ରାଜ୍ୟ ରାଜକୋଷକୁ ଲୁଟ୍ କରି ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ କ୍ୟାମ୍ପସରେ ଦଳୀୟ ପ୍ରଚାର କରୁଛନ୍ତି ବିଜେଡ଼ି ସରକାର : ଅଭିଳାଷ ପଣ୍ଡା, ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି

0
162

ବ୍ରହ୍ମପୁର, ୦୨/୧୨/୨୦୨୩ : ରାଜ୍ୟର ସମସ୍ତ ଯୋଜନା ବିଜେଡ଼ି କରଣ କରିବାରେ ବ୍ୟସ୍ତ ରାଜ୍ୟ ସରକାର ଓଡ଼ିଶାର ସମସ୍ତ କଲେଜ ପରିସର ଗୁଡ଼ିକରେ ମଧ୍ୟ ଆଗମୀ ସାଧାରଣ ନିର୍ବାଚନ ପାଇଁ ନିଜ ଦଳୀୟ ପ୍ରଚାର ଆରମ୍ଭ କରିଦେଇଛି । ୧୫ ଦିନ ଧରି ଓଡ଼ିଶାର ସମସ୍ତ ସରକାରୀ,ସରକାରୀ ଅନୁଦାନ ପ୍ରାପ୍ତ ଓ ଅନ୍ୟାନ୍ୟ କଲେଜର ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ଚିହ୍ନ ଏବଂ ନବୀନ ବାବୁଙ୍କ ଫୋଟ ରଖି ବିଜେଡ଼ି ପ୍ରଚାର କରୁଥିବା ନେଇ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା। ଆଜି ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଓଡ଼ିଶାରେ ଆଜି ଶିକ୍ଷାର ଅବନତି ଘଟୁଥିବା ସମୟରେ କ୍ୟାମ୍ପସରେ ମାଳ ମାଳ ସମସ୍ୟା ପାହାଡ଼ ଭଳି ଠିଆ ହୋଇଥିବା ସମୟରେ ରାଜ୍ୟ ସରକାର ଓଡ଼ିଶାର ରାଜ୍ୟକୋଷକୁ ଲୁଟ୍ କରି ଆଜି ରାଜ୍ୟର ଜନତାଙ୍କ ଅର୍ଥରେ ନିଜ ଦଳୀୟ ପ୍ରଚାର କରୁଛି । ଯେଉଁ ଟଙ୍କା ଶିକ୍ଷାର ବିକାଶରେ ଲାଗିବା କଥା ସେ ଟଙ୍କା ନବୀନ ବାବୁଙ୍କ ନିଜ ଦଳର ପ୍ରଚାରରେ ଲାଗୁଛି । ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବିଗତ ୧୫ ଦିନରେ ନିଜ ଦଳୀୟ ପ୍ରଚାର ପାଇଁ ଓଡ଼ିଶାର କଲେଜ କ୍ୟାମ୍ପସରେ ଖର୍ଚ୍ଚ କରିସାରିଛନ୍ତି ନବୀନ ବାବୁ । ଅନ୍ୟ ପକ୍ଷରେ ଓଡ଼ିଶାର ସମସ୍ତ ୪୮୮ ଏବଂ ୬୬୨ ବର୍ଗର ମହାବିଦ୍ୟାଳୟ ଅଧ୍ୟାପକ ମାନେ ରିଲ୍ଲେ ଧାରଣାରେ ୯ ମାସ ଧରି ବସିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ଅର୍ଥର ବଡ ଅଂଶ କେବଳ କ୍ୟାମ୍ପସରେ ନବୀନ ବାବୁଙ୍କ ବ୍ୟାନର ମାରିବାକୁ ସରକାରୀ ନିର୍ଦ୍ଦେଶିକାରେ କୁହାଯାଇଥିବା ଦୁର୍ଭାଗ୍ୟଜନକ ।
