ବ୍ରହ୍ମପୁର , ୧୭/୦୮/୨୦୨୩:ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକଙ୍କ ଗଜପତି ଜିଲ୍ଲା ଗସ୍ତ ଫେରନ୍ତା ସମୟରେ ବୁଧବାର କୁକୁଡାଖଣ୍ଡିରେ ପହଞ୍ଚିବା ଜିଲ୍ଲା କଂଗ୍ରେସର ଗତିବିଧିକୁ ଛକ ଚଞ୍ଚଳ କରିଛି । କୁକୁଡାଖଣ୍ଡି ଆଇବି ଠାରେ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ସହ ପିସିସି ସଭ୍ୟ ତଥା ଦିଗପହଣ୍ଡିର ବରିଷ୍ଟ କଂଗ୍ରେସ ନେତା ସାକା ସୁଜିତଙ୍କ ସହ ମିଳିତ ଆଲୋଚନା କରି କଂଗ୍ରେସ ଦଳରେ ଅଣଦେଖା ହୋଇ ରହିଥିବା ପୁରୁଖା ଅନୁଗତ ଏବଂ ଅନ୍ୟ ଦଳକୁ ଯାଇ ନିଷ୍କ୍ରିୟ ରହିଥିବା କର୍ମୀଙ୍କ ଦଳ ବାହୁଡ଼ା ନେଇ ବିଶୃତ ଆଲୋଚନା କରାଯାଇଥିବା ଚର୍ଚା ଧରିଛି । ଅନ୍ୟ କ୍ରମରେ ଜାତୀୟ ସ୍ତରରେ କଂଗ୍ରେସ ପାଇଁ ଆଇକନ ସାଜିଥିବା ୱାଇନାଡ ସାଂସଦ ତଥା ବରିଷ୍ଟ ଯୁବନେତା ରାହୁଲ ଗାନ୍ଧୀ ଆସନ୍ତା ସେପ୍ଟେମ୍ବର ମାସରେ ଗଞ୍ଜାମ ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିବା କାରଣରୁ ଏହା ଗଞ୍ଜାମ କଂଗ୍ରେସକୁ ନୂତନ ଦିଶା ପ୍ରଦାନ କରିବା ଆଶା କରାଯାଉଛି । ରାହୁଲଙ୍କ ଗସ୍ତ ସହ ଏକ ବିଶାଳ ଜନ ସମାବେଶର ଆୟୋଜନରେ ଥିବା ଜିଲ୍ଲା କଂଗ୍ରେସ ଏଥିପାଇଁ ପ୍ରକୃଷ୍ଟ ସ୍ଥାନ ନିରୂପଣ କରୁଛି।
କୁକୁଡାଖଣ୍ଡି ଠାରେ ଏକ ସାଧାରଣ ସଭାରେ ରାହୁଲ ସମ୍ବୋଧିତ କରିବା ନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟକ୍ରମରେ ଆଲୋଚନା ଜୋର ଧରିଛି l ଏନେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, କଂଗ୍ରେସ ନେତା ସାକା ସୁଜିତ କୁକୁଡାଖଣ୍ଡିର ଥିବା ମିନି ଷ୍ଟାଡିୟମ ପରିଦର୍ଶନ କରିବା ସହ ହେଲିପେଡ ଓ ସଭା ଆୟୋଜିତ କରିବା ନେଇ ସ୍ଥାନ ନିରୂପଣ କରିଥିବା ସାଧାରଣରେ କୁହାଯାଇଛି । ତେବେ ସେଠାରେ ତାଙ୍କ ହେଲିପ୍ୟାଡ଼ ସହ ସଭାସ୍ଥଳ ସ୍ଥାନ ନେଇ ସେମାନେ ବୁଲି ଦେଖିଥିଲେ l ପରିଦର୍ଶନ ସମୟରେ ରାହୁଲଙ୍କ ଗସ୍ତକୁ ନେଇ ଶ୍ରୀ ପଟ୍ଟନାୟକ କୌଣସି ସୂଚନା ଦେଇନଥିବା ବେଳେ ଆଲୋଚନା କରି ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି କହିଛନ୍ତି । ଶ୍ରୀ ପଟ୍ଟନାୟକଙ୍କ ସୂଚନା ପ୍ରକାରେ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ବିରୋଧ କରି ଆସନ୍ତା ୧୮ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ ସହ ବ୍ଲକ ଘେରାଉ କରାଯିବାର ନିଷ୍ପତ୍ତି ରହିଛି । କୁକୁଡାଖଣ୍ଡି ବ୍ଲକରେ ମଧ୍ୟ ଘେରାଊ କାର୍ଯ୍ୟକ୍ରମ ରହିଛି l କଂଗ୍ରେସ ଦଳ ସର୍ବଦା ଲୋକଙ୍କ ସହ ରହିଛି, ସମ୍ପ୍ରତି ଲୋକମାନେ ହିଁ ପରିବର୍ତନ ଚାହୁଁଛନ୍ତି । ଜନସାଧାରଣଙ୍କ ଏହି ଆଭିମୁଖ୍ୟ ନେଇ କଂଗ୍ରେସ ଦଳ ପ୍ରସ୍ତୁତ ଥିବା ବ ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି l
କୁକୁଡାଖଣ୍ଡି ଡାକ ବଙ୍ଗଳାରେ ଯୁବ ନେତା ସାକା ସୁଜିତ, ବ୍ଲକ ସଭାପତି ପି. ଶିବ ପ୍ରସାଦ ଦୋରା, ଯୁବ ସଭାପତି ଅରୁଣ ଭୂୟାଁ, ଉପ ସଭାପତି କାମରାଜୁ ଡାକୁଆ ଓ ସୁମନ କୁମାର ଦାସଙ୍କ ସମେତ ବହୁ ପୁରୁଖା କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ l





