ଓଡିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆସନ୍ତା କାଲି ବିଧାନସଭା ଘେରାଓ କରିବ ଯୁବମୋର୍ଚ୍ଚା। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର: ଗୋଲକ ମହାପାତ୍ର

0
93

ଭୁବନେଶ୍ୱର,୨୭/୦୨/୨୦୨୩: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରତି ବର୍ଷ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଗତ ୫ ବର୍ଷରେ ୬୫.୯୦ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ୨୦୧୮ରେ ୧୦୭୪୦୮; ୨୦୧୯ରେ ୧୨୧୫୨୫; ୨୦୨୦ରେ ୧୩୪୨୩୦; ୨୦୨୧ରେ ୧୫୫୪୨୦; ୨୦୨୨ରେ ୧୭୮୧୯୦ଟି ଅପରାଧ ରେକର୍ଡ ହୋଇଥିବାର ଗୃୃହ ରାଜ୍ୟ ମନ୍ତ୍ରୀ ବିଧାନସଭାରେ କହିଛନ୍ତି । ହତ୍ୟା, ଚୋରୀ, ଡକାୟତି, ଧର୍ଷଣ, ଠକାମି ଭଳି ଅପରାଧ ଉପରେ ରୋକ୍ ଲଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଭାରତୀୟ ଜନତା ପାର୍ଟୀର ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରି ଆସୁଥିବା ବିଜେଡି ସରକାର ଆଜି ବିଧାନସଭାରେ ଏଭଳି ଅଲୋଡା ବାସ୍ତବତାକୁ ସ୍ୱୀକାର କରିଛନ୍ତି । ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ଆଜି ବିଧାନସଭାରେ ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଙ୍କର ପ୍ରଶ୍ନର ଉତରରେ ଗୃହ ରାଜ୍ୟମନ୍ତ୍ରୀ ତୁଷାରିକାନ୍ତ ବେହେରା ଯେଉଁଭଳି ଉତର ଦେଇଛନ୍ତି ଏହା ପ୍ରକୃତରେ ଓଡିଶାବାସୀଙ୍କ ସନ୍ଦେହକୁ ଆହୁରି ଘନୀଭୂତ କରୁଛି । ଏହା ଅତ୍ୟନ୍ତ ଚିନ୍ତାଜନକ ଏବଂ ସାଧାରଣ ଜନତାଙ୍କ ଭିତରେ ସୁରକ୍ଷାକୁ ନେଇ ଥିବା ଆଶଙ୍କାକୁ ବାସ୍ତବତାରେ ପରିଣତ କରିଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ନବ ଦାସ ହତ୍ୟାକାଣ୍ଡ ଏକ ଯୋଜନାବଦ୍ଧ ହତ୍ୟା । ଏହି ହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ ଓ ମୁଳ କାରଣକୁ ନଖୋଜି ସତ୍ୟାସତ୍ୟକୁ ଚପେଇ ଦେବା ପାଇଁ ସୁଚିନ୍ତିତ ଯୋଜନା କରୁଛି ଶାସକ ଦଳ । ବିଭିନ୍ନ ସମୟରେ ଜାମୁକୋଳି, ପୋଖରୀରୁ ଲେଗିଂଗ୍‌ିସ, ପାଇଖାନାରୁ କାଗଜ, ପାଗଳ ପରି ଗୋଟିଏ ଗୋଟିଏ ନୂଆ କାହାଣୀ ପ୍ରସ୍ତୁତ କରିଚାଲିଛି ଶାସକ ଦଳ । ପ୍ରକୃତରେ ଶାସକ ବିଜେଡି ଷଡଯନ୍ତ୍ର କରି ଗୋପାଳ ଦାସକୁ ମୋହରା ବନାଇ ନବ ଦାସଙ୍କୁ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ କରୁନାହାଁନ୍ତି ଓ ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ଏ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ରାଜ୍ୟ ସରକାର ଅନ୍ଧକାର ଭିତରେ ରଖିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଅଭିଯୁକ୍ତ ଗୋପାଳ ଦାସ ଝାରସୁଗୁଡା ଜିଲ୍ଲାରେ ୧୩ ଦିନ କି ୧୩ ମାସ ନୁହେଁ ବରଂ ନିରନ୍ତର ଭାବେ ୧୩ବର୍ଷର ସମ୍ପର୍କ ରହିଛି । ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନାରେ ୧୩ବର୍ଷର ଚାକିରୀ କାଳ ବିତାଇଥିବା ଗୋପାଳଙ୍କ ଆଚାର ବିଚାର, ବ୍ୟବହାର ଓ କାର୍ଯ୍ୟକଳାପ ପ୍ରସଙ୍ଗରେ ପୋଲିସର ଗୋଇନ୍ଦା ବିଭାଗ ପାଖରେ ତଥ୍ୟ ନରହିବା ଆହୁରି ଚିନ୍ତାର ବିଷୟ । ବରଂ ଗତ ୧୩ ବର୍ଷରେ ପୋଲିସ ବିଭାଗ ଓ ରାଜ୍ୟ ସରକାରଙ୍କ ତରଫରୁ ୧୮ଟି ପ୍ରଂଶସାପତ୍ର, ୯ଟି ଆର୍ôଥକ ପ୍ରୋତ୍ସାହନ, ୧୮ଟି ପୁରସ୍କାର ପାଇଛନ୍ତି । ଅର୍ଥାତ ପ୍ରତ୍ୟେକ ବର୍ଷ ଗୋପାଳ ଦାସ ହାରାହାରି ୪ଥର ପୁରସ୍କୃତ ହୋଇଛନ୍ତି । ଗୋପାଳ ଦାସ ୧୦ ବର୍ଷ ପୂର୍ବରୁ ମାନସିକ ରୋଗୀ ଭାବେ ଚିହ୍ନଟ ହୋଇ ମେଡିସିନ ଖାଉଥିଲେ ବୋଲି ତାଙ୍କ ପତ୍ନୀ ଓ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି । ଯଦି ଏହା ସତ୍ୟ, ତାହେଲେ ଗୋପାଳ ଦାସଙ୍କୁ ଏତେ ମାତ୍ରାରେ ପୁରସ୍କାର ଓ ସମ୍ମାନ କିପରି ମିଳିଥିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଫେବୃଆରୀ ୯ ତାରିଖରେ ଗୋପାଳଙ୍କ ନାର୍କୋ ଟେଷ୍ଟ କରାଗଲା, କିନ୍ତୁ ଆଜି ପର୍ଯ୍ୟନ୍ତ ରିପୋର୍ଟ ସ୍ପଷ୍ଟ ହୋଇପାରିଲା ନାହିଁ । ନବ ଦାସ ହତ୍ୟାକାଣ୍ଡ ‘ହାଇକୋର୍ଟ ମନିଟର୍ଡ ତଦନ୍ତ’ ବୋଲି କହି ବିଭ୍ରାନ୍ତ କରାଯାଇଥିବାବେଳେ ଆଉ ପାଦେ ଆଗକୁ ଯାଇ ଏଫବିଆଇ ଦ୍ୱାରା ତଦନ୍ତର ଆବଶ୍ୟକତା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଲେ । ଏଭଳି ଘଟଣାରେ ଏଫବିଆଇ ତଦନ୍ତର ଆଦୈା ଆବଶ୍ୟକତା ନାହିଁ ବୋଲି ପୂର୍ବତନ ପୋଲିସ ଡିଜି ତଥା ବରିଷ୍ଠ ନେତା ଶ୍ରୀ ପ୍ରକାଶ ମିଶ୍ର କହିଲେ । ହତ୍ୟାକାରୀ ଘଟଣାସ୍ଥଳରୁ ଧରାପଡିଥିବାବେଳେ, ହତ୍ୟାକାଣ୍ଡର ମୁଳ କାରଣ ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ । ତଦନ୍ତ କେବଳ ଗୋପାଳ ଚାରି ପଟେ ବୁଲୁଛି ଏବଂ ତାକୁ ପାଗଳ ବୋଲି ଚିତ୍ରଣ କରିବା ପାଇଁ ଶାସକ ଦଳ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ରାଜ୍ୟ ସରକାର କଣ ଓଡିଶାରେ ଏପରି ପାଗଳମାନଙ୍କୁ ରଖିଛନ୍ତି ଯେଉଁମାନେ ପୁରସ୍କାର ପାଉଛନ୍ତି? ବିଧାନସଭାରେ ଗୃହ ରାଜ୍ୟ ମନ୍ତ୍ରୀଙ୍କ ଉତରକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ,ଗୋପାଳ ଦାସ ପାଗଳ ନୁହେଁ ବରଂ ଜଣେ ସ୍ଥିର ମସ୍ତିଷ୍କର ବ୍ୟକ୍ତି । ରାଜ୍ୟ ସରକାର ବୁଲବୁଲେୟା ଖେଳ ଆଉ ଖେଳନ୍ତୁ ନାହିଁ କି ଲୋକମାନଙ୍କୁ ଆଉ ମିଛ ଗପ କୁହନ୍ତୁ ନାହିଁ । ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ, ଘଟଣାର ସିବିଆଇ ତଦନ୍ତ ଏବଂ ଓଡିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆସନ୍ତା କାଲି ବିଜେପି ଯୁବମୋର୍ଚ୍ଚା ତରଫରୁ ବିଧାନସଭା ଘେରାଓ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ଅବସରରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାଶିଶ୍ ଆଚାର୍ଯ୍ୟ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ କୁମାର ଗୋଚ୍ଛାୟତ, ବିଶ୍ୱଜିତ୍ ଷଡଙ୍ଗୀ ଏବଂ ପ୍ରିତେଶ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here