“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଣ୍ଟି” ପ୍ରସଙ୍ଗ। ସର୍ବାଧିକ ଲାଭାନ୍ୱିତ ହେବ ଓଡ଼ିଶା ସମେତ ବ୍ରହ୍ମପୁର ଲୋକସଭା କ୍ଷେତ୍ର : ପ୍ରଦୀପ ପାଣିଗ୍ରାହୀ

0
28

ବ୍ରହ୍ମପୁର,୧୮/୦୪/୨୦୨୪ : ୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପାଳନ କରାଯାଇଛି । ଏହି ଦୁଇଟି ନିର୍ବାଚନରେ ୯୫ ପ୍ରତିଶତ ସଫଳତା ସହିତ ସମୁଦାୟ ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ମୋଦି । ‘ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଉଦ୍ଦେଶ୍ୟରେ ବିଜେପି ତରଫରୁ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଣ୍ଟି” ପ୍ରକାଶ ପାଇଛି । ସୋସିଆଲ, ଫିଜିକାଲ୍ ଓ ଡିଜିଟାଲ ଭିତିଭୁମିକୁ ସୁଦୃଢ଼ କରାଯିବା ଲକ୍ଷ୍ୟରେ ଏହି ସଂକଳ୍ପ ପତ୍ର ‘ବିକଶିତ ଭାରତ ଗଠନ’ରେ ‘ବୁଷ୍ଟର’ ସଦୃଶ ହେବ ବୋଲି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।
ଆଜି ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ଼ଃ ପାଣିଗ୍ରାହୀ କହିଛନ୍ତି ଯେ, ଯାହାର କେହି ନାହିଁ, ତା ପାଖରେ ମୋଦି ଗ୍ୟାରେଣ୍ଟି ରହିଛି । ସମଗ୍ର ଦେଶରୁ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ମତାମତ ସଂଗ୍ରହ କରାଯାଇ ପ୍ରସ୍ତୁତ ହୋଇଥିବା ଏହି ସଂକଳ୍ପ ପତ୍ର ତଥା ମୋଦି ଗ୍ୟାରେଣ୍ଟିରୁ ସର୍ବାଧିକ ଲାଭ ପାଇବ ଓଡ଼ିଶା ତଥା ବ୍ରହ୍ମପୁର ଲୋକସଭା କ୍ଷେତ୍ର ବାସୀ । ବିଶେଷ ଭାବେ ଚାଷୀ, ଗରିବ, ମହିଳା ଓ ଯୁବବର୍ଗ ପାଇଁ ଉତ୍ସର୍ଗୀକୃତ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଣ୍ଟି” । ବିଶେଷ ଭାବେ ୮୦ କାଟି ଦେଶବାସୀଙ୍କୁ ପ୍ରତି ମାସ ମାଗଣା ରାସନ ପ୍ରଦାନ କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି । ଗରୀବ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ୩ କୋଟି ବାସଗୃହ, ସମସ୍ତଙ୍କୁ ପାନୀୟ ଜଳ ଓ ବିଜୁଳି ଯୋଗାଣ; ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ, ପାଇପ ଜରିଆରେ ରୋଷେଇ ଗ୍ୟାସ ଯୋଗାଣ; ମୁଦ୍ରା, ସ୍ୱନିଧି ଯୋଜନାରେ ଯୁବକଙ୍କୁ ଆତ୍ମନିର୍ଭରତା; ଏସଏଚଜି ଜରିଆରେ ମହିଳା ସଶକ୍ତିକରଣ କରାଯିବା ସହିତ କର୍ମଜୀବି ମହିଳାଙ୍କ ପାଇଁ ହଷ୍ଟେଲ ଓ ଶିଶୁ ଗୃହ ନିର୍ମାଣ କରାଯିବ; ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ, କୃଷିଭିତିକ ଶିଳ୍ପ ପ୍ରତିଷ୍ଠାନ, ଶ୍ରୀଅନ୍ନର ଗୁରୁତ୍ୱ, ପିଏମକିସାନ ଜରିଆରେ ଆର୍ଥିକ ସହାୟତା ପ୍ରଦାନ ଆଦି ଜରିଆରେ କୃଷକକଲ୍ୟାଣକୁ ପ୍ରାଧାନ୍ୟ ଦେଇଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ବ୍ୟତୀତ ପର୍ଯ୍ୟଟନ ଶିଳ୍ପର ବିକାଶକୁ ମଧ୍ୟ ଗରୁତ୍ୱ ଦିଆଯାଇଛି । ଭିତିଭୁମି ଓ ନୂତନ ଶିକ୍ଷାନୀତିକୁ ସଶକ୍ତ କରାଯାଇଛି । ଆକାଶ, ଜଳ, ରେଳ ଓ ସଡ଼କ ଗମନାଗମନ କ୍ଷେତ୍ରରେ ଐତିହାସିକ ପରିବର୍ତନ ଆସିଛି । ଏକଲବ୍ୟ ବିଦ୍ୟାଳୟଠାରୁ ଆରମ୍ଭ କରି ଆଇଆଇଏମ, ଆଇଆଇଟି, ଆଇଜର୍, ମେଡିକାଲ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ସାହିତ୍ୟ, ଭାଷା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବିଶ୍ୱ ଦରବାରରେ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟରତ । ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ସାମିଲ କରାଯିବ । ସମାନ ନାଗରିକତା ସଂହିତା ଲାଗୁ ହେଲେ ପଡୋଶୀ ରାଷ୍ଟ୍ରରୁ ଅତ୍ୟାଚାର ଶିକାର ହୋଇ ଫେରିଥିବା ମୂଳ ଭାରତୀୟଙ୍କୁ ସମ୍ମାନ ମିଳିବ ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଦେଶର ସୀମା ଆଜି ସୁରକ୍ଷିତ । ଗଣତନ୍ତ୍ର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ” କାର୍ଯ୍ୟକାରୀ କରାଯିବ । ପ୍ରଦୂଷଣ ହ୍ରାସ କରିବା ପାଇଁ ଇଭି ଗାଡି ଚଳାଚଳକୁ ପ୍ରୋତ୍ସାହିତ କରାଯିବ । ପିଏମ ସୂର୍ଯ୍ୟ ଘର ଯୋଜନାରେ ଗ୍ରୀନ ଏନର୍ଜିକୁ ପ୍ରୋତ୍ସାହନ ମିଳିବ । “ବନ୍ଦେ ଭାରତ” ଭଳି ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଖୁବ ଶୀଘ୍ର ବୁଲେଟ ଟ୍ରେନ ଚାଲିବ ବୋଲି ସଂକଳ୍ପ ପତ୍ରରେ ପ୍ରକାଶ ପାଇଛି । ମୋଦିଙ୍କ ଗ୍ୟାରେଣ୍ଟି ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ସମେତ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସର୍ବାଧିକ ଲାଭାନ୍ୱିତ ହେବ । ତେଣୁ ଏଭଳି ସଂକଳ୍ପ ପତ୍ର ପ୍ରକାଶ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା, ଇସ୍ତାହାର କମିଟି ସଂଯୋଜକ ତଥା ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ତରଫରୁ ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର,ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ ସଂଯୋଜନା କରିଥିବା ବେଳେ ଶେଷରେ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here