ବ୍ରହ୍ମପୁର, ୧୧/୦୬/୨୦୨୩ : ଓଡ଼ିଆ ଭାଷା-ସାହିତ୍ୟର ଅଧ୍ୟାପକମାନେ ପ୍ରତିଟି ଅବକାଶରେ ନୂଆ ନୂଆ ଉପାୟ ପ୍ରସ୍ତୁତ କରିବା ଆବଶ୍ୟକ l ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଆ ଅଧ୍ୟାପକମାନେ ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମ ଶିକ୍ଷାଦାନ ସମ୍ପର୍କରେ ସଚେତନ ହେବା ସହ ଭାଷିକ ଦକ୍ଷତା ଅର୍ଜନ ଦିଗରେ ପ୍ରୟାସ କରନ୍ତୁ ! ଏହା ସହିତ ବିଦ୍ୟାର୍ଥୀ, ବିଦ୍ୟାର୍ଥିନୀଙ୍କୁ ବହୁମୁଖୀ ଧାରା ସହିତ ପରିଚିତ କରାଇବା ଓଡ଼ିଆ ଅଧ୍ୟାପକଙ୍କ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ଶାନ୍ତି ନିକେତନ ବିଶ୍ୱଭାରତୀ ଓଡ଼ିଆ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର୍ ଗିରିବାଳା ମହାନ୍ତି ମତବ୍ୟକ୍ତ କରିଛନ୍ତି l
ଗୋପାଳପୁର ବେଳାଭୂମି ସଂଲଗ୍ନ ଗୋପାଳପୁର ମହାବିଦ୍ୟାଳୟ ପରିସରରେ ଏକ ସୌନ୍ଦର୍ଯ୍ୟମୟ ଭବ୍ୟ ବାତାବରଣ ମଧ୍ୟରେ ଆୟୋଜିତ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ତ୍ରିଦିବସୀୟ ଜାତୀୟ ସମ୍ମିଳନୀ ଓ କର୍ମଶାଳାର ଆଜି ଥିଲା ଅନ୍ତିମ ଦିବସ l ତୃତୀୟ ଦିନର ପ୍ରଥମ ବୈଷୟିକ ଅଧିବେଶନରେ ‘ଓଡ଼ିଆ ଅଧ୍ୟାପନା ଓ ପାଠଦାନ ଶୈଳୀରେ ସର୍ଜନଶୀଳତା’ ଏବଂ ‘ଓଡ଼ିଆ ଅଧ୍ୟାପକଙ୍କ ପାଠଦାନ ବିକାଶ ଦକ୍ଷତା’ ଶୀର୍ଷକ ମିଳିତ କର୍ମଶାଳାରେ ବିଷୟ ବିଶାରଦ ଭାବେ ଚର୍ଚ୍ଚା ଆରମ୍ଭ କରି ପ୍ରଫେସର୍ ଗିରିବାଳା ମହାନ୍ତି କହିଥିଲେ, କେବଳ ଶ୍ରେଣୀକକ୍ଷ ଶିକ୍ଷାଦାନ ନୁହେଁ, ଭ୍ରମଣ ମାଧ୍ୟମରେ ଏବଂ ପ୍ରକୃତି ତଥା ନାନା ପରିବେଶରେ ବିଦ୍ୟାର୍ଥୀଙ୍କ ଜ୍ଞାନ ଆହରଣ ଦିଗରେ ଓଡ଼ିଆ ଅଧ୍ୟାପକମାନେ ଯତ୍ନଶୀଳ ହେବା ଆବଶ୍ୟକ l ଓଡ଼ିଆ ଅଧ୍ୟାପକମାନେ ଅନ୍ୟ ଭାଷା ପାଖରେ ଆମ ଭାଷାର ସାହିତ୍ୟକୁ ପହଞ୍ଚାଇବା ଦିଗରେ ପ୍ରୟାସ କରନ୍ତୁ ବୋଲି ପ୍ରଫେସର୍ ମହାନ୍ତି କହିଥିଲେ l
ଯୁବ ଅଧ୍ୟାପକ ହୃଷୀକେଶ ମହାଖୁରଙ୍କ ସଂଯୋଜନାରେ ସଂଚାଳିତ ଏହି କର୍ମଶାଳାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ଆଲୋଚକ ରୂପେ ଯୋଗଦେଇ ଓଡ଼ିଆ ଅଧ୍ୟାପକମାନେ ବହୁ-ବିଷୟ ଅବଗାହୀ ହେବା ସହ ଅତି କମ୍ ରେ ଓଡ଼ିଆ, ସଂସ୍କୃତ, ହିନ୍ଦୀ ଓ ଇଂରାଜୀ ଭାଷାରେ ସମଦକ୍ଷତା ଅର୍ଜନ କରିବା ସହ ଶ୍ରେଣୀକକ୍ଷରେ ସ୍ୱଚ୍ଛତା, ଶାଳୀନତା ଓ ରୁଚିଶୀଳତା ପ୍ରତି ଯତ୍ନବାନ୍ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟତମ ଆଲୋଚକ ରୂପେ ଶାନ୍ତି ନିକେତନ ବିଶ୍ୱଭାରତୀ ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡ. ଶରତ କୁମାର ଜେନା ଓଡ଼ିଆ ଅଧ୍ୟାପନାରେ ଦୃଶ୍ୟ-ଶ୍ରାବ୍ୟ ବିଦ୍ୟୁତ୍ ସଂବାହୀ ସାଧନ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରିବା ସଂଗେ ସଂଗେ ବକ୍ତବ୍ୟରେ ଦୃଢ଼ତା ପ୍ରଦର୍ଶନ ଅଧ୍ୟାପକଙ୍କ ଲକ୍ଷ୍ୟ ହେବା ଉଚିତ୍ ବୋଲି କରିଥିଲେ l
