ପଦମପୁର ଉପ ନିର୍ବାଚନରେ ପ୍ରଚାର କଲେ କେନ୍ଦ୍ର ରେଳମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ।କାଲି ଜମି ଦିଅ, ତାପର ଦିନ ପଦମପୁର ରେଳ ଲାଇନ କାମ ଆରମ୍ଭ ହେବ: ଅଶ୍ୱିନି ବୈଷ୍ଣବ ଫସଲ ବୀମା ରାଶିକୁ ଅଟକାଇଥିଲେ ରାଜ୍ୟ ସରକାର: ନରେନ୍ଦ୍ର ସିଂ ତୋମାର

0
155

ପଦମପୁର / ଭୁବନେଶ୍ୱର, ୨୭/୧୧/୨୦୨୨: ବରଗଡରୁ ନୂଆପଡା ଭାୟା ପଦମପୁର ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି । ସେଥିପାଇଁ ଅର୍ଥର କୌଣସି ଅଭାବ ନାହିଁ । କାମ ଅଟକିଛି ରାଜ୍ୟ ସରକାରଙ୍କ ପାଖରେ । ରାଜ୍ୟ ସରକାର ଜମି ଦେଲେ ରେଳ ପ୍ରକଳ୍ପ ନିର୍ମାଣ କାମ ଆରମ୍ଭ ହେବ । ଯଦି ରାଜ୍ୟ ସରକାର କାଲି ଜମି ଦେବେ ତାହେଲେ ପଅରଦିନ ରେଳ ଲାଇନ ପ୍ରକଳ୍ପର କାମ ଆରମ୍ଭ ହେବ । ରାଜ୍ୟ ସରକାର ଯଦି ଜମି ନଦେବେ କାମ କେମିତି ଆରମ୍ଭ ହେବ ବୋଲି ଆଜି ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ସମୟରେ କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନି ବୈଷ୍ଣବ । ଅଶ୍ୱିନି ବୈଷ୍ଣବ କହିଛନ୍ତି ଯେ, ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ପଦମପୁରର ହକ ପାଇଁ, ବିକାଶ ପାଇଁ ସଂଗ୍ରାମ କରିଆସିଛନ୍ତି । ଏଠିକାର ଚାଷିମାନଙ୍କ ପାଇଁ, କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ସେ ସବୁବେଳେ ସଂଗ୍ରାମ କରି ଆସିଛନ୍ତି । ପ୍ରଦୀପ ପୁରୋହିତ ଏଠୁ ନିର୍ବାଚିତ ହୋଇକି ଗଲେ ସେ ହିଁ ରାଜ୍ୟ ସରକାରଙ୍କ ଉପରେ ବିଧାନସଭାରେ ଚାପ ପକାଇ ଜମି ଦେବା ପାଇଁ ରାଜ୍ୟ ସରକାରଙ୍କୁ ବାଧ୍ୟ କରିପାରିବେ । ଆସନ୍ତା ୫ ତାରିଖରେ ପଦପମୁରବାସୀ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିଜେପିକୁ ଜିତାଇବେ ।

ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟ ସରକାର ବୀମା କମ୍ପାନୀମାନଙ୍କର ଚୟନ କରନ୍ତି, ସେମାନଙ୍କର ସହିତ ଚୁକ୍ତି କରନ୍ତି । ଫସଲ କ୍ଷୟକ୍ଷତି ରିପୋର୍ଟ ବି ରାଜ୍ୟ ସରକାର କରିଥାଆନ୍ତି । ସାରା ଦେଶରେ ଫସଲ ବୀମା ଯୋଜନାରେ ଚାଷୀମାନେ କ୍ଷୟକ୍ଷତି ପାଇଁ ବୀମା ରାଶି ପାଇପାରୁଛନ୍ତି । ହେଲେ ଓଡିଶାରେ କାହିଁକି ମିଳିପାରୁନଥିଲା । କାରଣ ଏଠାରେ ରାଜ୍ୟ ସରକାର ବୀମା କମ୍ପାନୀମାନଙ୍କ ସହିତ ମିଶି ଚାଷିମାନଙ୍କ ସ୍ୱାର୍ଥ୍ୟ ବିରୋଧରେ କାମ କରୁଥିଲେ । କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ପରେ ଚାଷୀମାନଙ୍କର ବୀମା ରାଶିକୁ ବୀମା କମ୍ପାନୀମାନେ ଚାଷୀମାନଙ୍କୁ ଦେଲେ । ଓଡିଶାରେ ବରଗଡ ଜିଲ୍ଲାରେ ସବୁଠାରୁ ବେଶି ଧାନ ଉପ୍ତାଦନ ହୁଏ । କେନ୍ଦ୍ରରେ ଥିବା ମୋଦିଙ୍କର ବିଜେପି ସରକାର ଧାନ କ୍ୱିଂଟାଲ ପିଛା ୨୦୪୦ ଟଙ୍କା ଦିଅନ୍ତି । ହେଲେ ଏଠାରେ ଚାଷୀମାନେ ଧାନ ମଣ୍ଡିରେ ବିକି ପାରନ୍ତି ନାହିଁ । ଯାହା ଫଳରେ ଚାଷୀ ଧାନକୁ ବାହାରେ କ୍ୱିଂଟାଲ ପିଛା ୧୦୦୦ ଟଙ୍କା କମରେ ବିକ୍ରି କରେ । ରାଜ୍ୟରେ ଥିବା ସରକାର ଚାଷୀମାନଙ୍କୁ ସବୁବେଳେ ପ୍ରତାରଣା କରିଆସିଛି ବୋଲି ତୋମାର କହିଛନ୍ତି ।
ପ୍ରଦୀପ ପୁରୋହିତ ହେଉଛି ଚାଷୀଙ୍କର ନେତା । ଚାଷୀମାନଙ୍କର ଅଧିକାର ପାଇଁ ସେ ସବୁବେଳେ ସ୍ୱର ଉଠାଇ ଆସିଛନ୍ତି । ଏହି ଉପନିର୍ବାଚନ ରେ ଚାଷୀମାନଙ୍କର ସ୍ୱର ଉଠାଇବା ପାଇଁ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ପଦମପୁର ନିର୍ବାଚନ ମଣ୍ଡଳୀର ପଦମପୁର ଓ ପାଇକମାଳରେ ଦୁଇଟି ନିର୍ବାଚନରେ ସଭାକୁ ଉଦବୋଧନ ଦେଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ତାଙ୍କ ସହିତ ଏହି ନିର୍ବାଚନ ସଭାରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବରଗଡ ସାଂସଦ ସୁରେଶ ପୂଜାରି, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କନକ ବର୍ଦ୍ଦନ ସିଂହଦେଓ, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ବିଧାୟକ ମୁକେଶ ମାହାଲିଙ୍ଗ, ନାଉରି ନାୟକ, କୁସୁମ ଟେଟେ, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୃଥ୍ୱିରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here