ବ୍ରହ୍ମପୁର ବଡ ମେଡିକାଲ କୁ ଏମ୍ସ ଲାଇକ ଅନୁଷ୍ଠାନ ରେ ପରିଣତ କରିବାକୁ ଓଡିଶା ଡେଭଲପମେଣ୍ଟ ଫୋରମ ର ଦାବି

0
184

ବ୍ରହ୍ମପୁର,୨୮/୦୭/୨୦୨୩:
ଅବହେଳିତ ବ୍ରହ୍ମପୁର ବଡ ମେଡିକାଲ ଏମକେସିଜି କୁ ଏମ୍ସ ଲାଇକ ଅନୁଷ୍ଠାନ ରେ ପରିଣତ କରିବାକୁ ବ୍ରହ୍ମପୁର ଉପ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ରେ ଓଡିଶା ଡେଭଲପମେଣ୍ଟ ଫୋରମ ର କାର୍ଯ୍ୟକର୍ତ୍ତା ଗତକାଲି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏହି ଦାବିପତ୍ରରେ କଟକ ଏସସିବି ପାଇଁ ରାଜ୍ୟ ସରକାର ୩୦୦୦ କୋଟି ଟଙ୍କାର ବିକାଶ ଯୋଜନା କୁ କାର୍ଯ୍ୟକାରୀ କରୁଥିବା ବେଳେ ଏମକେସିଜି ବ୍ରହ୍ମପୁର କୁ କିପରି ଅବହେଳିତ କରି ରଖିଛନ୍ତି ତାହା ଉଲ୍ଲେଖ କରାଯାଇଛି। ଦକ୍ଷିଣ ଓଡ଼ିଶାର ଏକ ମାତ୍ର ରେଫରାଲ୍ ହସ୍ପିଟାଲ ଏମକେସିଜି ର ନୂତନ କୋଠା ରୁ ବାରମ୍ବାର ସିଲିଂ ରୋଗୀଙ୍କ ବେଡ ଉପରେ ଖସି ପଡୁଥିଲେ ମଧ୍ୟ, ଝରଣା ଭଳି ପାଣି ନୂଆଁ କୋଠାରୁ ଝରୁଥିବା ବେଳେ ଓ ୬୦ ବର୍ଷର ପୁରୁଣା ଇନ୍ ଡୋର କୋଠା ଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ସରକାର ଏଥିପ୍ରତି ତିଳେ ମାତ୍ର ଦୃଷ୍ଟି ଦେଉନାହାଁନ୍ତି କାହିଁକି ବୋଲି ଫୋରମ୍ ପ୍ରଶ୍ନ କରିଛି।ଇନ୍ ଡୋର କୋଠାକୁ ୭ ବର୍ଷ ତଳୁ ଅସୁରକ୍ଷିତ ଘୋଷଣା କରାଯାଇଛି। କେବିବି ଏହି କୋଠା ଧରାଶାୟୀ ହେବ ଜନଜୀବନ ନଷ୍ଟ ହେବ କିନ୍ତୁ ଅନେକ ଦିନ ର ଦାବି ପରେ ମଧ୍ୟ ସରକାରଙ୍କ ଏଥି ପ୍ରତି ନିଘା ନାହିଁ।

ସେହିଭଳି ସବୁ ସରଞ୍ଜାମ ଥାଇ କାର୍ଡିଓଲଜୀ, ନେଫ୍ରୋଲଜୀ, ଅଙ୍କୋଲଜି, ଡେଣ୍ଟାଲ କ୍ୟାର, ବର୍ଣ୍ଣ ୟୁନିଟ ଭଳି ଅନେକ ବିଭାଗ କୁ କାର୍ଯ୍ୟକ୍ଷମ କରାଯାଉନାହିଁ। ବର୍ଷ ବର୍ଷ ତଳୁ କାମ ସରିଥିଲେ ମଧ୍ୟ ଆଇସିୟୁ ୟୁନିଟ କୁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ କାର୍ଯ୍ୟକ୍ଷମ କରାଯାଉ ନାହିଁ।

