ପୋଲସରା, ୧୦/୬/୨୬ : ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ “ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାର କାର୍ଯ୍ୟକ୍ରମ”, ୧୦-୬-୨୬ ତାରିଖ ଦିନ ପୋଲସରା ପୌରପାଳିକା ପକ୍ଷରୁ ରାଣୀପଡ଼ା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ତତ୍ବାବଧାନରେ ଏକ ସଚେତନତା ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସରକାରୀ ଯୋଜନା କିପରି ପ୍ରତ୍ୟେକ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ସେନେଇ ମ୍ୟୁନସିପାଲିଟର ଗୋଷ୍ଠୀ ପରିଦର୍ଶିକା ଅନିତା ଅଶୁଂମାଳୀ ସାହୁ ସହରାଞ୍ଚଳର ବିକାଶ ଓ ସକ୍ରିୟ ଭାଗିଦାରୀ ଉପରେ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୋଟ ୧୦ଟି ଜନଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଗୁଡ଼ିକର ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଥିଲେ। ଭିଡିଓ ପ୍ରଦର୍ଶନ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ନାଗରିକ ସେବା ସମ୍ପର୍କିତ ତଥ୍ୟ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୌରପାଳିକାର ସହକାରୀ ଯନ୍ତ୍ରୀ ସ୍ବାଗତିକା ମହାନ୍ତି , ଦୀପିକା ବେହେରା , କ୍ଷେତ୍ର ପରିଦର୍ଶକ ଭଗବାନ ସାହୁ , କନିଷ୍ଟ ଯନ୍ତ୍ରୀ ମୁକେଶ ବେହେରା, ସ୍ବଛସାଥି ବବିତା ବେହେରା, ରଶ୍ମିତା ରାଉତ, ମିନତୀ ଜେନା ଓ ନମିତା ଦାସ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।





