ପାତ୍ରପୁର ବ୍ଲକରେ କୁହୁଲୁଛି ପାଇଖାନା ଦୁର୍ନୀତି । ଥାନାରେ ଏତଲା ସହ ବିଡ଼ିଓଙ୍କୁ ଅଭିଯୋଗ କଲେ ସି ସରଧାପୁର ଗ୍ରାମବାସୀ

0
532

ବ୍ରହ୍ମପୁର , ୧୦/୦୪/୨୦୨୨: ଜିଲ୍ଲାର ବ୍ଲକ ସ୍ତରରେ ଚାଲିଥିବା ପାଇଖାନା ମହାଦୁର୍ନୀତିକୁ ଆଢ଼ୁଆଳରେ ରଖି ପ୍ରଶାସନ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ତୁନି ରହିଥିବା ବେଳେ ନିର୍ବାଚନ ପରବର୍ତ୍ତୀ ସମୟରେ ଏ ସମନ୍ଧୀୟ ଅଭିଯୋଗ ତୀବ୍ର ହେବାରେ ଲାଗିଛି । ଏହି କ୍ରମରେ ଜିଲ୍ଲାର ପାତ୍ରପୁର ବ୍ଳକ ବି ନୁଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସି ସରଧାପୁର ଗ୍ରାମରେ ପାଇଖାନା ନିର୍ମାଣରେ ମହା ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଗ୍ରାମବାସୀ। ପାଇଖାନା ନିର୍ମାଣ ପାଇଁ ଗାଁ ରେ ଥିବା ଏକ ମହିଳା ଏସଏଚ୍ଚଜି କୁ ଢାଲ କରି ଜନୈକ ବ୍ୟକ୍ତି ଶହଶହ ସରକାରୀ ପାଇଖାନା ନିର୍ମାଣ ଦେଖାଇ ବିଲ ହରିଲୁଟ କରିଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀ ସମୂହ ମିଳିତ ଭାବେ ଶନିବାର ଦିନ ଜରଡ଼ା ଥାନାରେ ଏତଲା ଦେବା ସହ ପାତ୍ରପୁର ବିଡ଼ିଓଙ୍କୁ ଭେଟି ଏଥିନେଇ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ ସି ସରଧାପୁର ଗ୍ରାମରେ ବିଗତ ଦିନରେ ପ୍ରାୟ ୮୦ରୁ ଉର୍ଦ୍ଧ୍ବ ପାଇଖାନା ପାତ୍ରପୁର ବ୍ଳକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ମଞ୍ଜୁର କରାଯାଇଥିଲା । କିନ୍ତୁ କେତୋଟି ନିମ୍ନ ମାନର ପାଇଖାନା ନିର୍ମାଣ କରି ବଳକା ସଂଖ୍ୟାର ପାଇଖାନା ନିର୍ମାଣ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ଆଣିଛନ୍ତି । ଉକ୍ତ ଯୋଜନାରେ ଅର୍ଥ ହଡପ କରିଥିବା ଅଭିଯୋଗରେ ଆଜି ଉକ୍ତ ଗ୍ରାମର ଭଦ୍ରବ୍ୟକ୍ତି ଓ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସ୍ବତନ୍ତ୍ର ଭଡ଼ାରେ ବସ୍ ଯୋଗେ ଜରଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପାତ୍ରପୁର ବ୍ଳକ ବିଡ଼ିଓଙ୍କୁ ଭେଟି ଉକ୍ତ ପାଇଖାନା ଦୁର୍ନୀତି ବିଷୟରେ ଅବଗତ କରାଇଥିଲେ । ବିଡ଼ିଓ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସ ଅଭିଯୋଗକାରୀଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ପ୍ରଦାନ କରିବା ସହିତ ସଂଶ୍ଲିଷ୍ଟ ଯନ୍ତ୍ରୀ ଓ କର୍ମଚାରୀଙ୍କ ସହ ଘଟଣା ସମନ୍ଧରେ ଆଲୋଚନା କରି ଦୃଷ୍ଟାନ୍ତମୂଳକ ପଦକ୍ଷେପର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here