ହସ୍ପିଟାଲ ରେ ଅନେକ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ଟେକ୍ନିକାଲ ଷ୍ଟାଫ, ନର୍ସ ପଦ ଖାଲି ପଡିଥିବାରୁ ରୋଗୀସେବା ସମ୍ପୂର୍ଣ୍ଣ ବ୍ୟାହତ ହେଉଥିବା ବେଳେ ରାଜ୍ୟ ସରକାର କାହିଁକି ଏଥିପ୍ରତି ତିଳେ ମାତ୍ର ଦୃଷ୍ଟି ଦେଉନାହାନ୍ତି ବୋଲି ଓଡିଶା ଡେଭଲପମେଣ୍ଟ ଫୋରମ ର କାର୍ଯ୍ୟ କର୍ତ୍ତା ପ୍ରଶ୍ନ କରିଥିଲେ।ଏହା ସତ୍ତ୍ୱେ ଗଞ୍ଜାମ ଜିଲ୍ଲା ରୁ ପ୍ରତିନିଧିତ୍ବ କରୁଥିବା ନିଜେ ମୁଖ୍ୟମନ୍ତ୍ରୀ, 5-T ସଚିବ କାର୍ତ୍ତିକେୟ ପାଣ୍ଡିଆନ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସାଂସଦ,ବିଧାୟକ ଙ୍କ ଏଥିପାଇଁ ଚିନ୍ତା ନାହିଁ। ସ୍ବାସ୍ଥ୍ୟ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଓ ଗଞ୍ଜାମ ଜିଲ୍ଲାପାଳ ଙ୍କ ଏଠି ଦେଖା ନାହିଁ ।ଏମକେସିଜି ଅଧିକାରୀ କେବଳ ଘଣ୍ଟ ଘୋଡାଇବା ରେ ବ୍ୟସ୍ତ।

ତେଣୁ ଦକ୍ଷିଣ ଓଡ଼ିଶା ର ଏକ ମାତ୍ର ରେଫରାଲ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ର ଅବସ୍ଥା କୁ ସୁଧାରିବା ପାଇଁ ସରକାର ଏହାକୁ ତୁରନ୍ତ ଏମ୍ସ ଲାଇକ ଅନୁଷ୍ଠାନ ରେ ପରିଣତ କରିବାକୁ ଡେଭଲପମେଣ୍ଟ ଫୋରମ ଦାବି କରିଛି। ଏଠାରେ ଉଲ୍ଲେଖ ଯୋଗ୍ୟ କି କେନ୍ଦ୍ର ସରକାର ଦେଶର ଅନେକ ରାଜ୍ୟ ସ୍ତରର ହସ୍ପିଟାଲ କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଦେବାପାଇଁ ଗତ ଦିନରେ ଏମ୍ସ ଲାଇକ ଅନୁଷ୍ଠାନ ର ମାନ୍ୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ରାଜ୍ୟ ସରକାର କରୁଥିବା କ୍ରମାଗତ ଅବହେଳା ରୁ ଏହି ମେଡିକାଲ କଲେଜ ମୁକ୍ତି ପାଇବାସହ ଦକ୍ଷିଣ ଓଡ଼ିଶା ରେ ସ୍ବାସ୍ଥ୍ୟ ସେବା ର ଅବସ୍ଥା ସୁଧୁରି ପାରିବ ବୋଲି ଫୋରମ୍ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି।ଏହି ଦାବିପତ୍ର କୁ ଉପ ଜିଲ୍ଲାପାଳ ଙ୍କ ତରଫରୁ ଡେପୁଟି କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ରଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର ସଚିବ ଭି.ସୋମେଶ୍ୱର ରାଓ, ପ୍ରବୀଣ ପଟ୍ଟନାୟକ, ସହ ସଚିବ ମାନସ ରଞ୍ଜନ ପାତ୍ର, ସନ୍ତୋଷ କୁମାର ସାହୁ, କିରଣ କୁମାର ପଣ୍ଡା, ଏନ୍. ନୀଳମାଧବ ପାତ୍ର, ପ୍ରିତିଶ ପାଣିଗ୍ରାହୀ, ରମେଶ ଚନ୍ଦ୍ର ସାହୁ, ପ୍ରକାଶ ଭଜାନି ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here