ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’ ମୁଖ୍ୟ ମୁଳମନ୍ତ୍ର : କେନ୍ଦ୍ର ଶ୍ରମ ଓ ରୋଜଗାର, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ୟାବିନେଟ୍ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ

0
14

ବ୍ରହ୍ମପୁର, ୦୮/୦୫/୨୦୨୪ : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ଠାରେ ଜୋନ୍ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶ୍ରମ ଓ ରୋଜଗାର, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ୟାବିନେଟ୍ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଯୋଗ ଦେଇ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଗତ ଦଶ ବର୍ଷରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରିଛନ୍ତି । ଏହି ଦୁଇଟି ନିର୍ବାଚନରେ ୯୫ ପ୍ରତିଶତ ସଫଳତା ସହିତ ସମୁଦାୟ ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ମୋଦିଜୀ । ‘ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ମୋଦିଙ୍କ ସ୍ୱପ୍ନ । ଯାହାର କେହି ନାହିଁ, ତା ପାଖରେ ମୋଦି ଗ୍ୟାରେଣ୍ଟି ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ । ବିଶେଷ ଭାବେ ୮୦ କାଟି ଦେଶବାସୀଙ୍କୁ ପ୍ରତି ମାସ ମାଗଣା ରାସନ ପ୍ରଦାନ କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି । ଗରୀବ କଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ୩ କୋଟି ବାସଗୃହ, ସମସ୍ତଙ୍କୁ ପାନୀୟ ଜଳ ଓ ବିଜୁଳି ଯୋଗାଣ, ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ, ପାଇପ ଜରିଆରେ ରୋଷେଇ ଗ୍ୟାସ ଯୋଗାଣ, ମୁଦ୍ରା, ସ୍ୱନିଧି ଯୋଜନାରେ ଯୁବକଙ୍କୁ ଆତ୍ମନିର୍ଭରତା, ଏସଏଚଜି ଜରିଆରେ ମହିଳା ସଶକ୍ତିକରଣ କରାଯିବା ସହିତ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ, କୃଷିଭିତିକ ଶିଳ୍ପ ପ୍ରତିଷ୍ଠାନ, ଶ୍ରୀଅନ୍ନର ଗୁରୁତ୍ୱ, ପିଏମକିସାନ ଜରିଆରେ ଆର୍ଥିକ ସହାୟତା ପ୍ରଦାନ ଆଦି ଜରିଆରେ କୃଷକକଲ୍ୟାଣକୁ ପ୍ରାଧାନ୍ୟ ଦେଇଛନ୍ତି ମୋଦିଜୀ । ଏହା ବ୍ୟତୀତ ପର୍ଯ୍ୟଟନ ଶିଳ୍ପର ବିକାଶକୁ ମଧ୍ୟ ଗରୁତ୍ୱ ଦିଆଯାଇଛି । ଓଡ଼ିଶାରେ ହେବାକୁ ଥିବା ଚାରୋଟି ଆଇଟି ପାର୍କ ମଧ୍ୟରୁ ବ୍ରହ୍ମପୁର ଠାରେ ଗୋଟିଏ ଆଇଟି ପାର୍କ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ କହିଥିଲେ । ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ସାମିଲ କରାଯିବ । ମୋଦିଙ୍କ ଗ୍ୟାରେଣ୍ଟି ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ । ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ରାଜ୍ଯ ସରକାରଙ୍କ ଅପାରଗତା ଯୋଗୁଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ଦାଦନ ଖଟିବା, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାରେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ବିଷୟରେ କହିଥିଲେ । ଗତ ୩ ତାରିଖରେ ବ୍ରହ୍ମପୁର ସହରରେ ଜଣେ ଯୁକ୍ତ ଦୁଇ ଛାତ୍ରୀକୁ ୮ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଘଟଣାକୁ ରାଜ୍ୟରେ ଚାଲିଥିବା ବିଜୁ ଜନତା ଦଳ ସରକାର ଲୁଚାଉଛନ୍ତି କିନ୍ତୁ ପିଡୀତା ଗଣଦୁଷ୍କର୍ମ କରିଥିବା ୮ ଜଣଙ୍କ ନାମରେ ବୟାନ ଦେଇଥିବା ବେଳେ କିନ୍ତୁ ପୋଲିସ ପକ୍ଷରୁ ୫ ଜଣଙ୍କ ନାମ ଦର୍ଶାଇଛି । ଅନ୍ୟ ତିନି ଜଣ ମୁଖ୍ୟ ଅଭିଯୁକ୍ତ ଶାସକ ବିଜୁ ଜନତା ଦଳର ଛତ୍ରଛାୟା ତଳେ ଥିବାରୁ ପୋଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଇ ରଖିଛି ବୋଲି ଶୁଣିବାକୁ ମିଳିଛି । ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶାରେ ଆଇନ୍ ଶୃଙ୍ଖଳା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ବୋଲି ଡ଼ଃ ପାଣିଗ୍ରାହୀ କହିଛନ୍ତି । ପିଡୀତାଙ୍କୁ ଏବଂ ପରିବାର ବର୍ଗଙ୍କୁ ଉଚିତ ନ୍ୟାୟ ଦାବୀରେ ଆସନ୍ତା କାଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏସପି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲିି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର କହିଛନ୍ତି । ଏହା ସହ ନିର୍ବାଚନ ସମୟରେ ବ୍ରହ୍ମପୁରରେ ଗତ ୬ ତାରିଖ ରାତିରେ ଏକ ହୋଟେଲରେ ଏବଂ ଗତ ୭ ତାରିଖ ଦିନ କୋଟି କୋଟି ଟଙ୍କା ଗାଡ଼ି ଯାଞ୍ଚ ବେଳେ ଧରାପଡ଼ିଥିବା ଏହି ଟଙ୍କା କୁଆଡୁ ଆସୁଛି ଏବଂ କେଉଁ ଉଦ୍ଦେଶ୍ୟରେ ଆସୁଛି ତା’ର ସଠିକ ଉତ୍ତର ରାଜ୍ୟ ସରକାର ଦେବେ କି ବୋଲି ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଡ଼ଃ ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ଲୋକସଭା ପ୍ରଭାରୀ ଅଶୋକ ମିଶ୍ର, ସଂଯୋଜକ ସରୋଜ ସାବତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here