ବ୍ରହ୍ମପୁର, ୨୪/୦୭/୨୦୨୬: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନଇତଡ଼ା ସାହିର କାଳିଆ ଓରଫ ଘନଶ୍ୟାମ ବେହେରା, ଯିଏ ଏକାଧିକ ଡକାୟତି ଓ ଲୁଟ୍ ମାମଲାରେ ୱାଣ୍ଟେଡ୍ ଥିଲେ, ତାଙ୍କୁ ଧରିବା ପାଇଁ ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଚଢ଼ାଉ କରିଥିଲା।ବିଶ୍ୱସ୍ତ ସୂଚନା ଆଧାରରେ ପୁଲିସ ଦଳ କାଳିଆଙ୍କୁ ପିଛା କରୁଥିବା ବେଳେ, ସେ ଜଣେ ସହଯୋଗୀଙ୍କ ସହ ମୋଟରସାଇକେଲ ରେ କୋଦଳା ଥାନା ଅନ୍ତର୍ଗତ କିନାରୀ–ଚୁଞ୍ଚିପଡ଼ା ଜଙ୍ଗଲ ରାସ୍ତାରେ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ପୁଲିସ ଦଳ ଉପରକୁ ବୋମାମାଡ଼ କରିବା ସହ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି।ପୁଲିସ କର୍ମଚାରୀଙ୍କ ଜୀବନର ସୁରକ୍ଷା ଦୃଷ୍ଟିରୁ ଆତ୍ମରକ୍ଷାର ଅଧିକାର ପ୍ରୟୋଗ କରି ଆଇଆଇସି କୁଳମଣି ସେଠୀ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ କାଳିଆ ଓରଫ ଘନଶ୍ୟାମ ବେହେରାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଥିଲେ।ଆହତ ଅଭିଯୁକ୍ତଙ୍କୁ ତୁରନ୍ତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଏହି ଘଟଣାରେ ଆଇଆଇସି କୁଳମଣି ସେଠୀ ଓ ସାଥିରେ ଥିବା ଅନ୍ୟ ପୁଲିସ କର୍ମଚାରୀମାନେ ସୁରକ୍ଷିତ ଅଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।





