ରାଉରକେଲା, ୧୩/୦୮/୨୦୨୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ବାରା ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ଦୁଇଟି ବ୍ରିଜ୍ ଓ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ମୋଦି ସରକାରଙ୍କ ଓଡ଼ିଶା ଏବଂ ରାଉରକେଲାବାସୀଙ୍କୁ ଅଗଷ୍ଟ ୧୫ ସ୍ଵାଧୀନତା ଦିବସର ଉପହାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦିନିକିଆ ରାଉରକେଲା ଗସ୍ତ ଅବସରରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଇସ୍ପାତ୍ ନଗରୀ ରାଉରକେଲାର ଲାଇଫଲାଇନ୍ ବ୍ରାହ୍ମଣୀ ବ୍ରିଜ୍ ଉପରେ ଗୋଟିଏ ବିକଳ୍ପ ସେତୁ ନିର୍ମାଣ ନେଇ ଥିବା ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଆଶା ଓ ଆକାଂକ୍ଷାକୁ ପୂରଣ ହୋଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଦାୟିତ୍ଵ ନିଅନ୍ତି ତାହାକୁ କାର୍ଯ୍ୟରେ କରିକି ଦେଖାନ୍ତି । କେବଳ ରାସ୍ତାକାମ ନୁହେଁ ବରଂ ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ, ରାଉରେକେଲା ଏୟାରପୋର୍ଟର ପୂର୍ଣ୍ଣାଙ୍ଗ ରୂପ ଏବଂ ଏଠାରେ ସୁପର ସ୍ପେଶାଲିଟି ହସ୍ପିଟାଲର ବ୍ୟବସ୍ଥା ସମେତ ଶିଳ୍ପାଞ୍ଚଳ ରାଉରକେଲାର ସର୍ବାଙ୍ଗୀନ ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ।ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ରାଉରକେଲା ବିର୍ସା ମୁଣ୍ଡା ଛକରୁ ବ୍ରାହ୍ମଣୀ ନୂଆ ବ୍ରିଜ୍ ପର୍ଯ୍ୟନ୍ତ ହଜାର ହଜାର ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ବିଶାଳ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରର ସେ କହିଥିଲେ ରାଉରକେଲାରେ ଏହି ଅଭିଯାନକୁ ନେଇ ନାଗରିକଙ୍କ ଉତ୍ସାହ ଦେଖି ମୁଁ ସ୍ତମ୍ଭିଭୂତ । ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ଆବାଳବୃଦ୍ଧବନିତା ଏହି ଅଭିଯାନରେ ଯୋଡ଼ି ହୋଇ ଆମର ରାଷ୍ଟ୍ରୀୟ ଧ୍ଵଜା ସହିତ ସମ୍ପର୍କକୁ ସୁଦୃଢ଼ କରନ୍ତୁ । ଏହି ଅଭିଯାନ କେବଳ ଏକ ଆହ୍ଵାନ ନୁହେଁ ବରଂ ଆମର ସାମାଜିକ ଏକତା, ଭାଇଚାରା ଓ ଦେଶର ଅଖଣ୍ଡତାକୁ ବଜାୟ ରଖୁ
ଦିଗରେ ପ୍ରଧାନମନ୍ତ୍ରୀଜୀଙ୍କ ଏକ ନିଚ୍ଛକ ଦୃଷ୍ଟିଭଙ୍ଗୀ ।