ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ସଂପୂର୍ଣ୍ଣ ନଷ୍ଟ କରିଛନ୍ତି ରାଜ୍ୟ ସରକାର : ସଜ୍ଜନ ଶର୍ମା ।। ମିଥ୍ୟା ପ୍ରଚାରର ଆଶ୍ରୟ ନେଉଛି ବିଜେଡି। ସ୍ୱାସ୍ଥ୍ୟ ବିଭାଗ ଦାୟୀତ୍ୱରେ ଥିବା ମନ୍ତ୍ରୀ ନବ ଦାସ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ଡା.ଦାମୋଦର ରାଉତଙ୍କ କ୍ଷେତ୍ରରେ ଦେଖାଯାଇଥିବା ଚିକିତ୍ସାର ଅବହେଳା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସବୁଠୁ ବଡ ଉଦାହରଣ

0
15

ଭୁବନେଶ୍ୱର,୧୬/୦୪/୨୦୨୪: ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଶାସନରେ ଓଡିଶାର ସ୍ୱାସ୍ଥ୍ୟ ସେବାକୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଦାୟୀତ୍ୱରେ ଥିବା ମନ୍ତ୍ରୀ ନବ ଦାସ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାର ଆମ୍ବୁଲାନ୍ସରେ ଅଣାଯାଇ ଭୂବନେଶ୍ୱରଠାରେ ଚିକିତ୍ସିତ କରାଯାଇଥିଲା । ସେହିପରି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ଦାମୋଦର ରାଉତଙ୍କୁ ଚିକିତ୍ସା ଅବହେଳା କାରଣରୁ କ୍ୟାପିଟାଲ ହସପିଟାଲରୁ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ସ୍ୱର୍ଗତଃ ରାଉତଙ୍କ ପୁତ୍ର ଅଭିଯୋଗ କରିଥିଲେ । ଯଦି ବଡ ଲୋକଙ୍କ ଅବସ୍ଥା ସରକାରୀ ମେଡିକାଲରେ ଏମିତି, ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା କଣ ତାହା ସ୍ପଷ୍ଟ ଅନୁମେୟ । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ଏହାଠୁ ବଡ ଉଦାହରଣ ଆଉ କିଛି ନାହିଁ ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ।
ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଓଡ଼ିଶାର ବିକାଶ ପାଇଁ ଧନର କୌଣସି ଅଭାବ ରଖିନାହାନ୍ତି । ଦେଶବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରୀ କରିଛନ୍ତି । ଓଡ଼ିଶାର ସମସ୍ତ ସରକାରୀ ବ୍ୟବସ୍ଥାକୁ ଭୂଷୁଡାଇ କିଛି ମୁଷ୍ଟିମେୟ ଲୋକଙ୍କୁ ଲାଭବାନ କରିବା ପାଇଁ ରାଜ୍ୟ ସରକାର କାମ କରୁଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜେଡି ସରକାରର ଭାବମୁର୍ତି ମଳିନ ପଡିଯିବା ଭୟରେ ବାରମ୍ବାର ଦାବୀ ସତ୍ୱେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯାଉନାହିଁ । ଆୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରଗଲା ନାହିଁ କିନ୍ତୁ ଆରୋଗ୍ୟ ମନ୍ଦିର ପାଇଁ କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ନେଇଗଲେ । ମୋଦି ସରକାର ଶାସନକୁ ଆସିବା ପରେ ଅର୍ଥାତ ୨୦୧୪ ମସିହା ପରଠାରୁ କେବଳ ଜାତୀୟ ସ୍ୱାସ୍ଥ୍ୟ ମିଶନ, କେନ୍ଦ୍ରୀୟ ଅନୁଦାନ ଓ ସହାୟତାରେ ଓଡିଶାରେ ବଡ ବଡ ମେଡିକାଲ କଲେଜ ଗଢି ଉଠିଛି । ରାଜ୍ୟରେ ଥିବା ପିଏଚସି, ସିଏଚସି କୋଠାରୁ ଆରମ୍ଭ କରି ଏମ୍ସ ପ୍ଲସ କୋଠା ଯାଏଁ ସବୁଠି ଜାତୀୟ ସ୍ୱାସ୍ଥ୍ୟ ମିଶନର ଅର୍ଥ ଲାଗିଛି । ମାତ୍ର ରାଜ୍ୟ ସରକାର ଆବଶ୍ୟକୀୟ ଡାକ୍ତର, ଟେକ୍ନିସିଆନ, ପାରା ମେଡିକାଲ ଷ୍ଟାଫ ଯୋଗାଇ ଦେଉନାହାନ୍ତି । ରାଜ୍ୟରେ କେବଳ ଅମଲା ଶାସନ ଚାଲିଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଓଡ଼ିଶାର ବିକାଶ ପାଇଁ ଟଙ୍କାର ଅଭାବ ରହିବ ନାହିଁ ବୋଲି ମୋଦିଜୀ ସଂକଳ୍ପ ନେଇଛନ୍ତି । ମୋଦିଜୀଙ୍କ ପ୍ରତିଶ୍ରୁତିକୁ ପାଦେ ପାଦେ ଜଗିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ଆଦୈା ସହ୍ୟ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ । ଲୋକେ ନିଜ ଅଂଚଳର ସମସ୍ୟାର ସମାଧାନ ପାଇଁ ସାଂସଦ ଭାବେ ନିର୍ବାଚିତ କରୁଛନ୍ତି, କିନ୍ତୁ ବିଜେଡି ସାଂସଦମାନେ ଦିଲ୍ଲୀ ଯାଇ କଣ କରୁଛନ୍ତି ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ୪୭ ହଜାର ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୨୭ ହଜାର ଡାକ୍ତର ଅଛନ୍ତି । ରାଜ୍ୟର ୨୮୨୮୫ ନର୍ସିଂ ଅଫିସର ମଧ୍ୟରୁ ୧୭୩୮୫ ପଦ ଖାଲି, ୩୪୯୦ ଫାର୍ମାସିଷ୍ଟ ପଦବୀରୁ ୯୯୮ ପଦବୀ ଖାଲି, ୨୨୩୫ ଲ୍ୟାବରୋଟରୀ ଟେକନିସିଆନ ପଦବୀରୁ ୯୧୫ ଖାଲି, ୬୯୫ ରେଡିଓଲୋଜିଷ୍ଟ ପଦବୀରୁ ୩୭୮ ଖାଲି ପଡିଛି । ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ରୋଗୀଙ୍କ ସଂଖ୍ୟା ବଢୁଛି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ୱାସ୍ଥ୍ୟସେବା ବିପିର୍ଯ୍ୟସ୍ତ ହୋଇପଡିଛି । ଗରୀବ ରୋଗୀ ହନ୍ତସନ୍ତ ହେବା ସହିତ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । ଏ ସମସ୍ତ ସମସ୍ୟାର ସମାଧାନ ନକରି ଏବଂ ନିଜ ବିଫଳତାକୁ ଲୁଚାଇବା ପାଇଁ ବିଜେଡିର ନେତାମାନେ ଅନ୍ୟ ଉପରେ ଦୋଷ ଲଦି ଦେବାର ଅଭ୍ୟାସରେ ପରିଣତ ହୋଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here