ଗୋପାଳପୁରରେ ଶୁଭାରମ୍ଭ ହେଲା ସେଲି ଫିଏଷ୍ଟା – ଏ ନିଉ ଏରା ପ୍ରାୟୋଜକଙ୍କ ସହାୟତାରେ ଡିପ୍ଲୋମା ତାଲିମ ନେବେ ବିପିଏଲ୍‌ ପରିବାରର ୭୫ ଜଣ ମହିଳା

0
176

ବ୍ରହ୍ମପୁର , ୩୦/୦୩/୨୦୨୨ : ଗୋପାଳପୁରଠାରେ ଆଜି ” ସେଲି ଫିଏଷ୍ଟା “- ଏ ନିଉ ଏରା ‘ ନାମକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହା ଦ୍ବାରା ବିପିଏଲ୍‌ ପରିବାରର ୭୫ ଜଣ ମହିଳା ପ୍ରଶିକ୍ଷାର୍ଥୀଙ୍କ ଡିପ୍ଲୋମା ତାଲିମ ନିମନ୍ତେ ପ୍ରାୟୋଜକ ମିଳି ପାରିଛନ୍ତି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଡା , ସୁବ୍ରତ ବାଗଚି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ।ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବାଗଚି ଏନଟିଟିଏଫ୍ ଦେଶର ସର୍ବଶ୍ରେଷ୍ଠ ଦକ୍ଷତା ବିକାଶ ସଂସ୍ଥା ଏବଂ ୨୦୨୬ ସୁଦ୍ଧା ଏନଟିଟିଏଫ ଗୋପାଳପୁର ଜାତୀୟସ୍ତରରେ ଏକ ଜଣାଶୁଣା ଅନୁଷ୍ଠାନ ଭାବେ ପ୍ରତିଷ୍ଠିତ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି । ପ୍ରତିବର୍ଷ କିଭଳି ଭାବେ ୧୦୦୦ ଜଣ ପ୍ରଶିକ୍ଷାର୍ଥୀ ଏହି ଅନୁଷ୍ଠାନରୁ ତାଲିମ ନେଇପାରିବେ ସେନେଇ ଏକ ରୁପରେଖ ତିଆରି ପାଇଁ ଟାଟା ଷ୍ଟିଲ୍‌, ଏନଟିଟିଏଫକୁ ପରାମର୍ଶ ଦେଇଥିଲେ । କେବଳ ବୈଷୟିକ ଶିକ୍ଷା ନୁହଁ , ପ୍ରଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ସହ ସେମାନଙ୍କୁ ବିଶ୍ବସ୍ତରୀୟ ସଂସ୍ଥାରେ ନିଯୁକ୍ତି ଯୋଗ୍ୟ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ସମ୍ମାନୀତ ଅତିଥି ଭାବେ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ନିଜ ବକ୍ତବ୍ୟରେ ଝିଅମାନେ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ୍ ହୋଇ ଆଗାମୀ ଦିନରେ ଅନ୍ୟମାନଙ୍କୁ ମାର୍ଗଦର୍ଶନ କରିବାର ଦମ୍ଭୋକ୍ତି ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟକି , ଏନଟିଟିଏଫ୍ ଗୋପାଳପୁରରେ ଡିସେମ୍ବର ୨୦୨୧ରେ ମେକାନିକ୍ସରେ ଡିପ୍ଲୋମାର ୭୫ ଜଣ ବାଳିକା ପ୍ରଶିକ୍ଷାର୍ଥୀଙ୍କ ତାଲିମ ନିମନ୍ତେ ଏକ ପ୍ରାୟୋଜକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ଏବଂ ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷା ସୁସ୍ମିତା ବାଗଚି ବ୍ୟକ୍ତିଗତ ସମ୍ବଳରୁ ୭୫ ଜଣଙ୍କ ମଧ୍ୟରୁ ୩୮ ଜଣ ଛାତ୍ରୀଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରାୟୋଜକ ଅଛନ୍ତି । ସେହିପରି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏବଂ ଏନଟିଟିଏଫ୍ ଯଥାକ୍ରମେ ୨୯ ଏବଂ ୮ ଜଣ ଛାତ୍ରୀଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରାୟୋଜକ ରହିଛନ୍ତି । ଏହି ଅନୁଷ୍ଠାନରେ ଜଣେ ପ୍ରଶିକ୍ଷାର୍ଥୀଙ୍କ ଡିପ୍ଲୋମା ତାଲିମ ପାଇଁ ହାରାହାରି ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ସାରା ଦେଶରେ ପ୍ରଥମଥର ପାଇଁ ଏକକାଳୀନ ବିପିଏଲ୍‌ ପରିବାରର ୭୫ ଜଣ ମହିଳା ପ୍ରଶିକ୍ଷାର୍ଥୀଙ୍କ ତାଲିମ ନିମନ୍ତେ ଏହି ପ୍ରକାର ପ୍ରାୟୋଜକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହାଦ୍ବାରା ଏନଟିଟିଏଫ୍‌ରେ ମହିଳା ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ଆର୍ଥିକ ଭାବେ ପଛୁଆ ଥିବା ମହିଳାମାନଙ୍କୁ ବୈଷୟିକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ସୁଦକ୍ଷା କରାଇବ । ଏହି ପ୍ରାୟୋଜକ କାର୍ଯ୍ୟକ୍ରମ ନିମନ୍ତେ ଗଞ୍ଜାମ ଜିଲ୍ଲାର ଟାଟା ଷ୍ଟିଲ୍‌ କାର୍ଯ୍ୟକ୍ଷମ ଅଞ୍ଚଳ ଏବଂ ଗଜପତି, ଯାଜପୁର, କେଉଁଝର ଓ ଢେଙ୍କାନାଳର ୭୫ ଜଣ ବିପିଏଲ୍ ବର୍ଗର ବାଳିକା ପ୍ରଶିକ୍ଷାର୍ଥୀଙ୍କୁ ଚୟନ କରାଯାଇଛି । ଚୟନ ମାନଦଣ୍ଡ ନିମନ୍ତେ ଗଣିତ ଏବଂ ବିଜ୍ଞାନରେ ୫୦ ପ୍ରତିଶତ ଏବଂ ଦଶମ ଶ୍ରେଣୀରେ ୫୦ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରୁ ୬୫, ଗଜପତିରୁ ୩, ଯାଜପୁରରୁ ୩, କେଉଁଝରରୁ ୩ ଏବଂ ଢେଙ୍କାନାଳରୁ ଜଣେ ଚୟନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here