• ସଡକ ସୁରକ୍ଷା ଦିଗରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ • ବିନା ହେଲମେଟ୍ ରେ ଦୁଇ ଚକିଆ ଯାନ ଚଳାଇ ମହା ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସୁଥିଲେ ଅଧ୍ୟକ୍ଷଙ୍କୁ ଦାୟୀ କରାଯିବ

0
213

ଛତ୍ରପୁର, ୩୦/୦୪/୨୦୨୨: ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ଓସ୍ବାନ୍ ସମ୍ମିଳନୀ କକ୍ଷଠାରେ ସଡକ ସୁରକ୍ଷା ଦିଗରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କରୋନା ସମୟ ଅତିବାହିତ ହେବା ପରଠାରୁ ଚାଳକ ମାନଙ୍କ ଖାମଖିଆଲ ଯୋଗୁଁ ଜିଲ୍ଲାରେ ମୋଟର ସାଇକେଲ ଦୁର୍ଘଟଣା ଅଧିକ ମାତ୍ରାରେ ବୃଦ୍ଧି ଘଟିଛି । ସଡକ ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ଜାରି କରାଯାଇଥିବା ହେଲମେଟ ବ୍ୟବହାର ଦିଗରେ ଅଧିକ ସଚେତନତା କରାଯିବା ସହିତ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଆଞ୍ଚଳିକ ପରିବହନ ବିଭାଗ , ପୋଲିସ୍ ପ୍ରଶାସନ ଓ ତହସିଲଦାର ମାନଙ୍କ ତରଫରୁ ବ୍ୟାପକ ଚଢାଉ କରାଯିବ । ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଗଣ ୧୮ ବର୍ଷ ପୂର୍ବରୁ କିମ୍ବା ବିନା ଲାଇସେନ୍ସ ରେ ଯାନବାହନ ଚଳାଇବା ବାରଣ କରାଯାଇଛି । କିନ୍ତୁ କେତେକ କ୍ଷେତ୍ରରେ ଲାଇସେନ୍ସ ନ ଥାଇ ସ୍ବଳ୍ପ ବୟସରେ ମଧ୍ୟ ମହା ବିଦ୍ୟାଳୟକୁ ଦୁଇ ଚକିଆ ଯାନ ଚଢି ଆସୁଥିବା ପ୍ରଶାସନର ନଜରକୁ ଆସିଛି ଏବଂ ଅନେକ ଦୁର୍ଘଟଣା ମାନ ଘଟୁଛି । ଏହାକୁ ରୋକିବା ଦିଗରେ ସମସ୍ତ ସଂପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଗଣ ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ବିନା ଲାଇସେନ୍ସ ରେ କିମ୍ବା ୧୮ ବର୍ଷ ବୟସ ଅତିକ୍ରାନ୍ତ ପୂର୍ବରୁ ଦୁଇ ଚକିଆ ଯାନ ନେଇ ଆସୁଥାଆନ୍ତି ସେମାନଙ୍କୁ ସତର୍କ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏଭଳି କାର୍ଯ୍ୟର ପୁନରାବୃତ୍ତି ଘଟେ ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ଉକ୍ତ ଛାତ୍ର/ଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ଦାୟୀ କରାଯିବ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ପରିବହନ ବିଭାଗ ପକ୍ଷରୁ ତଦାରଖ କାର୍ଯ୍ୟ କଡାକଡି କରାଯିବ । ଦୁଇ ଚକିଆ ଯାନରେ ତିନିଜଣ ବ୍ୟକ୍ତି ଓ ବିନା ହେଲମେଟ୍ ରେ ଗାଡିଚାଳକଙ୍କୁ ଚଢାଉ ହେବ । ଜୋରିମାନା ଆଦାୟ କରାଯିବ ଆବଶ୍ୟକ ସ୍ଥଳେ ଡ୍ରାଇଭିଂ ଲାଇସେନ୍ସକୁ ରବ୍ଦ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ପୁରୁଣା ଯାନ ବାହନ ଯାଂଚ୍ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିର୍ଦ୍ଧାରିତ ସିଟ୍ ରୁ ଅଧିକ ଯାତ୍ରୀ ବୋହି ନେଉଥିବା ବସ୍ ଗୁଡିକୁ ଯାଂଚ୍ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କର୍ମଚାରୀ ଗଣ ବିନା ହେଲମେଟ୍ ରେ ଯାତ୍ରା କରି କାର୍ଯ୍ୟାଳୟକୁ ଆସୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ତାଙ୍କର ଗୋଟିଏ ଦିନ ଅନୁପସ୍ଥିତ କରି ଉକ୍ତ ଦିନକୁ ଛୁଟିରୂପେ (ସି.ଏଲ୍) ଗ୍ରହଣ କରାଯିବ । ଦୁର୍ଘଟଣା ପ୍ରବଣ ଅଞ୍ଚଳ ଯାଂଚ୍ କରି ରାସ୍ତାର ସ୍ଥିତି, ଦୁର୍ଘଟଣାର କାରଣ ଇତ୍ୟାଦି ଅନୁସନ୍ଧାନ କରି ସେଗୁଡିକର ସ୍ଥିତିରେ ସୁଧାର ଆଣିବାକୁ ସମସ୍ତ ନିର୍ବାହୀ ଯନ୍ତ୍ରୀ, କାର୍ଯ୍ୟ ନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ତ୍ରୁଟି ବିଚ୍ୟୁତ ହେଲେ ସେମାନଙ୍କୁ ଦାୟୀ କରାଯିବ । ରାସ୍ତା କଡ କିମ୍ବା ଜାତୀୟ ରାଜପଥ ପାର୍ଶ୍ବରେ ପାର୍କିଂ ହେଉଥିବା ଯାନ ବାହନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ବର ବଳୀରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କିର୍ତ୍ତିଓ୍ବାସନ୍, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ, ପୋଲିସ୍ ବିଭାଗର ଅଧିକାରୀ ଗଣ, ବସ୍ ଓ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here