ଖଲିଙ୍ଗି ଘୋଡ଼ାହାଡ଼ ନଦୀରୁ ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର

0
349

ବ୍ରହ୍ମପୁର ,୦୩/୧୦/୨୦୨୧: ପାଟପୁର ଥାନା ଖଲିଙ୍ଗି – କଇଠବେଡା ନିକଟ ଘୋଡ଼ାହାଡ଼ ନଦୀ ପଠାରୁ ଆଜି ଜଣେ ଅଚିହ୍ନା ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି l ତେବେ ଏହି ଅଚିହ୍ନା ମହିଳାଙ୍କ ମୃତଶବ ନଦୀପଠାରୁ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଅଛି । ମୃତ ଶବ ନଦୀରେ ଭାସିଆସି ଅଟକିଛି କିମ୍ବା କେହି ଦୁର୍ବୃତ୍ତ ମହିଳାଙ୍କୁ ହତ୍ୟା କରି ଘୋଡ଼ାହାଡ଼ ନଦୀରେ ଫୋପାଡିଅଛି ତାହା ଅସ୍ପଷ୍ଟ ରହିଛି । ଶନିବାର ସନ୍ଧ୍ୟାରେ କିଛି ଯୁବକ ଘୋଡାହାଡ ନଦୀକୁ ସନ୍ଧ୍ୟା ନିତ୍ୟକର୍ମ କରିବାକୁ ଯାଇଥିବା ବେଳେ ଘୋଡ଼ାହାଡ଼ ନଦୀ ମଧ୍ୟସ୍ଥ କାସତଣ୍ଡି ବୁଦାରେ ମହିଳାଙ୍କ ଗଳିତ ମୃତଦେହକୁ ଦେଖିଥିଲେ । ଗ୍ରାମରେ ଏହା ପ୍ରଘଟ ପରେ କିଛି ଲୋକ ପାଟପୁର ଥାନାକୁ ଖବର ଦେଇଥିଲେ l ପରନ୍ତୁ ଶବ ଉଦ୍ଧାର ସ୍ଥାନର ଥାନା ଇଲାକାକୁ ନେଇ ସମସ୍ୟା ଦେଖାଯାଇଥିଲା ।ସାନଖେମୁଣ୍ଡି ତହସିଲକୁ ଏଥିନେଇ ଅବଗତ ପରେ ତହସିଲ ପକ୍ଷରୁ ରାଜସ୍ବ ନିରୀକ୍ଷକ ଅମିନ ପ୍ରମୁଖ ସୀମା ଚିହ୍ନଟ କରିଥିଲେ ଏବଂ ଶବ ଉଦ୍ଧାର ସ୍ଥାନ ପାଟପୁର ଥାନା ଇଲାକା ସ୍ପଷ୍ଟ ହୋଇଥିଲା। ଆସିକା ଏସଡ଼ିପିଓ ଉମା ଶଙ୍କର ସିଂ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ , ପାଟପୁର ଥାନା ଏସଆଇ ଟୁନା ପୀଡ଼ିକା ପ୍ରମୁଖ ତଦନ୍ତ କରି ଫେରିଥିବା ବେଳେ ରବିବାର ସ୍ଥାନୀୟ ପୋଲିସ ଓ ଛତ୍ରପୁର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦର ବ୍ୟବସ୍ଥା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ l ଏନେଇ ପାଟପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ବର୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ l ନିକଟସ୍ଥ ଥାନାର ନିଖୋଜ ରିପୋର୍ଟ ଯାଞ୍ଚ କରାଯାଇଥିଲେ ମଧ୍ୟ ମହିଳାଙ୍କ ସହ ସେପରି କୋନସି ସାମଞ୍ଜସ୍ୟ ମିଳିନଥିବା ପୋଲିସ ପକ୍ଷରୁ ପ୍ରକାଶ ପାଇଛି l

LEAVE A REPLY

Please enter your comment!
Please enter your name here