ରେଭେନ୍ସା ମହାବିଦ୍ୟାଳୟ ଜମି ପ୍ରସଙ୍ଗ।ରେଭେନ୍ସାକୁ ଧ୍ୱଂସ କରିବା ପାଇଁ ବିଧିବଦ୍ଧ ଷଡଯନ୍ତ୍ର ଆରମ୍ଭ କରିଛନ୍ତି ରାଜ୍ୟ ସରକାର: ସତ୍ୟବ୍ରତ ପଣ୍ଡା

0
153

ଭୁବନେଶ୍ୱର,୨୬/୦୬/୨୦୨୩: ରାଜ୍ୟର ୫-ଟି ସଚିବଙ୍କ ଚେଲାଚାମୁଣ୍ଡା ଓ ଅଣଓଡ଼ିଆଙ୍କ ପାଇଁ ଭୁବନେଶ୍ୱରରେ ହୋଟେଲ, ମଦବାର କରିବାକୁ ସଂପୂର୍ଣ୍ଣ ମାଲିକାନାରେ ଜମି ଦିଆଯାଉଛି । ଅଥଚ ଓଡ଼ିଶା ଜାତିର ବୌଦ୍ଧିକ ବିକାଶର ମେରୁଦଣ୍ଡ ତଥା ଓଡ଼ିଆ ଅସ୍ମିତାର ମୁଖଶାଳା କୁହାଯାଉଥିବା ୧୮୬୮ ମସିହାରେ ନିର୍ମିତ ହୋଇଥିବା ରେଭେନ୍ସା ମହାବିଦ୍ୟାଳୟ ନାଁରେ ଇଂଚେ ହେଲେ ଜମି ନାହିଁ । ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି କିନ୍ତୁ ଏ ସରକାରରେ ବିଭାଗ ମଧ୍ୟରେ କୌଣସି ସମ୍ମନ୍ୱୟ ନାହିଁ । ଅନ୍ୟପକ୍ଷେ କଟକ ନରାଜ ନିକଟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ୧୨୭ଏକର ଜମି ଲିଜ୍‌ରେ ଦିଆଗଲା । ଆଶ୍ଚର୍ଯ୍ୟର ବିଷୟ ରାଜ୍ୟର ସର୍ବପୁରାତନ ରେଭେନ୍ସା ମହାବିଦ୍ୟାଳୟକୁ ମାଲିକାନା ନୁହେଁ ଲିଜ୍‌ରେ ଜମି ଯୋଗାଇ ଦିଆଯିବା ଅତ୍ୟନ୍ତ ଲଜ୍ଜା ଓ ପରିତାପର ବିଷୟ । ଓଡ଼ିଶାର ଇତିହାସ, ଐତିହ୍ୟ ପରମ୍ପରାର ଗୋଟିଏ ମୁକସାକ୍ଷୀ ରେଭେନ୍ସାକୁ ଧ୍ୱଂସ କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଷଡଯନ୍ତ୍ର ଆରମ୍ଭ କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପଣ୍ଡା କହିଛନ୍ତି ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଜମି ଆଜି ଜବରଦଖଲକାରୀଙ୍କ କବଜାରେ । ଜୋବ୍ରାଠାରେ ନିଜ ଜମି ଥିବା ସତ୍ୱେ ଯୁକ୍ତ ୨ କଲେଜ ପାଇଁ ପୁରୁଣା କ୍ୟାଂପସରୁ ୨ ଏକର ଜମି ଯୋଗାଇ ଦିଆଯାଇଛି । ଛତ୍ରବଜାରରେ ପରିବା ଦୋକାନ କରିବା ପାଇଁ ରେଭେନ୍ସା କଲେଜର ୧.୭୬ଏକର ଜମି ଦିଆଯାଇଛି । ରେଭେନ୍ସାର ଗୋଟିଏ ଏକର ଜମି ପବ୍ଲିକ ହେଉଥ୍ ବିଭାଗକୁ ଦିଆଯାଇଛି । ଆବଶ୍ୟକ ହେଲେ ଆଗାମୀ ଦିନରେ ରାଜ୍ୟ ସରକାର ରେଭେନ୍ସା କଲେଜର ଅନ୍ୟ ଜମିକୁ ଅନ୍ୟାନ୍ୟ କାର୍ଯ୍ୟପାଇଁ ହସ୍ତାନ୍ତର ନକରିବେ ତାର କୌଣସି ଗ୍ୟାରେଂଟି ମଧ୍ୟ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଦ୍ୱିତୀୟ କ୍ୟାଂପସ ପାଇଁ ଲିଜ୍ ସୁତ୍ରରେ ମିଳିଥିବା ନରାଜ ମିକଟସ୍ଥ ୧୨୭ ଏକର ଜମି ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ବାର୍ଷିକ ୧୪ ଲକ୍ଷ ଟଙ୍କା ଖଜଣା ବାବଦରେ ଦେବାକୁ ପଡୁଛି । ଏହା ଜାଣିପାରି ରାଜ୍ୟ ସରକାର ଷଡଯନ୍ତ୍ର ରଚି ଏହି ଜମିକୁ ଉଚ୍ଚ ଶିକ୍ଷା ବିଭାଗ ହାତକୁ ଟେକି ଦେବାର ମସୁଧା କରୁଛନ୍ତି । ଏହା ଦ୍ୱାରା ବାସ୍ତବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାଂପସ ପ୍ରତିଷ୍ଠା ଉପରେ ବିରାଟ ସନ୍ଦେହ ସୃଷ୍ଟି ହୋଇଛି । ରାଜ୍ୟ ସରକାର “ମୋ କଲେଜ” ଅଭିଯାନ ନାଁରେ ଛୋଟ ଛୋଟ କଲେଜକୁ ଜମି ପଞ୍ଜିକୃତ କରୁଛନ୍ତି କିନ୍ତୁ କାହିଁକି ରେଭେନ୍ସା କଲେଜର ଜମିକୁ ଲିଜ୍‌ରେ ଅଣାଯାଉଛି ? ବେଦାନ୍ତ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ଘରୋଇ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ଆଗଭର ହୋଇ ଜମି ଯୋଗାଇ ଦେଉଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ରାଜ୍ୟ ସରକାର କାହିଁକି ସମ୍ପୂର୍ଣ୍ଣ ମାଗଣା ଜମି ଦେଉନାହାନ୍ତି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
ଚଂଚକତାପୂର୍ଣ୍ଣ ଭାବେ ଉପସ୍ତାପିତ ହୋଇଥିବା ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ରେ ପ୍ରସ୍ତାବକୁ ପ୍ରତ୍ୟାହାର କରାଯାଉ । ରେଭେନ୍ସାର ସମ୍ମାନ ଓ ଐତିହ୍ୟକୁ ରାଜ୍ୟ ସରକାର ସୁରକ୍ଷିତ କରନ୍ତୁ । ରେଭେନ୍ସା ପ୍ରତି ଅବହେଳା ଓ ବୈମାତୃକ ମନୋଭାବ ପାଇଁ ଓଡ଼ିଶାବାସୀ ରାଜ୍ୟ ସରକାରଙ୍କୁ କେବେହେଲେ କ୍ଷମା ଦେବା ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ, ଶିକ୍ଷକ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here