୪ର୍ଥ ଗଞ୍ଜାମ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ। ଗଞ୍ଜାମର ପାରମ୍ପରିକ ଲୋକନୃତ୍ୟ ଚଢ଼େୟା ନାଚରୁ ଆରମ୍ଭ ହେଲା

0
196

ବ୍ରହ୍ମପୁର, ୦୯/୧୨/୨୦୨୨: ସ୍ଥାନୀୟ ଉତ୍କଳ ଆଶ୍ରମସ୍ଥିତ ମୁକ୍ତମଞ୍ଚରେ ଅନ୍ଵେଷା କଳାକେନ୍ଦ୍ର ଏବଂ ଲୋକସଂସ୍କୃତି ଉନ୍ନୟନ ପରିଷଦର ମିଳିତ ଆନୁକୂଲ୍ୟରେ ୪ର୍ଥ ଗଂଜାମ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇସାରିଛି । ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକନୃତ୍ୟ ଚଢ଼େୟା ନାଚକୁ ପ୍ରାଧାନ୍ୟ ଦିଆଯାଇ ଏହି ନୃତ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଓଡ଼ିଶାର ସବୁଠାରୁ ଅଧିକ ଲୋକକଳା ଗଞ୍ଜାମ ଜିଲ୍ଲାରେ ଅଛି।ଏସବୁର କଳାକାରଙ୍କ ରକ୍ଷଣାବେକ୍ଷଣ ତଥା ପ୍ରଚାର ପ୍ରସାର ପାଇଁ ସରକାର ପ୍ରଚେଷ୍ଟା ଜାରି ରଖୁଛନ୍ତି ଏବଂ ଆମର ମଧ୍ୟ କର୍ତ୍ତବ୍ୟ ବୋଲି ଅତିଥିମାନେ ମତାମତ ରଖିଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅସୀମ ପଣ୍ଡା, ଭାରତଲୀଳା ନିର୍ଦ୍ଦେଶକ ସନ୍ତୋଷ ପାଢ଼ୀ, ଗଂଜାମ ଜିଲ୍ଲା ହୋଟେଲ୍ ମାଲିକ ସଂଘର ସଭାପତି ତଥା ମହୋତ୍ସବର ଆବାହକ ଇଂ. ଉମାଶଙ୍କର ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଜୀତେନ୍ଦ୍ର କୁମାର ପରିଡ଼ା, ରାଜ୍ୟ ସଂସ୍କୃତି ବିଭାଗର ପୂର୍ବତନ ସହ-ସଚିବ କୃଷ୍ଣଚନ୍ଦ୍ର ନିଶଙ୍କ, ସଂଗୀତ ନାଟକ ଏକାଡ଼େମୀର ସଦସ୍ୟ ଅନିଳ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।ଅନ୍ଵେଷା କଳାକେନ୍ଦ୍ରର ନିର୍ଦ୍ଦେଶିକା ଉଷାରାଣୀ ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଲୋକସଂସ୍କୃତି ଉନ୍ନୟନ ପରିଷଦର ସଭାପତି ଡ. ମିହିର କୁମାର ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲିଲି ମହାରଣା, ତ୍ରିପତି ବାଲାଜୀ ପାତ୍ର, ବିଶ୍ଵନାଥ ମହାପାତ୍ର, କୈଳାଶ ପାଣିଗ୍ରାହୀ, ପ୍ରତିମା ନାୟକ,ରବୀନ୍ଦ୍ର କୁମାର ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ । ପ୍ରଥମ ସନ୍ଧ୍ୟାରେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ସଞ୍ଜିତ କୁମାର ପାଣିଗ୍ରାହୀ, ସୁରେନ୍ଦ୍ର ମହାରଣା ଓ କଳାକାର ନଳିନୀକାନ୍ତ ଗୌଡ଼,କିନ୍ନର ସଂଘର ମୁଖ୍ୟ ଶାନ୍ତି ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ଆୟୋଜିତ ଲଘୁ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାର କୃତି କଳାକାର ମାନଙ୍କୁ ପୁରସ୍କାର ଦିଆଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ‘ସୋଡଗାଜିଆ’ ଲୋକନୃତ୍ୟ, କୋରାପୁଟିଆ, ସମ୍ବଲପୁର ଏବଂ ଓଡ଼ିଶୀ ନୃତ୍ୟ ସହ କଣ୍ଠ ସଂଗୀତ ପରିବେଷଣ ହୋଇଥିଲା ।ଶେଷରେ ସାମ୍ବାଦିକ ସୁଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here