ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଉପଲକ୍ଷେ ବିଜେପିର ସାମ୍ବାଦିକ ସମ୍ମିଳନୀ।ଭ୍ରଷ୍ଟାଚାରମୁକ୍ତ ୯ବର୍ଷର ମୋଦୀଙ୍କ ଶାସନ ଗରିବୀକଲ୍ୟାଣ ପାଇଁ ସମର୍ପିତ, ବିଶ୍ୱରେ ଭାରତ ଗୌରବାନ୍ୱିତ: କେନ୍ଦ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ

0
137

ଭୁବନେଶ୍ୱର,୨୯/୦୫/୨୦୨୩: ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ ୯ବର୍ଷ ଧରି ଭାରତୀୟ ଜନତା ପାର୍ଟୀର ସରକାର ଦେଶରେ ଏକ ଭ୍ରଷ୍ଟାଚାର ମୁକ୍ତ ସରକାର ସ୍ଥାପନା କରିବା ସହିତ ବିକାଶର ଅନେକ ମାପଦଣ୍ଡରେ ଭାରତକୁ ଆଗେଇ ନେଉଛି । ସ୍ୱାଧିନତାଠାରୁ ୨୦୧୪ପର୍ଯ୍ୟନ୍ତ ଦେଶରେ ହୋଇଥିବା ବିକାଶ ମୂଳକ କାମଠାରୁ ଏହି ୯ବର୍ଷରେ ହୋଇଥିବା ବିକାଶମୂଳକ କାମ ଟପିଯାଇଛି । ସାରା ବିଶ୍ୱରେ ଭାରତର ପରାକାଷ୍ଠା ବଢିଛି । ୨୦୧୪ ମସିହାରେ ସାଧାରଣ ଲୋକେ କଂଗ୍ରେସ୍ ଦଳର ଭ୍ରଷ୍ଟାଚାର ଓ ଦୁର୍ବଳ ନେତୃତ୍ୱରୁ ମୁକ୍ତି ଚାହୁଁଥିଲେ । ଭାରତୀୟ ଜନତା ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କୁ ବିପୁଳ ଜନସମର୍ଥନରେ ବିଜୟୀ କରାଇଥିଲେ । ଆଜି ୯ବର୍ଷ ଭିତରେ ବିଜେପି ସରକାର ବିରୁଦ୍ଧରେ ଗୋଟିଏ ବି ଭ୍ରଷ୍ଟାଚାରର ଅଭିଯୋଗ ନାହିଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେବଳ ଭାରତ ନୁହେଁ ବିଶ୍ୱରେ ସ୍ୱୀକୃତି ଲାଭ କରିଛି । ଜି-୨୦ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସଂଗଠନରେ ଭାରତ ଅଧ୍ୟକ୍ଷତା କରିପାରିଛି ଯାହା ନରେନ୍ଦ୍ର ମୋଦିଙ୍କ ସରକାରଙ୍କର ନେତୃତ୍ୱର ପରାକାଷ୍ଠାର ପ୍ରମାଣ ବୋଲି ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ଓ ଭାରତର ଉତର-ପୂର୍ବାଂଚଳ ବିକାଶ ବିଭାଗର ମନ୍ତ୍ରୀ ଜି. କିଶନ ରେଡ୍ଡୀ ।

ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଉପଲକ୍ଷେ ସରକାରଙ୍କ ୯ବର୍ଷର ଉପଲବ୍ଧି ବିଷୟରେ ବିସ୍ତୃତ ସୂଚନା ଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧନ କରି ଶ୍ରୀ ରେଡ୍ଡୀ କହିଛନ୍ତି ଯେ; ସେବା, ସୁଶାସନ, ଗରିବ କଲ୍ୟାଣ ହେଉଛି ବିଜେପିର ସରକାରର ଭାବନା । କୋଭିଡ୍ ମହାମାରୀ ସମୟରେ ସାରା ବିଶ୍ୱର