ନବନିଯୁକ୍ତ ବ୍ଲକ , ଏନ୍ ଏ ସି ଓ ପୌରପାଳିକା ସଭାପତିଙ୍କୁ ସମ୍ବର୍ଦ୍ଧିତ କରି ଦଳୀୟ ସଂଗଠନକୁ ଦୃଢ଼ କରିବାର କର୍ଣ୍ଣମନ୍ତ୍ର ଦେଲେ ଜିଲ୍ଲା କଂଗ୍ରେସ ସଭାପତି ବିଧାୟକ ରମେଶ ଜେନା ।

0
290

ବ୍ରହ୍ମପୁର, ୨୯/୦୬/୨୦୨୧:ଜିଲ୍ଲା କଂଗ୍ରେସ ସଭାପତି ଭାବେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଦୟିତ୍ୱ ଗ୍ରହଣ ପରଠାରୁ କର୍ମୀ ଓ କର୍ମକର୍ତ୍ତାଙ୍କ ଠାରେ ଥିବା ଦଳୀୟ ଉତ୍ସାହ ଇତି ମଧ୍ୟରେ ବୃଦ୍ଧି ପାଇଥିବା ଲକ୍ଷ କରାଯାଇଅଛି । ବିପକ୍ଷ ଶାସକ ରଣସଜାକୁ ତାଳଦେଇ ସୁପ୍ତ ସଂଗଠନକୁ କ୍ରିୟାଶୀଳ କରାଇବା ସହିତ ସାଂଗଠନିକ ପୁନଃବିନ୍ୟାସକୁ ଗୁରୁତ୍ଵ ଦେଇ ସମ୍ପ୍ରତି ଜିଲ୍ଲା କଂଗ୍ରେସ କାର୍ଯ୍ୟ କରୁଥିବାରୁ ଏହାର ସୁଦୂର ପ୍ରଭାବକୁ ନେଇ ଜିଲ୍ଲାବାସୀ ଆଶାବାଦୀ ରହିଥିବା ଜଣାଯାଇଛି । ଏକଦା କଂଗ୍ରେସର ଅଭେଦ୍ୟ ଗଡ ଥିବା ଗଞ୍ଜାମ ଜିଲ୍ଲାର ସାଂପ୍ରତିକ ଦଳୀୟ ସ୍ଥିତିକୁ ନେଇ ଛାମୁଆଁ କର୍ମୀଙ୍କ ମନୋବଳ ବୃଦ୍ଧି ହୋଇଥିବା ବେଳେ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଗୋଟି ଚାଳନା କର୍ମୀ ଓ କର୍ମକର୍ତ୍ତାଙ୍କୁ ବଶୀଭୂତ କରୁଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି ଅସଂଗଠିତ ଥିବା ଜିଲ୍ଲା କଂଗ୍ରେସର ପୁନର୍ଗଠନ ପାଇଁ ଶ୍ରୀ ଜେନା ଜିଲ୍ଲାର ଦୁଇ ଲୋକସଭା ଆସନ ଅଞ୍ଚଳ ବ୍ଲକ , ଏନ୍ ଏ ସି , ପୌର ପରିଷଦ ଏବଂ ବ୍ରହ୍ମପୁର ପୌର ପରିଷଦର କଂଗ୍ରେସ ସଭାପତି ଚୟନ କରି ଦଳୀୟ ସଂଗଠକଙ୍କୁ ମଜବୁତ କରିବାର ଚେଷ୍ଟା ଜାରି ରଖିଛନ୍ତି ।
ଏହି ଅବସରରେ ଆଜି ସମସ୍ତ ନବନିଯୁକ୍ତ ସଭାପତିଙ୍କୁ ଜିଲ୍ଲା କଂଗ୍ରେସ ସଂଗଠନ ମୁଖ୍ୟ ଭାବରେ ହାଇ କମାଣ୍ଡଙ୍କ ନିଷ୍ପତି କ୍ରମେ ନିଜ ଫାର୍ମ ହାଉସ କୁକୁଡ଼ାଖଣ୍ଡି ନିକଟ ବଉଳଝୋଳି ଠାରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମିଳିତ କରାଇ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାନୀୟ ନେତୃତ୍ଵଙ୍କ ହୀନମନ୍ୟତା ସହିତ ଲାଭଖୋର ନିକମା ଚିନ୍ତାଧାରାକୁ ଲୋକଲୋଚନକୁ ଆଣି ସାଧାରଣ ଜନତାଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣରେ କଂଗ୍ରେସର ଚିନ୍ତାଧାରାକୁ ଫଳବତୀ କରାଇବାକୁ ଆହ୍ଵାନ ଦେଇଛନ୍ତି । ନିଜ ଅଞ୍ଚଳର ତୃଣମୂଳ କର୍ମୀଙ୍କ ସହ ଯୋଗସୂତ୍ର ରଖି କାର୍ଯ୍ୟକଲେ ତା ‘ ର ପ୍ରଭାବ ଆସନ୍ତା ନିର୍ବାଚନକୁ ପ୍ରଭାବିତ କରିବାର ଯଥେଷ୍ଟ ସୁଯୋଗ ଥିବାରୁ ନିଶ୍ଚିତ ବିଜୟ ପାଇଁ ଜନସଂପର୍କ ରଖିବାକୁ ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ଉଦବୋଧିତ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବନିଯୁକ୍ତ ସଭାପତି ସୁଶାନ୍ତ ରାଉତ , ସରୋଜ ସାହୁ , ଶିବରାମ ପ୍ରଧାନ , ଗଗନ ପଟ୍ଟନାୟକ , ଭବାନୀ ପ୍ରସାଦ ଜେନା , ନରସିଂହ ସାହୁ , ଦୁର୍ଗାମାଧବ ପଣ୍ଡା , ପ୍ରଶାନ୍ତ ଆଚାରି , କୁନା ବିଷୋୟୀ , ସୁନାରାମ ସାବତ , ପ୍ରଦୀପ ମହାରଣା , ମନୋରଞ୍ଜନ ଦାସ , ସୁନିଲ ଚୌଧୁରୀ , ଏସ ବାବୁଲା ଦୋରା , ଶିବରାମ ପ୍ରଧାନ , ହରେକୃଷ୍ଣ ରଥ , ବସନ୍ତ ଗୌଡ , ମେଘନାଦ ଦଳାଇ , ଶରତ ଦାସ , ଶଙ୍କର୍ଷଣ ବେହେରା ପ୍ରମୁଖ ନୂତନ ପ୍ରଭାରୀ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ସହ ନିଜନିଜ ଅଞ୍ଚଳର ସମସ୍ୟା ସହ ପ୍ରଶାସନିକ ଦୂରାବସ୍ଥା ଓ ଦଳୀୟ ଭିତ୍ତିଭୂମିକୁ ନେଇ ଆଲୋଚନା ଓ ତର୍ଜମା କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here