ସମିତି ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ ପରେ ଦଳରୁ ବହିଷ୍କୃତ ବିପିନ : ରୋଚକ ସ୍ଥିତିରେ ଦିଗପହଣ୍ଡି ବିଜେଡି ରଣାଙ୍ଗନ !

0
131

ବ୍ରହ୍ମପୁର , ୩୧/୦୮/୨୦୨୩: ଗଞ୍ଜାମ ଜିଲ୍ଲାର ଏକ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ଦିଗପହଣ୍ଡିରେ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ସମୟରୁ ରହିଥିବା ବିଜେଡିର ଦଳୀୟ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଦୁଥିବା ବେଳେ ଏହି ସମୟ ଭିତରେ ବହୁକିଛି ଘଟଣା ଘଟିଛି । ସମ୍ପ୍ରତି ବିଧାୟକ ଥିବା ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଏବଂ ବାଚସ୍ପତି ତଥା ରାଜ୍ୟ ବିଜେଡିର ବରିଷ୍ଟ ବ୍ୟକ୍ତିତ୍ୱ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅସୁସ୍ଥତା କାରଣରୁ ସେ କର୍ମୀ ଓ କର୍ମକର୍ତ୍ତାଙ୍କ ଠାରୁ ଦୂରେଇ ରହିଥିବାରୁ ଦିଗପହଣ୍ଡି ବିଜେଡି ରାଜନୀତି ଦିଶାହୀନ ହୋଇଥିବା ଜଣାପଡିଛି । ଦିଗପହଣ୍ଡିରେ ଉଭୟ କୁକୁଡ଼ାଖଣ୍ଡି ଏବଂ ଦିଗପହଣ୍ଡି ବ୍ଲକରେ ବିଜେଡି ସମିତି ଗଠନ କରିଥିଲେ ମଧ୍ୟ ଏକାଆତ୍ର ଏନଏସି କଂଗ୍ରେସ କବଜାରେ ରହିଛି । ଗୋଷ୍ଠୀ କନ୍ଦଳ କାରଣରୁ ବିଜେଡି ଏଠାରେ ଦୟନୀୟ ସ୍ଥିତିରେ ଥିବା ଅନୁମାନ କରାଯାଇଛି । ବିଜେଡିରେ ଦୁଇ ଗୋଷ୍ଠୀ ସୃଷ୍ଟି ହେବା ସହ ବିପ୍ଳବ ଓ ବିପିନ ଗୋଷ୍ଠୀଙ୍କ ମଧ୍ୟରେ ପତିଆରାର ଲଢେଇ ଜାରି ରହିଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଥିବା ଗୋକର୍ଣପୁର ସମିତି ସଭ୍ୟ ସୁନିତା ସେଠୀଙ୍କ ଆକସ୍ମିକ ଦେହାନ୍ତ କାରଣରୁ ଉକ୍ତ ପଦବୀରେ ଉପନିର୍ବାଚନ ହୋଇଥିଲା । ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ତାରିଖରେ ସମିତି ଅଧ୍ୟକ୍ଷ ଉପ ନିର୍ବାଚନ ଘୋଷଣା ମଧ୍ୟ ହୋଇଥିଲା । ପରନ୍ତୁ ନିର୍ଦ୍ଧାରିତ ସମୟରେ ହୋଇଥିବା ଏହି ସମିତି ଅଧ୍ୟକ୍ଷ ନିର୍ବାଚନରେ ବିପ୍ଳବ ଗୋଷ୍ଟିର ଅନୁପସ୍ଥିତି ଯୋଗୁଁ କୋରମ ଅଭାବରୁ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ପୁନଃ ଆଦେଶ ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଥିଲା l ଏହି ଘଟଣା ପରେ ସଂଖ୍ୟା ଗରିଷ୍ଟ ସଦସ୍ୟ ରଖି ମଇଦାନରେ ରହିଥିବା ବିପିନି ପ୍ରଧାନ ଗୋଷ୍ଠୀଙ୍କ ମଧ୍ୟରେ ଉତେଜନା ଦେଖାଯାଇଥିଲା l ପ୍ରରୋକ୍ଷ ଭାବେ ପ୍ରଶାସନ ବିପ୍ଳବ ଗୋଷ୍ଠୀଙ୍କ ପ୍ରରୋଚନାରେ କୋରମ କରାଇନଦେବାର ସୁଚିନ୍ତିତ ଯୋଜନାରେ କାର୍ଯ୍ୟ କରିଥିବା ଅଭିଯୋଗ କରିଥିଲେ । ପୂର୍ବତନ ସମିତି ଅଧ୍ୟକ୍ଷ ତଥା ସମ୍ପ୍ରତି ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବିପିନି ଚନ୍ଦ୍ର ପ୍ରଧାନ ଏବଂ ବିଧାୟକଙ୍କ ଉତ୍ତରାଧିକାରୀ ତଥା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ବିପ୍ଳବ ପାତ୍ର ଗୋଷ୍ଠୀଙ୍କ ମଧ୍ଯରେ ଟଣା ଓଟରା ଲାଗିରହିଛି । ଏହି ସ୍ଥିତିରେ ଉଭୟ ଗୋଷ୍ଠୀ ସମିତି ଅଧ୍ୟକ୍ଷ ପଦବୀକୁ ହାତେଇବାକୁ ଉଦ୍ୟମ ବଜାୟ ରଖିଥିବା ବେଳେ ବିପିନଙ୍କ ଗୋଷ୍ଠୀରେ ୧୪ ଜଣ ସଦସ୍ୟ ରହିଥିବା କାରଣରୁ ଏଭଳି ଘଟିଥିବା ଆଲୋଚନା ଜୋର୍ ଧରିଛି । ଅଞ୍ଚଳ ରାଜନୀତି ସମୀକ୍ଷକଙ୍କ ମତରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ପଦବୀଟି ଉଭୟ ଗୋଷ୍ଠୀ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ରଖିଥିବାରୁ ଏଭଳି ସ୍ଥିତି ସଂରଚନା କରାଯାଇଥିବା ସ୍ପଷ୍ଟ ହୋଇଅଛି । ଆସନ୍ନ ବିଧାନସଭା ସାଧାରଣ ନିର୍ବାଚନ ହୋଇଥିବାରୁ ଅଧ୍ୟକ୍ଷ ପଦ ନେଇ ଉଭୟ ବିପିନ ଓ ବିପ୍ଳବଙ୍କ ପାଇଁ ସମ୍ମାନ ରଖୁଥିବା ଏବଂ ବିଜେଡି ଦଳୀୟ ଟିକେଟର ପ୍ରଶ୍ନ ହୋଇଛି । ଏହାକୁ ନେଇ ଦିଗପହଣ୍ଡି ବ୍ଲକ ସମୁଖରେ ବିପିନ ପ୍ରଧାନ ୧୪ ଜଣ ସମିତି ସଭ୍ୟଙ୍କ ସହ ଦଳୀୟ ସମର୍ଥକଙ୍କୁ ନେଇ ନିର୍ବାଚନୀ ସଜବାଜ ହେଉଥିବା ବେଳେ ବିପକ୍ଷଙ୍କ ଅନୁପସ୍ଥିତିରୁ ନିର୍ବାଚନ ସ୍ଥଗିତ ରହିବା ଥୟ ହୋଇଛି । ପ୍ରତିପକ୍ଷଙ୍କ ଅନୁପସ୍ଥିତି ବିପିନ ଗୋଷ୍ଠୀଙ୍କ ଦବଦବାକୁ ଜାହିର କରିଥିବା ବେଳେ ଉପନିର୍ବାଚନର ପୁନଃ ତାରିଖ ଘୋଷଣା ନେଇ ସେମାନେ ନିଶ୍ଚିତ ଆଶାବାଦୀ ଥିବା ସ୍ପଷ୍ଟ କରିଛନ୍ତି । ଅନ୍ୟକ୍ରମରେ ଵିପିନଙ୍କ ସମର୍ଥକ ଗୋଷ୍ଠିଙ୍କ ବ୍ଲକ ସମ୍ମୁଖରେ ହୋ ହଲ୍ଲା କରିବା ଏବଂ ରାଜରାସ୍ତା ଅବରୋଧ କରିବା ମାହାଙ୍ଗା ସାବ୍ୟସ୍ତ ହେଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଏବଂ ଦଳ ବିରୋଧୀ ଅଭିଯୋଗରେ ଦଳ ସୁପ୍ରିମୋଙ୍କ ସମ୍ମତିରେ ଶଙ୍ଖ ଭବନ ପକ୍ଷରୁ ଜାରି ଇସ୍ତାହାରରେ ବିପିନ ପ୍ରଧାନଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏହି ସ୍ଥିତି ଆଧାରରେ ଦିଗପହଣ୍ଡି ବିଜେଡିରେ ଲାଗି ରହିଥିବା ଗୋଷ୍ଠି କନ୍ଦଳ ଏବଂ ସମିତି ଅଧ୍ୟକ୍ଷ ଉପ ନିର୍ବାଚନକୁ ନେଇ ଘଟିବାକୁ ଯାଉଥିବା ଅଞ୍ଚଳ ସାମାଜିକ ସ୍ଥିତାବସ୍ଥାରେ ପୁଣି କିଛି ଅଘଟଣର ଆଶା କରିବା ନିଶ୍ଚିତ ହୋଇଅଛି । ବିପିନ ପ୍ରଧାନଙ୍କୁ ବିଜେଡିରୁ ବହିଷ୍କାର ପରେ ଦିଗପହଣ୍ଡି ରାଜନୀତିରେ ସମ୍ଭାଭ୍ୟ ରୋଚକ ସ୍ଥିତିର ଆକଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here