ଅନେକ ବିକଶିତ ଦେଶ ଏହି ମହାମାରୀକୁ ସାମ୍ନା କରିପାରିନଥିବା ବେଳେ ଭାରତ ପାରଦର୍ଶିତା ସହିତ କୋଭିଡ୍ର ମୁକାବିଲା କରିପାରିଥିଲା । ପ୍ରଥମ ଥର ପାଇଁ ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ କୋଭିଡ୍ ଟୀକା ପ୍ରସ୍ତୁତ କରିପାରିଥିଲା । ୧୪୦କୋଟି ଜନସଂଖ୍ୟାର ଦେଶରେ ଟୀକାକରଣ ଅଭିଯାନ ସଫଳତାର ସହ ହୋଇପାରିଛି । ଟୀକାକରଣ ଅଭିଯାନରେ ଭାରତ ବ୍ୟବହାର କରିଥିବା ଜ୍ଞାନ କୌଶଳକୁ ଗ୍ରହଣ କରି ବିଶ୍ୱର ଅନେକ ଦେଶରେ ଟୀକାକରଣ ହୋଇଛି । କୋଭିଡ୍ ସମୟରେ ଦେଶରେ ୨୨୦କୋଟି ଡୋଜ୍ ମାଗଣା ଟୀକା ଦିଆଯାଇଛି । ୯ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ ୩କୋଟି ୫୦ଲକ୍ଷ ଘର ପକ୍କା ଘର ନିର୍ମାଣ ହୋଇଛି ସେଥିରୁ ୬୫ପ୍ରତିଶତ ମହିଳାଙ୍କୁ ମିଳିଛି । ମହିଳାଙ୍କୁ ମିଳିଛି ସମ୍ମାନ, ସ୍ୱଚ୍ଛ ଭାରତ ଯୋଜନାରେ ୧୧କୋଟି ୭୨ଲକ୍ଷ ପରିବାରକୁ ମିଳିଛି ଶୌଚାଳୟ । ଟ୍ୟାପ୍ ଯୋଗେ ପିଇବା ପାଣି ଯୋଗାଇଦେବା ପାଇଁ ମୋଦି ସରକାର ଜଳଜୀବନ ମିଶନ ମାଧ୍ୟମରେ ୧୨କୋଟିରୁ ଅଧିକ ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ସୁବିଧା କରାଇଛନ୍ତି । ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ୯କୋଟି ୬୦ଲକ୍ଷରୁ ଅଧିକ ପରିବାରକୁ ମିଳିଛି ମାଗଣା ଗ୍ୟାସ୍ ସଂଯୋଗ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦କୋଟି ପରିବାରଙ୍କୁ ମାସକୁ ମିଳୁଛି ମୁଣ୍ଡ ପିଛା ୫କିଲୋ ଖାଦ୍ୟାନ୍ନ । ଆୟୁଷ୍ମାନ ଭାରତ ଯୋଜନାରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିସôା ସହାୟତା ମିଳୁଛି । ମହିଳା ଓ ବାଳିକା ମାନଙ୍କୁ ୧ଟଙ୍କାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଉଛି । ୯ହଜାର ୩୦୦ରୁ ଅଧିକ ଜନୌଷଧି କେନ୍ଦ୍ରରେ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ ମିଳୁଛି । ୮ବର୍ଷ ଭିତରେ ଥରେ ବି ସାର ଦର ବୃଦ୍ଧି କରାଯାଇନାହିଁ । ପିଏମ କିଷାନ ଯୋଜନାରେ ବର୍ଷକୁ ଚାଷ କାମରେ ସହାୟତା ପାଇଁ ଚାଷୀଙ୍କ ମୁଣ୍ଡ ପିଛା ୬ହଜାର ଟଙ୍କାର ସହାୟତା ମିଳୁଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅର୍ଥନୈତିକ ଅନଗ୍ରସର ବା ଇଡବ୍ଲୁ୍ୟଏସ୍ ମାନଙ୍କୁ ୧୦ପ୍ରତିଶତ ସଂରକ୍ଷଣ ସୁବିଧା ଆରମ୍ଭ କରାଯାଇଛି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି ।
