ସରିଲା + ୨ ପରୀକ୍ଷା : ଆଜି ଠାରୁ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

0
13

ବ୍ରହ୍ମପୁର, ୨୧/୦୩/୨୦୨୪ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଦକ୍ଷିଣାଞ୍ଚଳର ୮ଟି ଜିଲ୍ଲାରେ ମାର୍ଚ୍ଚ ୨୦ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଯାଇଛି l ଚଳିତ ବର୍ଷ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ୪୫ଟି ପରୀକ୍ଷା ପରିଚାଳନା ହବ୍ ଅଧୀନସ୍ଥ ୨0୫ଟି ପରୀକ୍ଷା କେନ୍ଦ୍ରରେ କପିମୁକ୍ତ ଭାବେ ସ୍ୱଚ୍ଛତା ପୂର୍ବକ +୨ ବାର୍ଷିକ ପରୀକ୍ଷା ସଂପନ୍ନ ହୋଇଯାଇଛି l ଆସନ୍ତାକାଲି ଠାରୁ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତର ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ୧୨ଟି ମାନୁଆଲ୍ ଓ ୬ଟି ଇ-ମୂଲ୍ୟାୟନ କେନ୍ଦ୍ର ସ୍ଥାପନ କରାଯାଇଛି l
ଗଞ୍ଜାମ ଜିଲ୍ଲାରେ ୫ଟି ମାନୁଆଲ୍ ଓ ୩ଟି ଇ-ମୂଲ୍ୟାୟନ କେନ୍ଦ୍ର ସ୍ଥାପନ କରାଯାଇଛି l ଛତ୍ରପୁର ସ୍ଥିତ ସରକାରୀ ମହାବିଦ୍ୟାଳୟ, ବ୍ରହ୍ମପୁର ସିଟି ମହାବିଦ୍ୟାଳୟ, ବ୍ରହ୍ମପୁର ସ୍ଥିତ ଶଶିଭୂଷଣ ରଥ ସରକାରୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ ସ୍ଥିତ ବିଜ୍ଞାନ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାନୁଆଲ୍ ମୂଲ୍ୟାୟନ କେନ୍ଦ୍ର ସ୍ଥାପିତ ହୋଉଛି l ଅନୁରୂପ ଭାବରେ ଶଶିଭୂଷଣ ରଥ ସରକାରୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧୀନରେ ନୀଳକଣ୍ଠନଗର ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିରରେ ଗୋଟିଏ ଓ ହିଞ୍ଜିଳିକାଟୁ ବିଜ୍ଞାନ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧୀନରେ ଆଙ୍କୁଶପୁର ସ୍ଥିତ ଏସ୍.ଏମ୍.ଆଇ.ଟି.ରେ ଗୋଟିଏ ଏବଂ ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୋଟିଏ ଏହିପରି ୩ଟି ଇ-ମୂଲ୍ୟାୟନ କେନ୍ଦ୍ର ସ୍ଥାପନ କରାଯାଇଛି l
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଫୁଲବାଣୀ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ, ବୌଦ୍ଧ ଜିଲ୍ଲା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ରାୟଗଡ଼ା ଜିଲ୍ଲା ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମ ଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ମହାବିଦ୍ୟାଳୟରେ ଗୋଟିଏ ଲେଖାଏଁ ମାନୁଆଲ୍ ମୂଲ୍ୟାୟନ କେନ୍ଦ୍ର ଖୋଲାଯାଇଛି l
କନ୍ଧମାଳ ଜିଲ୍ଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାୟଗଡ଼ା ଜିଲ୍ଲା ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଇ-ମୂଲ୍ୟାୟନ କେନ୍ଦ୍ର ସ୍ଥାପନ କରା ଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l

LEAVE A REPLY

Please enter your comment!
Please enter your name here