକୁ ମିଳିନଥିଲା। ଖୋଦ ବିଧାୟକ ନିଜେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଥିଲେ।
ଏମକେସିଜି ଭଳି ଦକ୍ଷିଣ ଓଡ଼ିଶାର ଏକ ମୁଖ୍ୟ ହସ୍ପିଟାଲ ରେ ଏବେ ରୋଗୀ ମାଳ ମାଳ। କୋଭିଡ କେୟାର ସେଣ୍ଟର ମଧ୍ୟ ଖୋଲାଯାଇଛି। ସେହିପରି ସ୍ଥାନରେ ବିଜୁ ଜନତା ଦଳର ନେତା ଓ କର୍ମୀ ଏଭଳି କାର୍ଯ୍ୟକ୍ରମ କରିବା ପରିତାପର ବିଷୟ। ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହାର କମିବାକୁ ଲାଗିଥିବା ବେଳେ ଶାସକ ଦଳ ନେତା ଓ କର୍ମୀ ଏବେ ସଂକ୍ରମଣକୁ ବୃଦ୍ଧି କରିବାକୁ ଲାଗିଛନ୍ତି ବୋଲି ଅନେକ ବୁଦ୍ଧିଜୀବୀ ମଧ୍ୟ ଚର୍ଚା କଲେଣି।
ଜନସାଧାରଣ ନିୟମ ଖିଲାପ କଲେ ପ୍ରଶାସନ ଓ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ। ଜରିମାନା ମଧ୍ୟ ଆଦାୟ କରାଯାଇ ନିରୀହଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି। ଲୋକେ ଲକ ଡାଉନ ରେ ଜୀବିକା ହରାଇ ହନ୍ତସନ୍ତ ହେଲେଣି। କିନ୍ତୁ ଏଭଳି ପରିସ୍ଥିତିରେ ଶାସକ ଦଳ ନେତା ତଥା ବିଧାୟକ ବିକ୍ରମ ପଣ୍ଡା ଓ ବିଜୁ ଜନତା ଦଳ ର କର୍ମୀ କୋଭିଡ କଟକଣା ଭଙ୍ଗ କରି ଏଭଳି କାର୍ଯ୍ୟକ୍ରମ କରିବାକୁ ସବୁଠି ନିନ୍ଦା କରାଯାଉଛି। ଅନେକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି ଯେ ବିଜେଡି ର ଏହି କାର୍ଯ୍ୟକ୍ରମ ପ୍ରଶାସନର ଦୃଷ୍ଟି କୁ କିଭଳି ଯାଉନି। ନା ସବୁ ଜାଣି ପୋଲିସ ଓ ପ୍ରଶାସନିକ ଅଧିକାରୀ ଚୁପ ବସିଛନ୍ତି? । ଯେଉଁଠି ଖୋଦ ଦଳର ମୁଖିଆ କୋଭିଡ ନିୟମ ମାନୁଛନ୍ତି ସେଠି ତାଙ୍କ ଦଳର ବିଧାୟକ କିଭଳି ନିୟମ କୁ ଖାତିର କରୁନାହାନ୍ତି??। ଅର୍ଥାତ ମୁଖିଆଙ୍କ ନିର୍ଦେଶ କୁ ସମ୍ପୂର୍ଣ୍ଣ ବେଖାତିର କହିଲେ ଚଳେ?। କଥାରେ ଅଛି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ସେ ଯାହା ବି ହେଉନା କାହିଁକି କିନ୍ତୁ କରୋନା ଗାଇଡ଼ଲାଇନ ସମସ୍ତଙ୍କ ପାଇଁ ଯେ ସମାନ ଏକଥା ଆମକୁ ମାନିବାକୁ ପଡିବ।

ରିପୋର୍ଟ: ହିମାଂଶୁ ଶେଖର ସାବତ

LEAVE A REPLY

Please enter your comment!
Please enter your name here