ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚନ ହାତେଇବାର ହୀନ ପ୍ରୟାସ କରୁଛି ଶାସକ ବିଜେଡି : ଭୃଗୁ ବକ୍ସିପାତ୍ର । ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବିଜେପି ପ୍ରାର୍ଥୀଙ୍କୁ ଧମକ ଦେଉଛି ବିଜେଡି

0
281

ଭୁବନେଶ୍ବର,୧୧/୦୩/୨୦୨୨ : ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ସମସ୍ତଙ୍କ ମୌଳିକ ଅଧିକାର ରହିଛି । ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପରିଚାଳନା ଦାୟିତ୍ବ ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରାଥମିକତା । ଶାନ୍ତି ଏବଂ ଆଇନଶୃଙ୍ଖଳା ରକ୍ଷା କରିବା ଦାୟିତ୍ଵ ହେଉଛି ପୋଲିସ ପ୍ରଶାସନର । ଏହା ନହେଲେ ସାଧାରଣରେ ଅରାଜକତା ବୃଦ୍ଧି ପାଇବା ସହିତ ନିର୍ବାଚନ ପରିଚାଳନାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ଵାଭାବିକ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ନିଜସ୍ଵ ଗଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମେତ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ବିଭିନ୍ନ ନଗର ଓ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନରେ ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଗୁଣ୍ଡା ଏବଂ ଅସାମାଜିକ ବ୍ୟକ୍ତିମାନେ ବିଜେପି ପ୍ରାର୍ଥୀ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଭୟଭୀତ କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବାଧ୍ୟ କରୁଛନ୍ତି । ପ୍ରଥମେ ବିଜେପି ପ୍ରାର୍ଥୀଙ୍କୁ ଧମକ ଦେଇ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ବାଧ୍ୟ କରିବା ପରେ ବର୍ତମାନ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀଙ୍କୁ ଧମକଚମକ ଦେଇ ପ୍ରତ୍ୟାହାର ପାଇଁ ବାଧ୍ୟ କରୁଛନ୍ତି । ଏପରିକି ଧମକ ଚମକ କୁ ନେଇ ପୋଲିସ ନିକଟରେ ଅଭିଯୋଗ କଲେ, ସେମାନଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଛନ୍ତି। ଛତ୍ରପୁର ଏନଏସି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦୁଇ ଜଣ ବିଜେପି ମହିଳା ପ୍ରାର୍ଥୀଙ୍କୁ ପୋଲିସ ଅଧିକାରୀଙ୍କ ଜରିଆରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଧମକ ଦିଆଯାଇଛି । ନଚେତ୍ ତାଙ୍କ ସ୍ଵାମୀଙ୍କୁ ସସପେଣ୍ଡ୍ କରିଦେବାର ଧମକ ମଧ୍ୟ ଦିଆଯାଉଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବହୁ ଦିନ ଅବଧୂ ଥିବା କାରଣରୁ ଶାସକ ବିଜେଡି ଗୁଣ୍ଡାଙ୍କ ଜରିଆରେ ଏଭଳି ହୀନ ଓ ଅଗଣତାନ୍ତ୍ରୀକ କାର୍ଯ୍ୟ କରିବାକୁ ସୁଯୋଗରେ ପରିଣତ କରିଛନ୍ତି ଯାହା ଦ୍ଵାରା ବିରୋଧୀ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ରହିବେ ନାହିଁ ଏବଂ ଶାସକ ବିଜେଡି ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚନ ହାତେଇବାର ପ୍ରୟାସ କରୁଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।ଜଣେ ସାଧାରଣ ନାଗରିକ ନିଜ ଇଚ୍ଛାରେ ନିର୍ବାଚନରେ ଅଂଶଗ୍ରହଣ କରିବେ ନା ନାହିଁ ସେ ନିଷ୍ପତି ନେବେ ଆବଶ୍ୟକ ପଡିଲେ ସେ ନିଜ ଇଚ୍ଛାନୁଯାୟୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ । ତାଙ୍କୁ କୌଣସି ପ୍ରକାରରେ ବାଧ୍ୟ କରାଯାଇ ପାରିବ ନାହିଁ । ମାତ୍ର ତାଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଧମକଚମକ ବା ପ୍ରଲୋଭିତ କରାଯାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାକୁ ବାଧ୍ୟ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅଗଣତାନ୍ତ୍ରୀକ ଏବଂ ଏହା ଗଣତନ୍ତ୍ର ପ୍ରତି ଶକ୍ତ ଚାପୁଡା । ଏପରି ସ୍ଥଳେ ଅବାଧ, ମୁକ୍ତ ଓ ନିରପେକ୍ଷ ପୌର ନିର୍ବାଚନକୁ ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି । ପ୍ରାର୍ଥୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ସହିତ ଗୁଣ୍ଡାମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି ଜଣାଇଛି । ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବକ୍ସିପାତ୍ର ଦାବି ଜଣାଇଛନ୍ତି ।ବିଜେପି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାର ସିଂହ, ଠାକୁର ରଣଳିତ ଦାସ ଓ ସୋନାଲୀ ସାହୁ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ, ଲିଗାଲ ସେଲର ରବିଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here