ମୋଦି ସରକାରଙ୍କ ଏହି ୯ବର୍ଷ ଶାସନରେ ଦେଶରେ ଭିତିଭୂମି ନିର୍ମାଣ କ୍ଷେତ୍ରରେ ଅନେକ ମାଇଲଖୁଂଟ ସ୍ଥାପିତ ହୋଇଛି । ଦେଶରେ ରେଳସେବାରେ ଆଧୁନିକରଣ, ନୂଆ ରେଳ ଲାଇନ ନିର୍ମାଣ, ରେଳ ଷ୍ଟେସନର ଆଧୁନିକରଣ ନୂଆ ଶିଖରକୁ ଛୁଇଁଛି । ୨୦ଟି ବନେ୍ଦ ଭାରତ ଟ୍ରେନ୍ ଚାଲୁ ହୋଇସାରିଥିବା ବେଳେ ୪୦୦ଟି ବନେ୍ଦ ଭାରତ ଟ୍ରେନ୍ ଚାଲିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ୭୪ ନୂଆ ବିମାନ ବନ୍ଦର ପ୍ରତିଷ୍ଠା ହୋଇଛି । ୯ବର୍ଷ ଭିତରେ ୫୩,୮୬୮ କିମି ନୂଆ ଜାତୀୟ ରାଜପଥ ନିର୍ମାଣ ହୋଇଛି । ୯ବର୍ଷ ଭିତରେ ୧୫ଟି ନୂଆ ସହରରେ ମେଟ୍ରୋ ଟ୍ରେନ୍ ଚାଲିବା ସହ ୮୬୦ କିମି ମେଟ୍ରୋ ଲାଇନ ନିର୍ମାଣ ହୋଇଛି । ଅମ୍ବୃତ ଭାରତ ଷ୍ଟେସନ ସ୍କିମରେ ୧୨୭୫ଟି ରେଳ ଷ୍ଟେସନର ଆଧୁନିକରଣ ହୋଇଛି । ସ୍ୱାସ୍ଥ୍ୟ ସେବା ବିକାଶରେ ମୋଦି ସରକାର ଅନେକ ବଡ ପଦକ୍ଷେପ ନେଇଛନ୍ତି ଯଥା ୯ବର୍ଷରେ ୭୦୦ ନୂଆ ମେଡିକାଲ କଲେଜ ସ୍ଥାପନା, ୧୫ଟି ନୂଆ ଏମ୍ସ ସ୍ଥାପନା, ୬୯ହଜାର ୬୬୩ଟି ନୂଆ ଏମବିବିଏସ୍ ସିଟ୍ ବୃଦ୍ଧି କରାଯାଇଛି । ୯ବର୍ଷରେ ୭ଟି ନୂଆ ଆଇଆଇଟି ଓ ୭ଟି ନୂଆ ଆଇଆଇମ ପ୍ରତିଷ୍ଠା ହୋଇଛି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି ।
ଦେଶରେ ଡିଜିଟାଲ ଇଣ୍ଡିଆ ସଫଳ ହୋଇଛି । ନୂଆ ଟେକ୍ନୋଲିଜି ଆଧାରରେ ଡିଜିଟାଲ ଟ୍ରାନ୍ଜାକ୍ସନ୍ ଲୋକାଦୃତ ହୋଇଛି, ଶିକ୍ଷା, ସ୍ୱାସ୍ଥ୍ୟ, ଜନସେବାରେ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ବଢିଛି । ବିଶ୍ୱରେ ଭାରତ ମୋବାଇଲ ହ୍ୟାଣ୍ଡ୍ସେଟ୍ ମାନୁଫେକ୍ଚରିଂରେ ଦ୍ୱିତୀୟ ସ୍ଥାନରେ ଅଛି । ଦେଶରେ ନୂଆ ଉଦ୍ୟମି ବୃଦ୍ଧି ପାଇଛି । ୧୦୦ରୁ ଉଦ୍ଧ୍ୱର୍ ୟୁନିକର୍ଣ୍ଣ, ୧ଲକ୍ଷରୁ ଅଧିକ ଷ୍ଟାଟ୍ଅପ୍ କମ୍ପାନୀ ସ୍ଥାପିତ ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ୪ଦଶନ୍ଧି ପରେ ଦେଶରେ ନୂଆ ଶିକ୍ଷା ନୀତି ପ୍ରଣୟନ ହୋଇଛି । ଭାରତର କ୍ରୀଡା କ୍ଷେତ୍ରରେ ବିକାଶ ହୋଇଛି ଓ ବିଶ୍ୱସ୍ତରୀୟ ଖେଳ ପ୍ରତିଯୋଗିତାରେ ଭାରତର ପ୍ରଦର୍ଶନ ବହୁତ ବଢିଛି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି ।
