ସମବାୟ ସମିତି ସମ୍ପାଦକଙ୍କ ଆନ୍ଦୋଳନ : ସାନଖେମୁଣ୍ଡିରେ ସମବାୟ ସେବା ବ୍ୟାହତ

0
158

ସାନଖେମୁଣ୍ଡି ,୦୬/୦୬/୨୦୨୩: ରାଜ୍ୟ ସମବାୟ କର୍ମଚାରୀ ମହାସଂଘର ଆହ୍ଵାନ କ୍ରମେ ସମବାୟ ସମିତି ସମ୍ପାଦକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବାବେଳେ ଏହା ସାନଖେମୁଣ୍ଡିର ଅଞ୍ଚଳ ଚାଷୀଙ୍କୁ ସମବାୟ ସେବା ପ୍ରଦାନ କ୍ଷେତ୍ରକୁ ପ୍ରଭାବିତ କରିଛି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ୧୮ ଗୋଟି ସେବା ସମବାୟ ସମିତି ସହ ଦିଗପହଣ୍ଡି ବ୍ଲକର ତିନି ଗୋଟି ସହ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପାଟପୁର ଶାଖା ଆଧିନ ୨୧ ଗୋଟି ସେବା ସମବାୟ ସମିତିରେ ତାଲା ପଡ଼ିବା କାରଣରୁ ଚାଷୀଙ୍କୁ ଖରିଫ ଋଣ ପ୍ରଦାନ ଏବଂ ବିହନ ଓ ସାର ଯୋଗାଣ ନେଇ ଚାଲୁ ରହିଥିବା କମ୍ପ୍ୟୁଟର ତଥ୍ୟ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
ସୂଚନା ପ୍ରକାରେ ସେବା ସମବାୟ ସମିତି କର୍ମଚାରୀଙ୍କୁ କ୍ୟାଡ଼ର ଭୁକ୍ତ କରିବା , କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଅନ୍ତର୍ଭୁକ୍ତ କରିବା , କର୍ମଚାରୀଙ୍କ ବେତନ ବାବଦକୁ ସରକାର ୩୦୦ କୋଟିର ବାର୍ଷିକ ବଜେଟ କରିବା , ଚାଷୀଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ସବସିଡି ଅର୍ଥକୁ ଚାଷୀଙ୍କ ସମିତି ସଞ୍ଚୟ ଜମାଖାତାରେ ପୈଠ କରିବା ଆଦି ପ୍ରମୁଖ ଦାବୀ ନେଇ ସମବାୟ ସମିତି ସମ୍ପାଦକମାନେ ଶାନ୍ତିପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରଖିଛନ୍ତି । ସେବା ସମବାୟ ସମିତି ସଂପାଦକଙ୍କ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ଦିନରେ ଚାଷୀଙ୍କ ସମାଜ ବୀମା ସୁବିଧାରେ କ୍ଷତି ପହଞ୍ଚାଇବା ଥୟ ହୋଇଅଛି । ରାଜ୍ୟ ସମବାୟ ବିଭାଗ ତଥା ରାଜ୍ୟ ସରକାର ସମବାୟ କର୍ମଚାରୀ ମହାସଂଘର ଦାବିକୁ ତୁରନ୍ତ ପୂରଣ କରିବାକୁ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ୍ ପାଟପୁର ଶାଖା ସମିତି ସମ୍ପାଦକଙ୍କ ପକ୍ଷରୁ ସଭାପତି ଶିବରାମ ମହାକୁଡ଼ , ସମ୍ପାଦକ ନାରାୟଣ ରାଉଳ , ବିପିନ ବିହାରୀ ଷଡ଼ଙ୍ଗୀ , ଅଚ୍ୟୁତାନନ୍ଦ ଦାଶ , ସିମାଞ୍ଚଳ ସାହୁ ପ୍ରମୁଖ ସରକାରଙ୍କ ଠାରେ ଅପିଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here