ଉଦଯାପନୀ ଉତ୍ସବରେ ସଂଗୋଷ୍ଠୀର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ପୌରୋହିତ୍ୟ କରି ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ଆଗାମୀ ସ୍ୱପ୍ନ ଓ ପରିଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏହି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ବିଶିଷ୍ଟ ନାଟ୍ୟକାର ମେଜର୍ ରମାରମଣ ପାଢ଼ୀ ମୁଖ୍ୟଅତିଥି, ବିଶ୍ୱଭାରତୀ ଭାଷା ଭବନର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୈଳାସ ପଟ୍ଟନାୟକ ମୁଖ୍ୟବକ୍ତା, ଭଞ୍ଜ ସାହିତ୍ୟର ବିଶିଷ୍ଟ ଆଲୋଚକ ପ୍ରଫେସର୍ ବାଉରିବନ୍ଧୁ ସାହୁ ଓ ଡ. ବନମାଳୀ ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ବକ୍ତବ୍ୟ ପ୍ରଦାନ କରି ଏହି ଜାତୀୟ ଅଧିବେଶନରେ ଚର୍ଚ୍ଚିତ ବିଭିନ୍ନ ପ୍ରସଙ୍ଗର ଉପଯୋଗିତା ବିଷୟରେ ଅଲୋକପାତ କରିଥିଲେ l ପ୍ରଫେସର୍ କଇଳାଶ ପଟ୍ଟନାୟକ ଓଡ଼ିଆ ଅଧ୍ୟାପକଙ୍କ ଆଚରଣ, ଉଚ୍ଚାରଣ, ଆହରଣଶୀଳତା, ବକ୍ତବ୍ୟରେ ସ୍ପଷ୍ଟତା, ତତ୍ତ୍ୱ ଓ ତଥ୍ୟ ବ୍ୟାଖ୍ୟାନରେ ଉନ୍ମୁଖତା ବିଷୟରେ ମାର୍ଗଦର୍ଶନ କରିଥିଲେ lକର୍ମଶାଳାରେ ଅଂଶଗ୍ରହଣ କରିଥିବା ଅଧ୍ୟାପକ, ଅଧ୍ୟାପିକାଙ୍କୁ ଏହି ଅବସରରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଏଭଳି ଭବ୍ୟ ଆୟୋଜନ ଅବକାଶରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ଡ. ସୁବ୍ରତ କୁମାର ସାହୁ ଓ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲଵ ଶେଷ ଅଧିବେଶନରେ ଉପସ୍ଥିତ ହୋଇ ଉପାୟନ ଓ ପ୍ରଶସ୍ତିପତ୍ର ପ୍ରଦାନ ପୂର୍ବକ ସଂଗୋଷ୍ଠୀର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବକାଶରେ ଡ. ଶରତ କୁମାର ଜେନାଙ୍କ ଦ୍ୱାରା ଲିଖିତ ‘ବିମୁଗ୍ଧ ଗଳ୍ପ ବିମର୍ଶ’ ଶୀର୍ଷକ ପୁସ୍ତକ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା।କର୍ମଶାଳା ରେ ଅଂଶଗ୍ରହଣ କରିଥିବା ଓଡ଼ିଆ ଅଧ୍ୟାପକମାନଙ୍କ ମଧ୍ୟରୁ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସଂଯୋଜିକା ଡ. ସୁନୀତି ଦେବୀ, ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, ଡ. ନଳିନୀ କୁମାର ପାଣିଗ୍ରାହୀ, ଡ. ରମେଶ ପ୍ରଧାନ, ଡ. ଅଶୋକ କୁମାର ପଣ୍ଡା, ଡ. ବବିତାରାଣୀ ପଟ୍ଟନାୟକ, ଡ. କିଶୋର ଚନ୍ଦ୍ର ସାହୁ, ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଡ. ପ୍ରସନ୍ନ କୁମାର ବିଷୋୟୀ, ଡ. ବିଶ୍ୱେଶ୍ୱର ଆଚାର୍ଯ୍ୟ, ଅଧ୍ୟାପିକା ସଂଯୁକ୍ତା ପଣ୍ଡା, ଡ. ନଳିନୀପ୍ରଭା ଦାସ, ଅଧ୍ୟାପକ ସଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ନିଜ ନିଜର ଅନୁଭୂତି ଓ ଉପଲବ୍ଧି ବର୍ଣ୍ଣନା କରିଥିଲେ l ଡ. ହୃଷୀକେଶ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଡ. କୃଷ୍ଣପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ରାମ ପ୍ରସାଦ ପଣ୍ଡା, ଡ.ଲମ୍ବୋଦର ପାଣିଗ୍ରାହୀ, ଅନୁପ କୁମାର ମିଶ୍ର ଓ ନଳିନୀକାନ୍ତ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ l
Home ବ୍ରହ୍ମପୁର ସ୍ପେଶାଳ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ ଜାତୀୟ କର୍ମଶାଳା ସମାହିତ। ବହୁମୁଖୀ ଧାରା ସହିତ ବିଦ୍ୟାର୍ଥୀଙ୍କୁ ପରିଚିତ କରାଇବା...





