ଏସଟିଏଫ୍ ପଞ୍ଝାରେ ପଡ଼ିଲେ ପୋଖତ ଗଞ୍ଜେଇ ମାଫିଆ ଦୁଇଭାଇ : ବିପୁଳ ଗଞ୍ଜେଇ ,ଅଫିମ ସହ ଅଚଳାଚଳ ସମ୍ପତି ଠାବ ।

0
336

ବ୍ରହ୍ମପୁର, , ୨୯/୦୪/୨୦୨୨ : ସ୍ଥାନୀୟ ଅବକାରୀ ବିଭାଗ ଓ ଗଞ୍ଜେଇ ବେପାରୀଙ୍କ ମଧୁଚନ୍ଦ୍ରିକା କାରଣରୁ ବୁଗୁଡ଼ା ସହର ସମ୍ପ୍ରତି ଗଞ୍ଜେଇ ବେପାରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ଗତକାଲି ମଧ୍ୟରାତ୍ରରେ ଏସଟିଏଫ୍ ପଞ୍ଝାରେ ପୋଖତ ଗଞ୍ଜେଇ ବେପାରୀ ଦୁଇଭାଇ ବନମାଳି ପ୍ରଧାନ ଓ ଅରୁଣ ପ୍ରଧାନ ପଡିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏସ ତି ଏଫ୍ ଟିମ୍ ସେମାନଙ୍କ ଠାରୁ ୧୧୦୦ କି.ଗ୍ରା ଗଞ୍ଜେଇ , ୧ କି.ଗ୍ରା ଅଫିମ , ୬୮୨ ଗ୍ରାମ ସୁନା ଓ ୧୨୦ ଗ୍ରାମର ରୂପା ଅଳଙ୍କାର , ଗୋଟିଏ ଇନୋଭା ଗାଡି ଓ ସୁଇପ୍ଟ୍ ଡିଜାଇର୍ ସମେତ ଅଚଳାଚଳ ସମ୍ପତ୍ତିର ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ଟିମ୍ ଜବତ କରିଥିବା ଜଣାଯାଇଛି । ସୂଚନା ପ୍ରକାରେ ଗତକାଲି ରାତ୍ର ପ୍ରାୟ ସାଢେ ବାରଟା ସମୟରେ ବୁଗୁଡ଼ା ରଘୁନାଥ ସାହିସ୍ଥିତ ବନମାଳି ପ୍ରଧାନଙ୍କ ଘର ଉପରେ ଏସଟିଏଫ୍ ଟିମ୍ ଅଚାନକ ଚଢ଼ାଉ କରି ଦୁଇ ଭାଇଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଉକ୍ତ ଚଢାଉରେ ସ୍ଥାନୀୟ ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଅତିରିକ୍ତ ଥାନାଧିକାରୀ ଶର୍ମିଷ୍ଠା ପ୍ରଧାନ ଉପସ୍ଥିତ ରହିଥିଲେ । ଭୁବନେଶ୍ବରରୁ ଆସିଥିବା ୭ ଜଣିଆ ଏସଟିଏଫ୍ ଟିମ୍ ୩ ଘଣ୍ଟିଆ କସରତ ପରେ ଜବତ ସାମଗ୍ରୀ ସହ ଦୁଇ ଗଞ୍ଜେଇ ବେପାରୀଙ୍କୁ ଉଠାଇ ନେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ଯ ଖେଳାଇ ଦେଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ଛୋଟ ବଡ ଶତାଧିକ ଗଞ୍ଜେଇ ବେପାରୀଙ୍କ ଛାତିରେ ଛନକା ପଶିଥିବା ଜଣାଯାଇଛି । ଅନ୍ୟପକ୍ଷରେ ପୂର୍ବରୁ ବୁଗୁଡ଼ା ସହରର ବହୁ ଦୋକାନରେ ବିକ୍ରି ହେଉଥିବା ଗଞ୍ଜେଇ ସିଗାରେଟ୍ ଅଚାନକ ଗାଏବ୍ ହୋଇଯାଇଥିବା ଜଣାପଡିଛି । ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ଗଞ୍ଜେଇ ବେପାର କରି ଏସଟିଏଫ୍ ପଞ୍ଚାରେ ପଡ଼ିଥିବା ଏହି ଗଞ୍ଜେଇ ମାଫିଆ ଦୁଇଭାଇ ଅଞ୍ଚଳରେ କାୟା ବିସ୍ତାର ସହ ଅଚଳାଚଳ ସମ୍ପତ୍ତିର ଅଧିକାରୀ ହୋଇଥିବା ବେଳେ ହଠାତ୍ କିଭଳି ଅତର୍କିତ ଚଢ଼ାଉ କରାଗଲା ସେନେଇ ସାଧାରଣରେ ଆଲୋଚନା ଜୋର ଧରିଛି । ଏସଟିଏଫ୍ ଯଦି ତାର ତଦନ୍ତ ପ୍ରକ୍ରିୟାକୁ କଡାକଡି କରେ ତେବେ ଏହି ବେପାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ପର୍ଦ୍ଦାଫାସ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here