Home ବ୍ରହ୍ମପୁର ସ୍ପେଶାଳ ନେତାଜୀ ସାରସ୍ୱତ ମଞ୍ଚର ସାରସ୍ୱତ ସମାରୋହ। ଏକନିଷ୍ଠ ସାଧନା ଦ୍ୱାରା ଲେଖକୀୟ ସର୍ଜନଶୀଳତା ଶୀର୍ଷକୁ ଛୁଇଁ...

ନେତାଜୀ ସାରସ୍ୱତ ମଞ୍ଚର ସାରସ୍ୱତ ସମାରୋହ। ଏକନିଷ୍ଠ ସାଧନା ଦ୍ୱାରା ଲେଖକୀୟ ସର୍ଜନଶୀଳତା ଶୀର୍ଷକୁ ଛୁଇଁ ପାରିବ : ଉତ୍ତମା ଜେନା

0
192

ବ୍ରହ୍ମପୁର,୨୩/୦୧/୨୦୨୩ : ଦୈବଦତ୍ତ ଐଶୀ ପ୍ରତିଭା ସହିତ ସାଧନାର ସମନ୍ୱୟ ଘଟିଲେ ସାରସ୍ୱତ ସୃଷ୍ଟି ସାର୍ଥକତା ଲାଭ କରେ ଏବଂ ଏକନିଷ୍ଠ ସାଧନା ଦ୍ୱାରା ଲେଖକୀୟ ସର୍ଜନାଶୀଳତା ଶୀର୍ଷକୁ ଛୁଇଁ ପାରିବ ବୋଲି ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର୍ ଉତ୍ତମା ଜେନା ମତବ୍ୟକ୍ତ କରିଛନ୍ତି ।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୁଣ୍ୟ ଜନ୍ମତିଥି ଅବକାଶରେ ଆଜି ପୂର୍ବାହ୍ଣରେ ସ୍ଥାନୀୟ ଉତ୍କଳ ଆଶ୍ରମ ସଭା ଗୃହରେ ବ୍ରହ୍ମପୁରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ନେତାଜୀ ସାରସ୍ୱତ ମଞ୍ଚ ପକ୍ଷରୁ ଆୟୋଜିତ ଅଷ୍ଟାଦଶ ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଫେସର୍ ଜେନା ସାହିତ୍ୟ ସର୍ଜନାର ମୌଳିକ ଆଧାର ସମ୍ପର୍କରେ ଆଲୋକପାତ କରିଥିଲେ ।ମଧ୍ୟକାଳୀନ ଓଡ଼ିଆ ସାହିତ୍ୟର ସୁଖ୍ୟାତ ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଲେ, କୌଣସି ଲେଖାରେ ସମ୍ପୃକ୍ତ ସ୍ରଷ୍ଟାଙ୍କ ସ୍ୱକୀୟତା ନ ଫୁଟିଲେ, ସେ ଲେଖା ଉଚ୍ଚ ମାନ ସମ୍ପନ୍ନ ହୋଇପାରିବ ନାହିଁ l ଅର୍ଥାତ୍ ଭାବ ଓ ଭାଷାରେ ମୌଳିକତା ପ୍ରଦର୍ଶିତ ନ ହେଲେ ଲେଖା ଉତ୍କର୍ଷତା ଲାଭ କରିବ ନାହିଁ l ତତ୍ ସହିତ ଯୁବ ଲେଖକମାନେ ସମକାଳର ସାହିତ୍ୟିକ ଧାରା ସହିତ ସମ୍ପର୍କିତ ହେବା ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ରୂପେ କୁକୁଡ଼ାଖଣ୍ଡି ତହସିଲଦାର୍ ତଥା ଯୁବ ଗାଳ୍ପିକା କଲ୍ୟାଣୀ ସଂଘମିତ୍ରା ଦେବୀ ଯୋଗଦେଇ ସ୍ବୀୟ ଗଳ୍ପ ରଚନାର ଭିତ୍ତି, ମାନସିକ ପ୍ରସ୍ତୁତି ଓ ଗଳ୍ପର ଭାଷିକ ପ୍ରକରଣ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ l