ମୋଦି ସରକାର ଦେଶର ଐତିହ୍ୟ ଓ ସଂସ୍କୃତି ପୁନରୁଦ୍ଧାର କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ହାତକୁ ନେଇଛନ୍ତି । ପର୍ଯ୍ୟଟନ ବିକାଶ ଏବଂ ଐତିହ୍ୟ ସୁରକ୍ଷା ଓ ପୁନରୁଦ୍ଧାର ସରକାରଙ୍କ ମୂଳ ଏଜେଣ୍ଡାରେ ଅଛି । ମହାକାଳ କରିଡର୍, କାଶୀ ବିଶ୍ୱାନାଥ କରିଡର୍, କର୍ତାରପୁର କରିଡର୍, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ସ୍ଥାପନା ଦେଶର ଐତିହ୍ୟ ଓ ସଂସ୍କୃତିର ପୁନରୁଦ୍ଧାର ଦିଗରେ ବଡ ପଦକ୍ଷେପ ଯାହା ଏହି ସରକାର ସମୟରେ ହୋଇଛି । ଦେଶର ଅଖଣ୍ଡତା ପ୍ରତି ଆହ୍ୱାନ ସୃଷ୍ଟି କରିଥିବା ଧାରା ୩୭୦କୁ ଜାମ୍ମୁ କାଶ୍ମୀରରୁ ଉଚ୍ଛେଦ କରାଯାଇଛି । ଉତର-ପୂର୍ବ ଭାରତ ବିକାଶରେ ଆଗରୁ କଂଗ୍ରେସ ଧ୍ୟାନ ଦେଉନଥିଲା ବର୍ତମାନ ମୋଦି ସରକାର ଉତର-ପୂର୍ବରେ ନୂଆ ବିମାନ ବନ୍ଦର, ନୂଆ ଜାତୀୟ ରାଜପଥ ଏବଂ ନୂଆ ବ୍ରିଜ ନିର୍ମାଣ କରିଛନ୍ତି । ଉତର-ପୂର୍ବ ଭାରତରେ ଥିବା ଆଭ୍ୟନ୍ତରଣୀୟ ବିଶୃଙ୍ଖଳାର ପରିସମାପ୍ତି ଘଟିଛି ଏବଂ ଶାନ୍ତି ପ୍ରତିଷ୍ଠା ହୋଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ରୋକ୍ ଲାଗିପାରିଛି । ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ସର୍ଜିକାଲ ଏୟାର ଷ୍ଟ୍ରାଇକ ହୋଇଛି । ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସୀମାବର୍ତି ଅଂଚଳରେ ରାସ୍ତା ଏବଂ ବ୍ରିଜ୍ ନିର୍ମାଣ ହୋଇଛି । ବିଶ୍ୱରେ ଯେଉଁଠି ଭାରତର ନାଗରିକ ମାନେ ଅସୁରକ୍ଷିତ ହୋଇଛନ୍ତି ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ସିରିଆ, ଅଫଗାନିସ୍ଥାନ ଭଳି ଦେଶରୁ ବିପଦ ସମୟରେ ୨୦ହଜାରରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି । କୋଭିଡ୍ ସମୟରେ ୨କୋଟି ୯୭ଲକ୍ଷ ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଅଣାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଡି. ପୁରନେ୍ଦଶ୍ୱରୀ, ଛତିଶଗଡ ରାଜ୍ୟ ବିରୋଧୀ ଦଳ ନେତା ଧରମ୍ଲାଲ୍ କୌଶିକ୍, ସାଂସଦ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here