ପାଟପୁର ପୋଲିସର ଗଞ୍ଜେଇ ଚଢାଉ । ୮୫ କିଗ୍ରା ୮୦୦ ଗ୍ରାମ ଗଞ୍ଜେଇ ଜବତ ସହ ଜଣେ ଗିରଫ

0
240

ବ୍ରହ୍ମପୁର , ୨୯/୦୪/୨୦୨୨: ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ଅଞ୍ଚଳ ସମ୍ପ୍ରତି ଗଞ୍ଜେଇ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ଗଜପତି ଜିଲ୍ଲା ଦେଇ ଏହି ଅଞ୍ଚଳକୁ ପ୍ରବଳ ମାତ୍ରାରେ ଗଞ୍ଜେଇ ଚୋରା ଚାଲାଣ ହେଉଅଛି । ସ୍ଥାନୀୟ ଅବକାରୀ ବିଭାଗ ସହ ପୋଲିସ ପକ୍ଷରୁ ବହୁ ସମୟରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଚୋରା ଗଂଜେଇ ଜବତ କରି ଚାଲାଣକାରୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଊଥିଲେ ମଧ୍ୟ ଗଞ୍ଜେଇ ଚାଲାଣରେ କୌଣସି ପରିବର୍ତ୍ତନ ଆସୁଥିବା ନଜରକୁ ଆସୁନାହିଁ । ପୋଲିସର ଅତର୍କିତ ଚଢ଼ାଉରୁ ବର୍ତ୍ତିଗଲେ ବିପୁଳ ଲାଭ ହେଉଥିବା ଲୋଭରେ ଅଞ୍ଚଳର ବହୁଲୋକ ସମ୍ପ୍ରତି ଏହି ବେପାର କରୁଥିବା ସୂଚନା ରହିଅଛି । ଜିଲ୍ଲା ସୀମାନ୍ତ ଆଦିବାସୀ ଇଲାକାରେ ସ୍ଥାନୀୟ ମାଫିଆ ବ୍ୟବସାୟୀଙ୍କ ଦ୍ଵାରା ପ୍ରଲୋଭିତ ହୋଇ ଖୁଚୁରା ବ୍ୟବସାୟୀ ବଢିବାରେ ଲାଗିଥିବା ବେଳେ ଆଜି ପାଟପୁର ଥାନା ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରି ପାଟପୁର ଗାନ୍ଧିଛାକ ନିକଟ କେନାଲ ସାହିରେ ଏକ ଘରୁ ୮୫କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଥାନା ପକ୍ଷରୁ ଏକ ପ୍ରେସମିଟ ଜରିଆରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ ସୂଚନା ପ୍ରଦାନ କରିଛନ୍ତି ।
ସୂଚନା ପ୍ରକାରେ ଗତ ସନ୍ଧ୍ୟାରେ ନିର୍ଭରଯୋଗ୍ୟ ସୂତ୍ରରୁ ଥାନା ମହିଳା ଏସ ଆଇ ମିଳନ ପ୍ରଧାନ ପଲାଶପୁର ବ୍ରିଜ ନିକଟ ପାଟପୁର କେନାଲ ସାହିର ପୁରୁଷୋତ୍ତମ ସାହୁଙ୍କ ଘରେ ଗଞ୍ଜେଇ ଗଚ୍ଛିତ ଥିବା ସୂଚନା ପାଇଥିଲେ । ଥାନା ଅଧିକାରୀ ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲଙ୍କୁ ଅବଗତ ପରେ ଏଥି ନେଇ ସ୍ବତନ୍ତ୍ର ଚଢାଉ କରାଯାଇଥିଲା । ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ସାନଖେମୁଣ୍ଡି ତହସିଲଦାର ଡ଼, ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଜବତ ହୋଇଥିବା ଦୁଇ ଗଞ୍ଜେଇ ଭର୍ତି ପଲିଥିନ ଜରି ଅଖାରେ ୮୫,୮୦୦ ଗ୍ରାମ ଗଞ୍ଜେଇ ଥିବା ଚୂଡାନ୍ତ ହୋଇଥିଲା । ଆନୁମାନିକ ୧୦ ଲକ୍ଷ୍ ଟଙ୍କାର ଗଞ୍ଜେଇ ଜବତ ସହ ଅଭିଯୁକ୍ତ ପୁରୁଷୋତ୍ତମ ସାହୁକୁ ପୋଲିସ ଗିରଫ କରି ହେପାଜତକୁ ନେଇଥିଲା । ଏ ନେଇ ଥାନା କେସ ନଂ -୧୩୩/୨୨ ପ୍ରକାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ବିଚାର ବିଭାଗୀୟ ହେପାଜତକୁ ପଠାଇଥିବା ଥାନା ପକ୍ଷରୁ ସୂଚନା ମିଳିଅଛି ।

LEAVE A REPLY

Please enter your comment!
Please enter your name here