ଜିଲ୍ଲା ସ୍ତରରେ ଆନ୍ତର୍ଜାତୀୟ ନିଶା ଓ ବେଆଇନ୍ କାରବାର ନିବାରଣ ଦିବସ ପାଳିତ “ନିଶା ଦ୍ରବ୍ୟକୁ ନାଁ, ସୁସ୍ଥ ଜୀବନକୁ ହଁ “

0
56

ଛତ୍ରପୁର,୨୬/୦୬/୨୦୨୩ :ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ନିଶା ଓ ବେଆଇନ୍ କାରବାର ନିବାରଣ ଦିବସ ସୋମବାର ଦିନ ପାଳିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ୟାଣ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ସହଯୋଗକ୍ରମେ ଜିଲ୍ଲା ସ୍ତରରେ ଏହି ସଚେତନତା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରୁ ବାହାରିଥିବା ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାଟି ଛତ୍ରପୁର ସହର ପରିକ୍ରମା ଶେଷ କରି ଜିଲ୍ଲା ସଂସ୍କୃତି ଭବନ ଠାରେ ପହଞ୍ଚି ଥିଲା । ସେହି ଠାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅତିଥିଗଣ ନିଜ ବକ୍ତବ୍ୟରେ ନିଶା ସେବନ ଓ ବେଆଇନ କାରବାର ଯୋଗୁଁ କେଉଁ ସବୁ ପରିସ୍ଥିତି ଦେଖା ଦେଇଛି ଏବଂ ଏଥି ସକାଶେ ମଣିଷର କେଉଁ କ୍ଷତି ସାଧନ ହୋଇଥାଏ ତାହା ଜଣାଇଥିଲେ । ନିଶା ସେବନ ଦ୍ବାରା ମଣିଷ ନିଜର ପରିବାରର ତଥା ସମାଜର କ୍ଷତି ସାଧନ କରିଥାଏ । ନିଶା ସେବନ ମଣିଷର ମାନସିକ, ଶାରିରୀକ, ପାରିବାରିକ ତଥା ଦେଶ ଦଶର କ୍ଷତି ସାଧନ କରିଥିବା ବକ୍ତାଗଣ ଜଣାଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କଲ୍ୟାଣୀ ଦାଶ ନିଜ ବକ୍ତବ୍ୟରେ ଜିଲ୍ଲାରେ ନିଶା ନିବାରଣ ତଥା ନିଶାସକ୍ତ ବ୍ୟକ୍ତି ମାନଙ୍କର ଥଇଥାନ, କଲ୍ୟାଣ ଓ ସୁରକ୍ଷା ନିମନ୍ତେ କେଉଁ ସବୁ କାର୍ଯ୍ୟପନ୍ଥା କରାଯାଇ ଆସୁଅଛି ତାହା ଜଣାଇ ସମାଜରେ ନିଶା କାରବାର ଦ୍ବାରା କେଉଁସବୁ ଅସୁବିଧା ଦେଖାଯାଉଛି ତାହା ଜଣାଇଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ନିଜ ବକ୍ତବ୍ୟରେ ନିଶା ସେବନ ଦ୍ବାରା ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ଦ୍ବାରା ପରିବାର, ସମ୍ପ୍ରଦାୟ ଓ ଜନ ସମାଜରେ କିଭଳି ପ୍ରଭାବ ପଡୁଛି ତାହା ଜଣାଇ ନିଶା ଦ୍ରବ୍ୟଠାରୁ ନିଜକୁ ଦୂରରେ ରଖି ସୁସ୍ଥ ମଣିଷ ପରି ବଞ୍ଚିବାକୁ କହିଥିଲେ । କାଲିର ଭବିଷ୍ୟତ ଯୁବପିଢୀଙ୍କୁ ସଜାଗ ରହିବାକୁ ପ୍ରବର୍ତ୍ତାଇ ଥିଲେ । ବି ବାଳକୃଷ୍ଣ ନିଶାର ପ୍ରଭାବ ଓ ନିରାକରଣ ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ରାଜଯୋଗିନୀ ବିଜୟ ଲକ୍ଷ୍ମୀ ନିଶା ସେବନ ଠାରୁ ଦୂରରେ ରହିବା ସକାଶେ ଈଶ୍ବର ବିଶ୍ବାସୀ ହେବାକୁ କହିଥିଲେ । ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶ ନିଶା ଦ୍ରବ୍ୟର ଚୋରା ଚାଲାଣ ରୋକିବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇ ଧନ୍ୟବାଦ ଉପସ୍ଥାପନ କରିଥିଲେ । ୟୁରୋକିଡସ୍ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଚେତନତାମୂଳକ ଏକାଙ୍କିକା ପ୍ରଦର୍ଶିତ ହୋଇଥିଲା ଏବଂ ପରେ ଦାସକାଠିଆ ପରିବେଷଣ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଜିଲ୍ଲା ସ୍ତରର ବିଭିନ୍ନ ବିଦ୍ୟାଳୟର ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଜିଲ୍ଲା ଅବକାରୀ ବିଭାଗୀୟ କର୍ମକର୍ତ୍ତା, ଅଧିକାରୀ ଏବଂ ସମାଜ କଲ୍ୟାଣ ବିଭାଗର କର୍ମକର୍ତ୍ତା ଅଧିକାରୀଗଣ ଶୋଭାଯାତ୍ରା ଓ ସଭାକାର୍ଯ୍ୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here