କେନ୍ଦ୍ର ବଜେଟ-୨୦୨୪।ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍‌: ମନମୋହନ ସାମଲ

0
24

ଭୁବନେଶ୍ୱର,୦୧/୦୨/୨୦୨୪: ଆଜି ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ୍ କେବଳ ମଧ୍ୟବିତକାଳିନ ବଜେଟ୍ ନୁହେଁ, ବରଂ ଏହା ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍ । ବିଗତ ୧୦ବର୍ଷ ଭିତରେ ବିକଶିତ ଭାରତର ସ୍ୱପ୍ନକୁ ଆଖି ଆଗରେ ରଖି ଓ ୨୦୪୭ ମସିହା ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଉପସ୍ଥାପିତ ହୋଇଥିବା ଏହି ବଜେଟ୍ ନିଶ୍ଚିତ ଭାବେ ସହାୟକ ହେବ । ଦେଶର ୪ଟି ବର୍ଗ ଯଥା ମହିଳା, ଯୁବବର୍ଗ, ଚାଷୀ ଓ ଗରିବଙ୍କ ଉତ୍‌ଥାନ ହେଲେ ଦେଶର ପ୍ରଗତି ହେବା ସୁନିଶ୍ଚିତ ଏବଂ ଏହି ବଜେଟ୍ ବିକଶିତ ଭାରତ ପାଇଁ ଗ୍ୟାରେଂଟି । ଆଜିର ବଜେଟରେ ବିକଶିତ ଭାରତର ଭିତିଭୂମି ନିର୍ମାଣ ପାଇଁ ୧୧ଲକ୍ଷ ୧୧ହଜାର ୧୧୧କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସହରରୁ ଗାଁ ସମସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ୫ବର୍ଷ ଭିତରେ ୪କୋଟିର ଆବାସ ଯୋଜନା ବ୍ୟବସ୍ଥା କରିଛନ୍ତି । ମୋଦି ସରକାର ଅମଳରେ ଦେଶର ୨୫କୋଟି ଲୋକଙ୍କ ଦାରିଦ୍ର‌୍ୟ ସୀମା ରେଖାରୁ ବାହାରିଛନ୍ତି । ସେହିପରି ଏସଏଚଜି ମାଧ୍ୟମରେ ୩ କୋଟି ମା’ଭଉଣୀମାନଙ୍କୁ ‘ଲକ୍ଷପତି ଦିଦି’ କରିବା ପାଇଁ ବଜେଟ୍‌ରେ ସ୍ଥାନ ଦିଆଯାଇଛି । ମଧ୍ୟବିତ ବର୍ଗଙ୍କୁ ଧ୍ୟାନ ଦିଆଯାଇ କୌଣସି ଟିକସ ବୃଦ୍ଧି କରାଯାଇନାହିଁ । ପିଏମ୍ ମତ୍ସ୍ୟସମ୍ପଦ ଯୋଜନାର ବିସ୍ତାର କରାଯାଇଛି । ଏହି ବଜେଟ୍‌ରେ ସାରା ଦେଶର ଆର୍ଥିକ ବିକାଶ ଦିଗରେ ଆତ୍ମନିର୍ଭରଶୀଳ ଏବଂ ସୁନିଶ୍ଚିତ କର୍ମନିଯୁକ୍ତି ପ୍ରତିଫଳିତ ହୋଇଛି । ‘ବିକଶିତ ଭାରତ ଆଡକୁ ଗୋଟିଏ ପାଦ ଅଗ୍ରସର’ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଗରିବ କଲ୍ୟାଣ ଯୋଜନାରେ ମୋଦିଜୀ ବହୁ ଯୋଜନା ହାତକୁ ନେଇଛନ୍ତି । ମୋଦିଜୀ ଗରିବଙ୍କୁ ୫ବର୍ଷ ପାଇଁ ମୁଣ୍ଡପିଛା ୫କିଗ୍ରା ମାଗଣା ଚାଉଳର ବ୍ୟବସ୍ଥା କରିଛନ୍ତି । ୧୦କୋଟି ମା’ମାନେ ଉଜ୍ୱଳା ଗ୍ୟାସରେ ଲାଭାନ୍ୱିତ ହୋଇଛନ୍ତି । ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ଆଜି ବିଶ୍ୱ ଅର୍ଥନୀତିରେ ୧୦ ସ୍ଥାନରୁ ୫ମ ସ୍ଥାନ ହାସଲ କରିଛି ଏବଂ ବହୁ ଶୀଘ୍ର ୩ୟ ସ୍ଥାନ ହାସଲ କରିବାକୁ ଯାଉଛି । ମହାମାରୀ କରୋନାକୁ ଭାରତ ସାମ୍ନା କଲା ପରେ ବି ଦେଶର ଅର୍ଥନୀତିକୁ ସନ୍ତୁଳିତ ରଖିବା ପାଇଁ ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଚଳିତ ରେଳ ବଜେଟ୍‌ରେ ଓଡ଼ିଶା ପାଇବ ୧୦,୫୩୬କୋଟି ଟଙ୍କା । ଗରିବ କଲ୍ୟାଣ ଯୋଜନାରେ ମଧ୍ୟ ଓଡ଼ିଶାକୁ ବିପୁଳ କେନ୍ଦ୍ରୀୟ ଅନୁଦାନ ମିଳିବ । ବଜେଟ୍‌ରେ ଭିତିଭୂମି ନିର୍ମାଣ ପାଣ୍ଠି ବୃଦ୍ଧି କରିବା ଦ୍ୱାରା ଓଡିଶା ଲାଭାନ୍ୱିତ ହେବ । ଏହାଛଡା ‘ରୁଫ୍ ଟପ୍ ସୋଲାର’ ଯୋଜନା ଅନୁସାରେ ୧କୋଟି ପରିବାରକୁ ମାଗଣା ବିଜୁଳି ପ୍ରଦାନ କରାଯିବ, ଯଦ୍ୱାରା ସେମାନେ ନିଜେ ମାଗଣା ବିଜୁଳି ବ୍ୟବହାର କରିବା ସହ ଅନ୍ୟମାନଙ୍କୁ ବଂଟନ କରି ଲାଭାନ୍ୱିତ ହୋଇପାରିବେ । ମୋଦିଜୀଙ୍କ ନିଷ୍ଠା, ତପସ୍ୟା, ବ୍ରତ ଆଜି ଭାରତକୁ ବିକାଶ ଆଡକୁ ଅଗ୍ରଗତି କରାଇଛି । ସଶକ୍ତ ଭାରତ ନିର୍ମାଣରେ ଆଜିର ବଜେଟ୍ ସହାୟକ ହେବ । ଏହି ସର୍ବସମାବେଶୀ ଓ ସୃଜନଶୀଳ ବଜେଟ୍ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ସାମଲ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରମାରଞ୍ଜନ ବଳିୟାରସିଂହ, ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here