ସୂଚନାଯୋଗ୍ୟ ୧୦୦ ରୁ ୨୦୦ ସଂଖ୍ୟାରେ ଛାତ୍ରଥିବା କଲେଜକୁ ଦିଆଯାଇଥିବା ୧.୫ଲକ୍ଷ ଟଙ୍କାରୁ ୨୦,୦୦୦ କେବଳ ବ୍ୟାନର ଲାଗିବା ପାଇଁ,ସେହିଭଳି ୨୦୦୦ ଛାତ୍ରଙ୍କ କ୍ୟାମ୍ପସ ପାଇଁ ପ୍ରଦତ ୯ଲକ୍ଷରୁ ୧ଲକ୍ଷ କେବଳ ବ୍ୟାନର ମାରିବା ପାଇଁ ଖର୍ଚ୍ଚ ନିର୍ଦ୍ଦେଶିକାରେ ସୂଚିତ ହୋଇଛି ।ଗୋଟିଏ କଲେଜ କ୍ୟାମ୍ପସରେ ୨୦ ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ନବୀନ ବାବୁଙ୍କ ଫୋଟ ଥିବା ବ୍ୟାନର ଲାଗିବା ପରେ, କ୍ୟାମ୍ପସ ଏବଂ ବିଜେଡ଼ି କାର୍ଯ୍ୟାଳୟ ଭିତରେ ଫରକ୍ କଣ ରହିଲା ବୋଲି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ପ୍ରଶ୍ନ କରିଛନ୍ତି ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ବାବୁଙ୍କ ନେତୃତ୍ୱାଧିନ ସରକାର ସେତେବେଳେ ବିଜୁ ଯୁବବାହିନୀ ନାମରେ ଗୋଟେ ଫାର୍ସ କରି ୪୫୦ କୋଟି ଟଙ୍କା ଆମ ରାଜ୍ୟର ଆପତ୍ତିକାଳୀନ ପ୍ରାବନ୍ଧନ ପାଇଁ ଉଦ୍ଦିଷ୍ଟ ଥିବା ପାଣ୍ଠିକୁ ହଡ଼ପ କରି ବାଟମାରଣା କରି ଅଗଣତାନ୍ତ୍ରିକ ଭାବେ ନେଇ ଓଡ଼ିଶାର ଗାଁ ମାନଙ୍କରେ ହଜାର ହଜାର ମଦୁଆ ତିଆରି କରିବା ପାଇଁ ସେହି ପାଣ୍ଠିକୁ ବ୍ୟବହାର କରାଯାଇଥିଲା । ଆଜି ବିଜୁ ଯୁବବାହିନୀର ସ୍ଥିତି ଓଡ଼ିଶା ବାସୀଙ୍କ ପାଖରେ ଅଛପା ନାହିଁ ।

ଠିକ୍ ସେହିଭଳି ଭାବେ ଓଡ଼ିଶାର ନୂଆ ଭୋଟରଙ୍କ ପାଖରେ ନିଜ ଦଳର ପ୍ରଚାର ପ୍ରସାର କରିବା ପାଇଁ ଆଜି ବିଜେଡ଼ି ପୁଣି ରାଜ୍ୟ ରାଜକୋଷରୁ ୧୦୦ କୋଟିରୁ ଅଧିକ ଟଙ୍କା ଲୁଟ୍ କରି ଯୁବକ ମାନଙ୍କ ବିକାଶ କରିବା ନା’ରେ କଲେଜ କ୍ୟାମ୍ପସରେ ଦଳୀୟ ଚିହ୍ନ ଏବଂ ନବୀନ ବାବୁଙ୍କ ଫୋଟ ଲଗାଇ ସ୍ଥାନୀୟ ନେତାଙ୍କ ଉପସ୍ଥିତିରେ ଯୁବପିଢି ଙ୍କୁ ନିଜ ଆଡକୁ ଆଣିବା ପାଇଁ ଏଭଳି ପ୍ରହେଳିକା କରୁଛି ବିଜେଡି । ୩୦ ଅକ୍ଟୋବରରେ ଏକ ସରକାରୀ ଚିଠିରେ (ଚିଠି ନମ୍ୱର:୯୧୦୬) କଲେଜ ଅଧ୍ୟକ୍ଷ ମାନଙ୍କୁ କାର୍ଯ୍ୟକ୍ରମ ମାନଙ୍କରେ ସ୍ଥାନୀୟ ନେତାମାନଙ୍କୁ ଅତିଥି ନ ଡାକିବା ଦ୍ଵାରା ଉଦ୍ଦେଶ୍ୟ ସାଧିତ ହୋଇପାରୁନି ବୋଲି ଉଲ୍ଲେଖ ଅଛି । ଏହା କାର୍ଯ୍ୟକ୍ରମ ପଛରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ସାମ୍ନାକୁ ଆଣିସାରିଛି । ଗୋଟିଏ ପଟେ ସିଏଜି ରିପୋର୍ଟର ଖୁଲସା ଅନୁସାରେ,ଯୋଜନା ପ୍ରଚାର ଅଭାବରୁ ଓଡ଼ିଶାରେ ୪୨% ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀ ପୋଷ୍ଟ ମାଟ୍ରିକ ସ୍କୋଲାରସିପରୁ ବଞ୍ଚିତ ହେଲେ । ଏଠି ସରକାରୀ ପଇସାରେ ଦଳିତ ଏବଂ ଆଦିବାସୀ ବିରୋଧୀ ରାଜ୍ୟ ସରକାର ନିଜ ପ୍ରଚାରରେ ବ୍ୟସ୍ତ ରହିବା ଦୁର୍ଭାଗ୍ୟଜନକ ।ଅଧ୍ୟାପକ ନଥିବା,ସ୍ଥାୟୀ ଅଧ୍ୟକ୍ଷ ନଥିବା, କ୍ୟାମ୍ପସରେ ଖେଳ ପଡିଆ,ଥିଏଟର, ଲାଇବ୍ରେରୀ ନଥିବା ଅବସ୍ଥାରେ IYDP କାର୍ଯ୍ୟକ୍ରମରେ ସରକାରୀ ପଇସାକୁ ନିଜ ପ୍ରଚାର ପାଇଁ ବ୍ୟବହାର କରି ଯେଉଁ ଭାଣ୍ଡାମୀ କରାଯାଉଛି ତାହା ନିନ୍ଦାଜନକ ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡା କହିଛନ୍ତି । ରାଜ୍ୟ ସରକାର ଓଡ଼ିଶାର ଯୁବକଙ୍କୁ ୨୦୧୯ରେ ବିଜୁ ଯୁବବାହିନୀ ମାଧ୍ୟମରେ ଯେଉଁ ଧୋକା ଦେଇଛନ୍ତି ତା’ର ଜବାବ ଓଡ଼ିଶାର ଯୁବକ ୨୦୨୪ ସାଧାରଣ ନିର୍ବାଚନରେ ନବୀନ ବାବୁଙ୍କୁ ଦେବେ ବୋଲି ଆଜି ବ୍ରହ୍ମପୁରରେ ସାମ୍ୱାଦିକ ସମ୍ମିଳନୀ ରେ ଶ୍ରୀ ପଣ୍ଡା ବିଜେଡିକୁ ତୀବ୍ର ସମାଲୋଚନା କରି ବର୍ଷିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ ପାତ୍ର,ରାଜ୍ୟ କ୍ୟାମ୍ପସ୍ ସଂଯୋଜକ ଆକାଶ ସାହୁ,ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ସୋମନାଥ ପାତ୍ର ଏବଂ ରବି ରାଓ,ବିଜେପି ଜିଲ୍ଲା ଉପସଭାପତି ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here