ବିଦ୍ୟାଳୟ ପରିସରର ୩୫ ବର୍ଷର ୬ ବିଶାଳ ଶାଗୁଆନ ଗଛକୁ କାଟିଦେଲେ ସ୍କୁଲ କର୍ତ୍ତୃପକ୍ଷ : ଅଭିଯୋଗ ପରେ ବିପୁଳ କାଠଗଣ୍ଡିକୁ ଜବତ କଲା ବନ ବିଭାଗ

0
262

ବ୍ରହ୍ମପୁର , ୧୫/୦୮/୨୦୨୩ : ଏକ ଆଶ୍ଚର୍ଯ୍ୟ ଜନକ ଘଟଣା କ୍ରମରେ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟଳୟ ଅନ୍ତର୍ଗତ ସିଙ୍ଗିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୩୫ ବର୍ଷରୁ ଅଧିକ ସମୟର ୬ ଗୋଟି ବିଶାଳ ବିଶାଳ ଶାଗୁଆନ ଗଛକୁ ସ୍କୁଲ କର୍ତ୍ତୃପକ୍ଷ କାଟି ଦେଇଥିବା ଜଣା ପଡିଛି । ସ୍କୁଲ ପରିସରରେ ଥିବା ଏହି ଶାଗୁଆନ ଗଛର ଛାଇ ସହ ମନୋରମ ପରିବେଶ ନଷ୍ଟ ହେଉଥିବା ନେଇ ଗ୍ରାମବାସୀ ଏହାର ବିରୋଧ କରିଥିଲେ । ପରନ୍ତୁ ଗଛ କାଟିବା ଉଦ୍ଦେଶ୍ୟ ଏବଂ ବିଭାଗୀୟ ଅନୁମତି ନେଇ ସନ୍ଦିହାନ ହୋଇ ଚନ୍ଦ୍ରଗିରି ବନ ବିଭାଗ ରେଞ୍ଜ ଅଧିକାରୀଙ୍କ ପୋଡାମାରି କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଭିତ୍ତିରେ ବନ ବିଭାଗ ଅଧିକାରୀ ସିଙ୍ଗିପୁର ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ କଟା ଯାଇଥିବା ପ୍ରାୟ ୩୦ ରୁ ଉର୍ଦ୍ଧ ଦୁର୍ମୂଲ୍ୟ ଶାଗୁଆନ କାଠଗଣ୍ଡିକୁ ଜବତ କରିଛନ୍ତି । ପରନ୍ତୁ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଗୋଷ୍ଠୀ ଶିକ୍ଷାଧିକାରୀ କିମ୍ବା ସ୍ଥାନୀୟ ତହସିଲଦାର ଅଥବା ବନ ବିଭାଗର ବିନା ଅନୁମତିରେ ୧୯୬୧ ମସିହାରୁ ସ୍ଥାପିତ ଏହି ପୁରାତନ ସ୍କୁଲ ପରିସରରେ ରହିଥିବା ୩୫ ବର୍ଷରୁ ଅଧିକ ସମୟର ପୁରୁଣା ଶାଗୁଆନ ଗଛକୁ କାଟିଦେବା ଘଟଣାକୁ ନେଇ ଗ୍ରାମ ବୁଦ୍ଧିଜୀବୀ ସମୂହ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ବିଧିବଦ୍ଧ ତଦନ୍ତ ନେଇ ସ୍ଥାନୀୟ କର୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଥିବା ବେଳେ ଗ୍ରାମ ଯୁବ ଗୋଷ୍ଠି ଏହି ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ।
ଏନେଇ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ପ୍ରକାରେ କିଛିଦିନ ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟିଙ୍କ ପକ୍ଷରୁ ଏହି ଗଛ ରହିବା କାରଣରୁ ବିଦ୍ୟାଳୟ ପରିସର ଅପରିଷ୍କାର ରହୁଥିବାରୁ ଗଛ ଗୁଡ଼ିକୁ କାଟିଦେବାକୁ ଅନୁମତି ଲୋଡିଥିବା ନେଇ ଦରଖାସ୍ତ କରିଥିଲେ । ଗଛ କାଟିବା ପାଇଁ ଅନୁମତି ପ୍ରଦାନ କରିବା ତାଙ୍କ କ୍ଷମତା ବହର୍ଭୂତ ହୋଇଥିବାରୁ ସେ ଉକ୍ତ ଦରଖାସ୍ତକୁ ତାଙ୍କ ଫାଇଲରେ ହିଁ ରଖିଥିବା କହିଛନ୍ତି ।
ସ୍ଥାନୀୟ ପୋଡ଼ାମାରି ବନାଞ୍ଚଳ କାର୍ଯ୍ୟଳୟ ସହ ଏଥି ନେଇ ଯୋଗାଯୋଗ କରାଯିବାରେ ସିଙ୍ଗିପୁର ଗ୍ରାମବାସୀଙ୍କ ଅଭିଯୋଗ ପାଇ ଗତ ୧୩/୦୮ ରିଖାରେ ଘଟଣା ସ୍ଥଳରେ ପହଞ୍ଚି କଟା ଯାଇଥିବା ୨୦ ଗୋଟି ଶାଗୁଆନ କାଠଗଣ୍ଡି ଜବତ କରିବା ସହ ୦୨ ୦୬/୨୦୨୩-୨୪ ପ୍ରକାରେ ମାମଲା ରୁଜୁ କରିଥିବା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି ।
ଅନ୍ୟ କ୍ରମରେ ଗଛ କାଟିବା କାରଣ ଏବଂ ଅନୁମତି ନେଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ତଥା ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡି କେନ୍ଦ୍ର କର୍ମୀ କମିଟିର ନିର୍ଦ୍ଧାରଣ ପଞ୍ଜିକାରେ ସେ ସ୍ୱାକ୍ଷର କରିଥିବା ସ୍ବୀକାର କରିଥିଲେ ମଧ୍ୟ ଆଲୋଚନା ସମ୍ପର୍କରେ ଅବଗତ ନଥିବା ସୂଚନା ଦେଇଛନ୍ତି । ପରନ୍ତୁ ଏକ ବିଦ୍ୟାଳୟରେ କୋମଳମତି ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ସୁରକ୍ଷାରେ ବୃକ୍ଷରାଜିର ଆବଶ୍ୟକତା ନେଇ ବନ ମହୋତ୍ସବ ଭଳି କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରୁଥିବା ବେଳେ ବିଦ୍ୟାଳୟ ପରିବେଶକୁ ସମୃଦ୍ଧ କରୁଥିବା ବହୁ ପୁରୁଣା ଦୁର୍ମୂଲ୍ୟ ଶାଗୁଆନ ଗଛଗୁଡ଼ିକୁ କର୍ତୃପକ୍ଷଙ୍କ ମନମାନିରେ କାଟି ଦେଇଥିବା ନେଇ ବିରୋଧର ଆଭାସ ମିଳିଅଛି । ଗ୍ରାମ ଯୁବଗୋଷ୍ଠୀଙ୍କ ପକ୍ଷରୁ ସୁଶାନ୍ତ କୁମାର ରଣା , ଟୁକୁନା ଚୌଧୁରୀ , ଆଶିଷ କୁମାର ସାହୁ , ରାଜେନ୍ଦ୍ର ଦୋରା , ନିରଞ୍ଜନ ନାୟକ , ଅଶ୍ଵିନୀ ସାହୁ, କାଳିଆ ପ୍ରଧାନ , ବାବୁଲା ନାୟକ ପ୍ରମୁଖ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଦାବି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here