ନିର୍ମାଣ ଶ୍ରମିକଙ୍କ ୧୬ଟି ସମସ୍ୟା ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଆଲୋଚନା

0
224

ବ୍ରହ୍ମପୁର,୦୪/୦୮/୨୦୨୧: ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ବାବୁ ଚରଣ ପାତ୍ରଙ୍କୁ ସାକ୍ଷାତ କରି ନିର୍ମାଣ ଶ୍ରମିକଙ୍କ ୧୬ଟି ସମସ୍ୟା ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିବା ପାଇଁ ଦାବି କରିଛନ୍ତି । ୫ଟି ଅଧିନରେ ଶ୍ରମବିଭାଗ ଆସୁଥିଲେ ମଧ୍ୟ ଶ୍ରମବିଭାଗରେ ସ୍ବଛତା ରହୁ ନଥିବାରୁ ବହୁ ସମସ୍ୟାର ଶ୍ରମିକ ମାନେ ସମ୍ମୁଖୀନ ହେଉଛନ୍ତି । ନିର୍ମାଣ ଶ୍ରମିକଙ୍କୁ ପୂର୍ବ ବର୍ଷର ଲକଡାଉନ ଜନିତ ସହାୟତା ୧୫୦୦ ଟଙ୍କା ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଏ ବର୍ଷ ଲକଡାଉନ ସହାୟତା ଅନଲାଇନରେ ଟ୍ରାନସଫର ହେବା ବୋଲି ଘୋଷଣା ହୋଇଥିଲା ଏବଂ ୧୫ ଜୁଲାଇ ରେ ୩୮୫କୋଟି ଟଙ୍କା ଟ୍ରାନସଫର ହେଲା ବୋଲି ମୂଖ୍ୟମନ୍ତ୍ରୀ ଘୋଷଣା କଲେ କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରମ କମିଶନର ଟୁଇଟ କଲେ ଯେ ୧୦ଲକ୍ଷ ୮୧ ହଜାର ୪୦୧ ଶ୍ରମିକଙ୍କୁ ୧୬୨ କୋଟି ୨୪ ଲକ୍ଷ ଟଙ୍କା ଟ୍ରାନସଫର ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନେ ବ୍ୟାଙ୍କ, ଅଫିସ ଦୌଡି ଦୌଡି ଖର୍ଚ୍ଚାନ୍ତ ହେଉଛନ୍ତି କିନ୍ତୁ ନିଜ ଆକାଉଣ୍ଟ ରେ ୧୫୦୦ ଟଙ୍କା ଜମା ହୋଇନଥିବା ଯୋଗୁଁ ବ୍ୟସ୍ତ ବିବ୍ରତ ହେଉଛନ୍ତି । ଏ ସମସ୍ୟା ସମ୍ପର୍କରେ ଆଜି ପ୍ରଶ୍ନ କରିବାରୁ ଗଞ୍ଜାମ ଜିଲ୍ଲାର ୧୬୦୦୭୪ଜଣ ଶ୍ରମିକ ୧୫୦୦ ଟଙ୍କା ପାଇବା ପାଇଁ ଯୋଗ୍ୟ ଅଟନ୍ତି । ସେ ମଧ୍ୟରୁ ମାତ୍ର ୩୬ହଜାର ଶ୍ରମିକ ୧୫୦୦ଟଙ୍କା ପାଇଛନ୍ତି । ଏକ ଲକ୍ଷ ୨୪ହଜାର ଶ୍ରମିକ ପାଇବା ପାଇଁ ଅପେକ୍ଷା କରିଛନ୍ତି ।ସେମାନଙ୍କୁ ଅତି ଶୀଘ୍ର ମିଳିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହୁଥିଲେ ମଧ୍ୟ କଲ୍ୟାଣ ବୋର୍ଡରେ ପାଣ୍ଠିର ଅଭାବ ଯୋଗୁଁ ଏପରି ସମସ୍ୟା ହୋଇଛି ବୋଲି ସୂଚନା ମିଳୁଛି । ଅନ୍ୟ ପକ୍ଷରେ ବିବାହ ସହାୟତା ୭୪୭, ମୃତ୍ୟୁ କାଳୀନ ସହାୟତା ୯୫, ଶିକ୍ଷା ସହାୟତା ପାଇଁ ୬୮୧ ଜଣ ଶ୍ରମିକଙ୍କ ମଞ୍ଜୁର ହୋଇଥିଲେ ମଧ୍ୟ ପାଣ୍ଠି ନଥିବାରୁ ମିଳିପାରୁନାହି । ଏହି ଅନୁଦାନ ଆସିଲେ ଶୀଘ୍ର ପ୍ରଦାନ କରାଯିବ ବୋଲି ଡିଏଲଓ ସୂଚନା ପ୍ରଦାନ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ, ଆବାସ ଏବଂ ସହାୟତା ପାଇବା ପାଇଁ ବର୍ଷ ବର୍ଷ ବିଳମ୍ବ ନେଇ ୟୁନିଅନ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ୪୮ ବର୍ଷର ନିର୍ମାଣ ଶ୍ରମିକଙ୍କୁ ୬୨ ବର୍ଷ କରି ଅଧିକାର ରୁ ବଞ୍ଚିତ କରିଥିବା ନିର୍ମାଣ ଶ୍ରମିକ ବାୟା ନାହକଙ୍କ ଆଜି ତୁରନ୍ତ ସମସ୍ୟାର ସମାଧାନ କରାଯାଇଛି । ପୂର୍ବ ବର୍ଷ କରୋନା ସହାୟତା ତଥ୍ୟ ଓ ବଳକା ରାଶି ବ୍ଳକ ରୁ ଫେରାଇ ଆଣି ତୁରନ୍ତ ଶ୍ରମିକଙ୍କୁ ପ୍ରଦାନ କରାଯିବ । ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ପାତ୍ର ୮ଦିନ ମଧ୍ୟରେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ମାଗିଥିବା ୧୬ପଏଣ୍ଟ ର ସମସ୍ତ ତଥ୍ୟ ପ୍ରଦାନ କରାଯିବ ଏବଂ ଗଣମାଧ୍ୟମ କୁ ମଧ୍ୟ ଏହି ସୂଚନା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି ଆଲୋଚନାରେ ୟୁନିଅନ ର ଜିଲ୍ଲା ସଭାପତି ଶଙ୍କର ସାହୁ, ସହ ସମ୍ପାଦିକା ପି. ପାର୍ବତୀ, ବାୟା ନାହକ, ଜଗନ ନାହକ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here