ସାରସ୍ୱତ ମଞ୍ଚର ସଭାପତି ସୁଜାତା ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସମ୍ପାଦକ ନଳିନୀକାନ୍ତ ଗୌଡ଼ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ l ଯୁଗ୍ମ ସମ୍ପାଦକ ଶାଶ୍ୱତ ମିଶ୍ର ପ୍ରାକ୍-ସୂଚନା ସହ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ l ଉପଦେଷ୍ଟା ସ୍ବର୍ଣ୍ଣପ୍ରଭା ପାଢ଼ୀ, କିରଣବାଳା ମିଶ୍ର ଓ ଭାଗ୍ୟଲକ୍ଷ୍ମୀ ମହାରଣା ସାରସ୍ୱତ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ପ୍ରାରମ୍ଭରେ ଏକ ଭାବଗମ୍ଭୀର ବାତାବରଣ ମଧ୍ୟରେ ଆମନ୍ତ୍ରିତ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମାରୋହର ଶୁଭାରମ୍ଭ କରିଥିଲେ ।ସାରସ୍ୱତ ମଞ୍ଚର ଉପଦେଷ୍ଟା ଡ. କୁଳମଣି ଓଝା ଜଗନ୍ନାଥାଷ୍ଟକ ଗାନ କରିବା ସଂଗେ ସଂଗେ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ବନ୍ଦନା ମିଶ୍ର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ସମବେତ କଣ୍ଠରେ ଉପସ୍ଥିତ ସମସ୍ତ ଅତିଥି, ସାହିତ୍ୟିକ, ସାହିତ୍ୟାନୁରାଗୀ ‘ବନ୍ଦେ ଉତ୍କଳ ଜନନୀ’ ଜାତୀୟ ସଂଗୀତ
ଗାନ କରିଥିଲେ। ଏହି ସମାରୋହରେ ଚଳିତ ବର୍ଷ ପାଇଁ ଉପଢୌକନ ଓ ପ୍ରଶସ୍ତି ପତ୍ର ପ୍ରଦାନ ପୂର୍ବକ ଯୁବ ଗାଳ୍ପିକା କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ‘ଦିଲୀପ କୁମାର ଚୌଧୁରୀ ସ୍ମୃତି ଗଳ୍ପ ସମ୍ମାନ’, ଚିକିଟୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ତଥା ଯୁବ ସମାଲୋଚକ ଡ. ସଞ୍ଜୟ କୁମାର ପଣ୍ଡାଙ୍କୁ ‘ପ୍ରବନ୍ଧ ସମ୍ମାନ’ ଓ ଯୁବକବି ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ‘ବସନ୍ତ ପଟ୍ଟନାୟକ ସ୍ମୃତି କବିତା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା l ଭାଗ୍ୟଲକ୍ଷ୍ମୀ ମହାରଣା, ନୀହାରିକା ସାହୁ ଓ ସୁଚେତା ପାଣିଗ୍ରାହୀ ପ୍ରଶସ୍ତିପତ୍ର ପାଠ କରିଥିଲେ l ପ୍ରଥମ ଅଧିବେଶନ ଶେଷରେ ସ୍ବର୍ଣ୍ଣମୟୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l ସାମ୍ବତ୍ସରିକ ସମାରୋହ ପରିପ୍ରେକ୍ଷୀରେ ମଞ୍ଚର ନୂତନ କର୍ମକର୍ତ୍ତାମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଗଞ୍ଜାମ ଜିଲ୍ଲା ସଦସ୍ୟ ଅନୀଲ୍ କୁମାର ପାତ୍ର, କୈଳାସ ପାଣିଗ୍ରାହୀ, ପ୍ରଭାତ କୁମାର ସାହୁ ଓ ଅନୀତା କୁମାରୀ ଯାଦବ ସହଯୋଗ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଆୟୋଜିତ କବିତା ଆସରରେ ଶ୍ରୀମତୀ ଅମିତା ମିଶ୍ର ଅଧ୍ୟକ୍ଷତା କରିଥିଲେ ଏବଂ ଡ. ବନମାଳୀ ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l କବି ସୁଶାନ୍ତ କୁମାର ପଟ୍ଟନାୟକ ଓ କବୟିତ୍ରୀ ସୁଚେତା ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଚାଳିଶରୁ ଊର୍ଦ୍ଧ୍ଵ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଡ. ସନ୍ତୋଷ କୁମାର ଦାଶ, ବନ୍ଦନା ମିଶ୍ର, ଶରତ କୁମାର ଦାସ, କପିଳ ଚନ୍ଦ୍ର ମହାନ୍ତି, ଭାଗ୍ୟଲକ୍ଷ୍ମୀ ମହାରଣା, ସୌଦାମିନୀ ମିଶ୍ର (କନିଷ୍ଠା), କିରଣଵାଳା ମିଶ୍ର, ଡ. ବନମାଳୀ ପାଣିଗ୍ରାହୀ, କଲ୍ୟାଣୀ ସଂଘମିତ୍ରା ଦେବୀ, ଲେନା ଚାନ୍ଦ, ନୀହାରିକା ସାହୁ, ପ୍ରକାଶ ଚନ୍ଦ୍ର ବେହେରା, ଜ୍ୟୋତ୍ସ୍ନାରାଣୀ ଦେବୀ, ଜ୍ୟୋତ୍ସ୍ନା ମହାନ୍ତି, ସୁଚେତା ପାଣିଗ୍ରାହୀ, ସୁଶାନ୍ତ କୁମାର ପଟ୍ଟନାୟକ, କାଳୀପ୍ରସାଦ ରାଓ, କଲ୍ୟାଣୀ ଦାସ, ଶିବ ସେଠୀଙ୍କ ସମେତ ୪୧ ଜଣ କବି ଏହି ଆସରରେ କବିତା ଆବୃତ୍ତି କରିଥିଲେ ଏବଂ ଶେଷରେ ନୀହାରିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!