ରଜ ପର୍ବରେ ମା ସିଂହାସନୀ ଶକ୍ତି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ।

0
3

ପୋଲସରା ୧୪/୦୬/୨୬ ପୋଲସରା ସହର ଠାରୁ ୨୫ କିଲୋମିଟର ଦୂରରେ କଷିପଡା ଗ୍ରାମରେ ବିଜେ ମା’ ସିଂହାସନଙ୍କ ଶକ୍ତି ପୀଠ। ଏହି ପୀଠରେ ପ୍ରତିବର୍ଷ ପହିଲି ରାଜ ଠାରୁ ତିନି ଦିନ ଧରି ରଜପର୍ବ ଉପଲକ୍ଷେ ଉତ୍ସବ ପାଳନ ହୋଇଥାଏ। ଏହି ତିନି ଦିନରେ ମା’ ଙ୍କ ଦର୍ଶନ କଲେ ମା’ ଙ୍କ କୃପା ଦୃଷ୍ଟି ପଡ଼ିଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଗଞ୍ଜାମ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ମା’ଙ୍କ ଦର୍ଶନ କରିବା ସହିତ ଭୋଗ ଲଗାଇଥାନ୍ତି। ଚଳିତ ବର୍ଷ ପାଣିପାଗ ଅନୁକୂଳ ଓ ଗମନାଗମନ ସୁବିଧା ହୋଇଥିବା ଯୋଗୁଁ ପ୍ରଥମ ରଜରେ ୧୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ସମାଗମ ହୋଇଥିଲେ। ମାନସିକ ଧାରି ଶ୍ରଦ୍ଧାଳୁମାନେ ଏହି ପୀଠରେ ମାଁ ଙ୍କୁ ଦର୍ଶନ କରିବା ସହ ମୁଣ୍ଡନ କରି ଭୋଗ ଲଗାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର କମିଟି ସଭାପତି ତଥା ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଉପ-କମିଟିର ସଦସ୍ୟ ବୃନ୍ଦ ନିଜର ଦାୟିତ୍ୱ ପରିଚାଳନା କରିଥିଲେ। କମିଟିର କର୍ମକର୍ତ୍ତାଙ୍କ ସମେତ ଚିରିକିପଡା ଶାସନ, ଭାବରଡା, ଗୋଛାବାଡି ଓ ପାଣ୍ଡିରିପଡା ପଞ୍ଚାୟତର ଲୋକଙ୍କ ସହଯୋଗରେ ପ୍ରଥମ ରଜପର୍ବ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା। ଉପସଭାପତି ଦୀପକ ପ୍ରଧାନ ଓ ପ୍ରଭାକର ପଣ୍ଡା, ସମ୍ପାଦକ ରଘୁନାଥ ପ୍ରଧାନ, ମନ୍ଦିର ଟ୍ରଷ୍ଟି ରଘୁନାଥ ସାହୁ, ସ୍ଥାନୀୟ ସରପଞ୍ଚ ରଘୁନାଥ ଭୂୟାଁ, ସମିତି ସଭ୍ୟା ପ୍ରତିନିଧି ମନୁ ଗୌଡ଼, ପରିଚାଳନା କମିଟିର ସଦସ୍ୟ ପୀତବାସ ପ୍ରଧାନ, କୈଳାଶ ମହାରଣା, ରବିନ୍ଦ୍ର ନାଥ ନାୟକ, କୃଷ୍ଣ ଚନ୍ଦ୍ର ଜେନା, ଶଙ୍କର୍ଷଣ ଗୌଡ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ। ପୋଲସରା ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ରହି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ।

LEAVE A REPLY

Please enter your comment!
Please enter your name here