ବ୍ରହ୍ମପୁରରେ ପୌର ନିର୍ବାଚନ ପ୍ରସ୍ତୁତି : ୪୨ ୱାର୍ଡର ୨୫୦ ବୁଥରେ ମତଦାନ କରିବେ ୨,୫୫,୩୨୬ ମତଦାତା । ୫ ପିଙ୍କ୍ ବୁଥ

0
176

ବ୍ରହ୍ମପୁର ,୧୭/୦୩/୨୦୨୨: ଚଳିତ ପୌର ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲୁ ରହିଛି । ଆସନ୍ତା ୨୪ ତାରିଖରେ ବ୍ରହ୍ମପୁର ମହାନଗର ନିଗମର ୪୨ଟି ଓ୍ବାର୍ଡ ପାଇଁ ୪୨ ଟି କର୍ପୋରେଟର ପଦବୀ ଏବଂ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମୋଟ ୨ଲକ୍ଷ ୫୫ହଜାର ୩୨୬ ଜଣ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିବେ । ଯେଉଁଥିରେ ୧ଲକ୍ଷ ୨୭ହଜାର ୭୫୩ ଜଣ ପୁରୁଷ ଭୋଟର , ୧ଲକ୍ଷ ୨୭ହଜାର ୫୧୬ ଜଣ ମହିଳା ଭୋଟର ଏବଂ ଅନ୍ୟାନ୍ୟ ୫୭ଜଣ ଭୋଟର ଅନ୍ତର୍ଭୁକ୍ତ । ମୋଟ ୨୫୦ ଟି ଭୋଟଦାନ କେନ୍ଦ୍ର କରାଯାଇଥିବା ବେଳେ ସେଥିମଧ୍ୟରୁ ୫ଟି ବୁଥକୁ ପିଙ୍କ୍ ବୁଥ କରାଯାଇଛି । ସେଗୁଡିକ ହେଲା ବୁଥ ନଂ-୧୧ ଆସ୍କା ରୋଡ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ହାଇସ୍କୁଲ , ବୁଥ ନଂ-୨୬ ପୁରୁଣା ବ୍ରହ୍ମପୁର ସ୍ଥିତ ସରକାରୀ ମୁନିସିପାଲିଟି ହାଇସ୍କୁଲ , ବୁଥ ନଂ-୮୦ ମହାନଗର ନିଗମ କାର୍ଯାଳୟ ସମ୍ମୁଖରେ ଥିବା ସରକାରୀ ବାଳିକା ହାଇସ୍କୁଲ , ବୁଥ ନଂ-୧୭୬ ଗିରି ରୋଡସ୍ଥିତ ଭିଭି ଗିରି ବାଳିକା ବିଦ୍ୟାଳୟ , ବୁଥ ନଂ-୧୯୬ ବଡ ମେଡିକାଲ ପରିସରରେ ଥିବା ମେଡିକାଲ କ୍ୟାମ୍ପସ ହାଇସ୍କୁଲ ଅନ୍ତର୍ଭୁକ୍ତ । ତେବେ ୯୬ ଟି ବୁଥକୁ ସମ୍ବେଦନଶୀଳ ବୁଥ ଏବଂ ୫୯ଟି ବୁଥକୁ ଅତି ସମ୍ବେଦନଶୀଳ ବୁଥଭାବେ ଚିହ୍ନଟ କରାଯାଇଛି ।ଚଳିତ ନିର୍ବାଚନରେ ୪୨ଟି ଓ୍ବାର୍ଡରୁ ୩ଟି ଓ୍ବାର୍ଡ-୧୫ , ୩୨ , ୩୫ ରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ଯୋଗୁଁ ସେମାନେ ଅପ୍ରତିଦ୍ବନ୍ଦୀ ରହିଛନ୍ତି । ବଳକା ୩୯ ଗୋଟି ଓ୍ବାର୍ଡପାଇଁ ମୋଟ ୧୪୦ ଜଣ କର୍ପୋରେଟର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ମୋଟ ୭ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here