ଚାରି ବର୍ଷିଆ ଚୁକ୍ତି ଭିତ୍ତିକ ସେନା ନିଯୁକ୍ତିକୁ ବିରୋଧ କରି ସାନଖେମୁଣ୍ଡିରେ କଂଗ୍ରେସର ସତ୍ୟାଗ୍ରହ ।

0
341

ସାନଖେମୁଣ୍ଡି ,୨୮/୦୬/୨୦୨୨: ବର୍ଷକୁ ଦୁଇ କୋଟି ବେକାରଙ୍କୁ ନିଯୁକ୍ତି ଦେବାର ଲଲିପପ୍ ଦେଖାଇ ଦୀର୍ଘ ଆଠବର୍ଷର ଶାସନରେ ମୋଦି ସରକାର ଯୁବ ଗୋଷ୍ଠୀଙ୍କୁ ବିଭ୍ରାନ୍ତ କରିଛି । ଉଭଟ ସଂଯୋଜନାରେ ଲାଭକାରୀ ଏବଂ ନିଯୁକ୍ତି ସୃଷ୍ଟିକାରୀ ସରକାରୀ ଉଦ୍ୟୋଗ ଭାରତୀୟ ରେଳ , ଏଲଆଇସି , ଭାରତୀୟ ବିମାନ ସେବା , ଡାକ ବିଭାଗ ,ତୈଳ ନିଗମ ସହ ପ୍ରମୁଖ ସରକାରୀ ସଂସ୍ଥାକୁ ଘରୋଇକରଣ କରି ନିଯୁକ୍ତି କ୍ଷେତ୍ରକୁ ସଙ୍କୁଚିତ କରିଥିବା ବେଳେ ସମ୍ପ୍ରତି ସେନା ବାହିନୀକୁ ମଧ୍ୟ ଦିଶା ଶୂନ୍ୟ କରିଛି ।ସଦ୍ୟ ଶିକ୍ଷିତ ୨୧ ବର୍ଷର ଯୁବ ସୁଲଭ ଗୋଷ୍ଠୀଙ୍କୁ ୪ ବର୍ଷିଆ ଚୁକ୍ତି ଭିତ୍ତିକ ସେନାନିଯୁକ୍ତି ଦେବା ଲକ୍ଷ୍ୟରେ ଯୁବ ଗୋଷ୍ଠୀଙ୍କ ମତିଭ୍ରମ କରୁଛି । ଭାରତୀୟ ସେନା ବାହିନୀରେ ଥିବା ନିୟମିତ ନିଯୁକ୍ତିକୁ ବାତିଲ କରାଇ ସାଂପ୍ରତିକ କେନ୍ଦ୍ର ସରକାର ପ୍ରଚଳିତ କରିଥିବା ଏହି ଚୁକ୍ତି ଭିତ୍ତିକ ସେନା ବାହିନୀ ନିଯୁକ୍ତି ବ୍ୟବସ୍ତା ସମ୍ପ୍ରତି ଯୁବ ମାନସକୁ ଆନ୍ଦୋଳିତ କରିଛି । ସ୍ପର୍ଶକାତର ଭାରତୀୟ ସେନା ବାହିନୀରେ ଏଭଳି ନିଯୁକ୍ତି ଦେଇ ପରୋକ୍ଷରେ ସେନାବାହିନୀକୁ ମଧ୍ୟ କମ୍ପାନୀକରଣ କରିବାର ଯୋଜନାରେ ଥିବା ବୁଦ୍ଧିଜୀବି ସମାଜରେ ଉଦବେଗ ଭାବ ଦେଖାଦେଇଛି । ପରନ୍ତୁ ଦେଶର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତୀୟ ସେନା ବାହିନୀରେ ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ତା ଅଗ୍ନିବୀର ଯୋଜନାକୁ ରାଷ୍ଟ୍ରୀୟ ସ୍ତରରେ ବିରୋଧ କରାଯାଉଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ଏହାକୁ ଦୃଢ଼ ବିରୋଧ କରିଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଏହାକୁ ପ୍ରତ୍ୟାହାର ନ କଲେ ଆସନ୍ତା ଦିନରେ ସମଗ୍ର ଦେଶରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ନେଇଥିବା ଡାକରା ପ୍ରକାରେ ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ସ୍ତରରେ ଏକ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ସମାବେଶର ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି ସତ୍ୟାଗ୍ରହ ସମାବେଶରେ ବ୍ଳକର ତୁଙ୍ଗ ଛାମୁଆଁ କର୍ମୀ ଓ କର୍ମକର୍ତ୍ତାଙ୍କ ସହ ବରିଷ୍ଠ ସଂଗଠକ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉଭଟ ଏବଂ ଯୁବ ମାନସର ଦେଶପ୍ରିତିକୁ ନେଇ ଲଦି ଦିଆଯାଉଥିବା କୁପରିଣାମଦର୍ଶି ଭାବଧାରାକୁ ନେଇ ବିଜେପି ମୋଦି ସରକାରଙ୍କୁ ଦାୟୀ କରିଛନ୍ତି ।
ପାଟପୁର ପୂର୍ତ୍ତ ଡାକବଙ୍ଗଳା ଠାରେ କର୍ମୀ ଓ କଂଗ୍ରେସ ଅନୁଗତଙ୍କ ସମାବେଶରେ ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ସହସ୍ରାଧିକ ଜନସାଧାରଣ ଏକ କିଲୋମିଟର ପଦଯାତ୍ରାରେ ବାହାରି ଗାନ୍ଧୀ ଛକ ସ୍ଥିତ ବାପୁଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆୟୋଜିତ ସତ୍ୟାଗ୍ରହ ସଭାରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର , ବ୍ଲକ୍ କଂଗ୍ରେସ ସଭାପତି ବାବୁଲା ଦୋରା , ସୁଶାନ୍ତ ସ୍ବାଇଁ , ମୁକୁନ୍ଦ ବରାଡ ପ୍ରମୁଖଙ୍କ ସହ ବିଧାୟକ ନିଜ ନିଜ ବକ୍ତବ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣ ଚିନ୍ତାଧାରା ସମ୍ପନ୍ନ ଯୋଜନାତ ଦୃଢ଼ ବିରୋଧ କରିଥିଲେ । କଳା କୃଷି ଆଇନ ପ୍ରଣୟନ କରି ଜନମାନସରେ ନିଦିତ ହେଲାପରେ ମୋଦି ସରକାର ପ୍ରତ୍ୟାହାର କରିବା ଭଳି ସେନା ବାହିନୀରେ ଆଗ୍ନିବୀର ଯୋଜନାକୁ ପ୍ରତ୍ୟାହାର କରାଯିବା ନେଇ ଦାବି ରଖିଥିଲେ । ସତ୍ୟାଗ୍ରହ ସମାବେଶରେ ନିରାକାର ପ୍ରଧାନ , ରୋହିତ ଖୁଣ୍ଟିଆ , ଅର୍ଣ୍ବବ ନାହାକ , ଶଙ୍କର୍ଷଣ ଖୁଣ୍ଟିଆ , ସିମାଞ୍ଚଳ ଗୌଡ଼ , ମିତ୍ରଭାନୁ ଦଳେଇ ,ଉମାଶଙ୍କର ପାଢ଼ୀ , ଜଗନ୍ନାଥ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here