କଳିଙ୍ଗ ସାହିତ୍ୟ ସମାଜର ଶୀତ ସମାରୋହ।କଥାଶିଳ୍ପୀ ଡ. ଦାଶରଥି ଭୂୟାଁଙ୍କୁ କପିଳେଶ୍ୱର ଦାଶ ସ୍ମୃତି ସମ୍ମାନ

0
67

ବ୍ରହ୍ମପୁର, ୩୦/୦୧/୨୦୨୪ : ଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମେଳନ କକ୍ଷରେ ଶୀତ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ସମାଜର ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହକୁ ନାଗାଲ୍ୟାଣ୍ଡ୍ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର୍ ସୁଖ୍ୟାତ କଥାଶିଳ୍ପୀ ଓ ସ୍ତମ୍ଭକାର ଡ. ଦାଶରଥି ଭୂୟାଁ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦ୍ଘାଟନ କରିଥିଲେ l ଏହି ଅବସରରେ ଡ. ଭୂୟାଁଙ୍କୁ ଉପାୟନ ଓ ପ୍ରଶସ୍ତିପତ୍ର ପ୍ରଦାନ ପୂର୍ବକ ‘କପିଳେଶ୍ୱର ଦାଶ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା l
ସ୍ମୃତି ବକ୍ତୃତା ପ୍ରଦାନ ପୂର୍ବକ ମୁଖ୍ୟଅତିଥି ଡ. ଭୂୟାଁ ‘ସାହିତ୍ୟର ଆବଶ୍ୟକତା’ ଶୀର୍ଷକ ପ୍ରସଙ୍ଗରେ ସବିଶେଷ ଆଲୋଚନା କରିଥିଲେ l ସାହିତ୍ୟିକଟିଏ ନାନା ଦର୍ଶନ ଓ ବାଦ ଦ୍ୱାରା ପ୍ରଭାବିତ ହୋଇ ଯୁକ୍ତିଯୁକ୍ତ ଭାବେ ସାମାଜିକ ସଂସ୍ଥିତି ବଜାୟ ରଖିବା ଦିଗରେ ମାର୍ଗଦର୍ଶନ କରିଥାଏ l ସାହିତ୍ୟିକଟିଏ ପ୍ରକୃତରେ ସମାଜର ଦିଗ୍-ଦର୍ଶକ ଏବଂ ମଣିଷ ଭିତରେ ସାହିତ୍ୟିକଟିଏ ଜାତୀୟ ଚେତନାର ଉନ୍ମେଷ ଘଟାଏ ବୋଲି ଡ. ଭୂୟାଁ କହିଥିଲେ l
ଏହି ସାହିତ୍ୟ ସମାରୋହରେ କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓ ଡ. କୁଳମଣି ଓଝା ବକ୍ତବ୍ୟ ପ୍ରଦାନ ପୂର୍ବକ ଓଡ଼ିଆ ସାହିତ୍ୟର ସାଂପ୍ରତିକ ଧାରା ସଂପର୍କରେ ଆଲୋଚନା କରିଥିଲେ l ପ୍ରାରମ୍ଭରେ କଳିଙ୍ଗ ସାହିତ୍ୟ ସମାଜର ସଂପାଦକ ଡ. ଶରତ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ l ଡ. ହୃଷୀକେଶ ପଣ୍ଡା ମଞ୍ଚ ଆମନ୍ତ୍ରଣ ସହ ପ୍ରାକ୍-ସୂଚନା ପ୍ରଦାନ କରିଥିଲେ l ଶେଷରେ କବି ଅନୁପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ସମାରୋହ ସଂଚାଳନାରେ ଡ. ମନୋରଞ୍ଜନ ବିଷୋୟୀ, ଡ. ସଞ୍ଜୟ କୁମାର ପଣ୍ଡା, ନଳିନୀକାନ୍ତ ଗୌଡ଼, ଦୀନବନ୍ଧୁ ଶ୍ରୀପଲ୍ଲଵ, ଦେବାଶିଷ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l
ଶୀତ ସମାରୋହ ପରିପ୍ରେକ୍ଷୀରେ ଅନୁଷ୍ଠିତ ସାହିତ୍ୟ ଆସରରେ ଡ. ସୁଜିତ୍ କୁମାର ନାଥ (ଶୈଳସୁତ), କିରଣବାଳା ମିଶ୍ର, ଲିଙ୍ଗରାଜ ଜେନା, ବଂଶୀଧର ସେଠୀ, କାର୍ତ୍ତିକ ପାଣିଗ୍ରାହୀ, ଭାଗ୍ୟଲକ୍ଷ୍ମୀ ମହାରଣା, ପଦ୍ମିନୀ ମିଶ୍ର, ସ୍ବର୍ଣ୍ଣମୟୀ ପାଢ଼ୀ, ପ୍ରମୋଦ କୁମାର ପଣ୍ଡା, ନୀହାରିକା ସାହୁ, ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିବା ବେଳେ ପଦ୍ମାଳୟା ପାଢ଼ୀ କ୍ଷୁଦ୍ରଗଳ୍ପ ପାଠ କରିଥିଲେ l

LEAVE A REPLY

Please enter your comment!
Please enter your name here