ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

0
389

ବ୍ରହ୍ମପୁର,୧୧/୦୮/୨୦୨୧(ଟୁକୁନା ପ୍ରଧାନ) ଲଘୁ ଖଣିଜ ଦ୍ରବ୍ୟ, ବାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରାଯାଉଥିବା ଟ୍ରାକ୍ଟର ଗୁଡ଼ିକ ଠାରୁ ଅହେତୁକ ଜୋରିମାନା ଆଦାୟ କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛି ଟ୍ରାକ୍ଟର ମାଲିକ ସଂଘ । ଏନେଇ ଆଜି ଏକ ଦାବିପତ୍ର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସହ ଜୋରିମାନା ଶୋଷଣ ବନ୍ଦ କରିବାକୁ ମାଲିକ ସଂଘ ଦାବି କରିଛି ।ସଂଘ ତରଫରୁ କୁହାଯାଇଛି ଯେ, ବିଗତ ୫ ବର୍ଷ ଧରି ଟ୍ରାକ୍ଟର ମାଲିକମାନଙ୍କ ଉପରେ ପ୍ରଶାସନ ଅହେତୁକ ଜୋରିମାନା ଆଦାୟ କରିବା ସହିତ ଜୀବିକା ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛି । ସରଳ ଏବଂ ସମସ୍ୟା ବିହୀନ ମାଲ୍‌ ପରିବହନ କରିବା କଷ୍ଟକର ହୋଇପଡ଼ୁଛି । ଏଣୁ ପାଖାପାଖି ୫ ଶହ ଟ୍ରାକ୍ଟର ମାଲିକ ନିଜ ଜୀବକା ହରାଇବା ସହ ନାନା ଅସୁବିଧା ରେ ବଞ୍ଚୁଛନ୍ତି । ଏମାନଙ୍କ ସହ ଜଡିତ ଥିବା ଶ୍ରମିକ ଏବଂ ଚାଳକ ମାନଙ୍କ ଅବସ୍ଥା କହିଲେ ନ ସରେ । ଏଣୁ ଟ୍ରାକ୍ଟର ଗୁଡିକର ସରଳ ଏବଂ ବ୍ୟବସ୍ଥିତ ପରିବହନ ପାଇଁ ମୋରମ୍ ଏବଂ ପଥର ଖାଦାନକୁ ଲିଜ୍ ସୂତ୍ରରେ ଦିଆଯାଉ । ପ୍ରତ୍ୟେକ ଗାଡିକୁ ୱାଇ ଫର୍ମ କିମ୍ବା ଜିଏସ୍‌ଟି ବିଲ୍‌ରେ କୌଣସି ପ୍ରକାର ତୃଟି କିମ୍ବା ନକଲି ହୋଇଥିଲେ ଗାଡ଼ି ମାଲିକଙ୍କୁ ଦୋଷୀ କରାଯିବା ସହିତ ଜୋରିମାନା ଆଦାୟ କରାଯାଉଛି । ଏହାର ସତ୍ୟାସତ୍ୟ ଉପଯୁକ୍ତ ଭାବେ ଯାଞ୍ଚ ପରେ ହିଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ବ୍ରହ୍ମପୁର ସହରର ପ୍ରାୟ ରାସ୍ତା ଅଣଓସାରିଆ ହୋଇଥିବା ଯୋଗୁ ଟ୍ରକ ଯୋଗେ ପରିବହନ କରିବା ଅସମ୍ଭବ ହୋଇପଡ଼ୁଛି । ଏହା ଫଳରେ ଟ୍ରକ୍‌ରେ ଆସୁଥିବା ବାଲିକୁ ନିର୍ଦ୍ଧିଷ୍ଟ ଜାଗାରେ ରଖିବା ପରେ ତାହାକୁ ଟ୍ରାକ୍ଟର ଯୋଗେ ଯୋଗାଣ କରାଯାଉଛି । କିନ୍ତୁ ଅନେକ ସମୟରେ ବାଲି ପରିବହନ ସମୟରେ ପ୍ରଶାସନର ଚଢ଼ାଉ କରାଯାଉଛି । ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି । ଏସବୁ ବିଷୟକୁ ଧ୍ୟାନ ଦେବା ସହିତ ଟ୍ରାକ୍ଟର ମାଲିକଙ୍କ ଦାବିକୁ ପୂରଣ କରିବାକୁ ସେମାନେ ଦାବି କରିଛନ୍ତି । ନ ହେଲେ ଜୀବନ ଜୀବିକାର ସୁରକ୍ଷା ପାଇଁ ବଡ଼ ଆନ୍ଦୋଳନ ଡାକରା ଦିଆଯିବ ବୋଲି ସଭାପତି ଏଲ୍ ମୋହନ ଦାସ ଚେତାବନୀ ଦେଇଛନ୍ତି । ଏଥିରେ ସଙ୍ଘ ର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here