ବିଜେପି ର ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ।କିଛି ଷଡଯନ୍ତ୍ରକାରୀ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରୁଛନ୍ତି

0
3

ଭୁବନେଶ୍ୱର,୧୫/୦୭/୨୦୨୬: ଗତ ୨୦୨୦ ମସିହାରୁ ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ଲାଗୁ ହେବା ପରେ ମଧ୍ୟ ତତ୍କାଳୀନ ବିଜେଡି ସରକାର ଏହାକୁ ଓଡିଶା ରାଜ୍ୟରେ କାର୍ଯ୍ୟକାରୀ କରିଲେ ନାହିଁ । ୨୦୨୪ ମସିହାରେ ଆମ ସରକାର ଶାସନକୁ ଆସିବା ପରେ ଏନ୍‌ଇପି-୨୦୨୦ କାର୍ଯ୍ୟକାରୀ କରିବାର ପ୍ରକିୟା ଆରମ୍ଭ କରିଲେ । ଏନ୍‌ଇପି-୨୦୨୦ ଆଧାରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ନୂତନ ପୁସ୍ତକ ପ୍ରଚଳନ କରାଗଲା । ପାଠ୍ୟ ପୁସ୍ତକରେ ତୃଟି ପରିଲକ୍ଷିତ ହେଲା । ଯାହା ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଆମ ସମସ୍ତଙ୍କୁ ବହୁତ କଷ୍ଟ ଦେଇଛି । ପାଠ୍ୟ ପୁସ୍ତକରେ ଥିବା ତଥାକଥିତ ତୃଟିରେ ବିରାଟ ଷଡଯନ୍ତ୍ର ଥିବାର ସନ୍ଦେହ ପ୍ରକାଶ ପାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉନ୍ନୟନ କମିଶନଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରି ତୃଟି ବିଚ୍ୟୁତିର କାରଣ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଲେ । କମିଟିର ରିପୋର୍ଟ ଆଧାରରେ ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଗଲା । ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ରର ଗନ୍ଧ ସମୟକ୍ରମେ ଘନୀଭୁତ ହେବାରୁ ଏହି ବିରାଟ ଷଡଯନ୍ତ୍ରର ପର୍ଦ୍ଦାଫାଶ ସମେତ ଷଡଯନ୍ତ୍ରକାରୀମାନଙ୍କ ବିରୁଦ୍ଧରେ ଦୃଢ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିଲେ । କ୍ରାଇମବ୍ରାଂଚ ଏହି ବିଷୟକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଦେଇଛି । ତଦନ୍ତର ପ୍ରଥମ ପର୍ଯ୍ୟାୟରେ ତତ୍କାଳୀନ ଏସସିଇଆରଟିର ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢୀଙ୍କୁ ତଦନ୍ତ ପରିସରଭୁକ୍ତ କରି ଜେରା କରିବା ପରେ ତାଙ୍କୁ ଗିରଫ କରି ଜେଲ ପଠାଯାଇଛି । ଷଡଯନ୍ତ୍ରକାରୀ ଯିଏ ବି ହୁଅନ୍ତୁ ନା କାହିଁକି, ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ସମସ୍ତଙ୍କ ଉପରେ ନିଶ୍ଚିତ ଭାବରେ ଦୃଢ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ । କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର କରିବାର ଘୃଣ୍ୟ ଷଡଯନ୍ତ୍ର ଅତ୍ୟନ୍ତ ଅକ୍ଷମଣୀୟ । ତନ୍ନ ତନ୍ନ କରି ଯାଂଚ କରାଯାଇ ଅପରାଧିମାନଙ୍କୁ ଖୋଜି ବାହାର କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।ଅନ୍ୟ ପଟେ କିଛି ଷଡଯନ୍ତ୍ରକାରୀ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ‘ସୁପାରୀ ଜର୍ଣ୍ଣାଲିଜମ’ କରି ସମଗ୍ର ଜର୍ଣ୍ଣାଲିଜମ ବ୍ୟବସ୍ଥାକୁ ବଦନାମ କରୁଥିବା କିଛି ନିର୍ଦ୍ଦିଷ୍ଟ ସାମ୍ବାଦିକ ଏହି ଷଡଯନ୍ତ୍ରରେ ଅଂଶବିଶେଷ ସାଜିଛନ୍ତି । ଗତ କାଲି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଭିଡିଓ ଓ ଅଡିଓ କ୍ଲିପରେ ବିରୋଧୀ ଦଳର ଷଡଯନ୍ତ୍ର ସ୍ପଷ୍ଟ ହୋଇଛି । ଏ ସମସ୍ତ ଘଟଣାକୁ ଚାପି ଦେବା ପାଇଁ ତାଙ୍କ ଚ୍ୟାନେଲର ଉମରକୋଟ ସାମ୍ବାଦିକଙ୍କ ଜରିଆରେ ବାର୍ତ୍ତାଳପ ସମୟରେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପାଂଚ ଲକ୍ଷ ଟଙ୍କା ଯାଚୁଥିବାର ତଥାକଥିତ ଗଣମାଧ୍ୟମର ସଂପାଦକ ଶ୍ରୀ ସୁଧାଂଶୁ ରାଉତ ସିଧାସଳଖ ଅଭିଯୋଗ କରିଥିଲେ । ପରବର୍ତ୍ତୀ ଘଟଣାକ୍ରମରେ ଉମରକୋଟର ସେହି ସାମ୍ବାଦିକଜଣକ ଫେସବୁକ୍ ଲାଇଭ୍ ରେ ଆସି ସୁଧାଂଶୁ ରାଉତଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରି ମିଥ୍ୟା ଓ ଅମୂଳକ ବୋଲି କହିଲେ । ଉମରକୋଟର ସାମ୍ବାଦିକ ଏବଂ ସମ୍ପାଦକ ସୁଧାଂଶୁ ରାଉତଙ୍କ ମଧ୍ୟରେ ବାର୍ତାଳାପ ଶୁଣିବା ପରେ ଏଥିରୁ ସ୍ପଷ୍ଟ ହେଉଛି ଯେ, ସାମ୍ବାଦିକତା ଭଳି ଏକ ପବିତ୍ର କାର୍ଯ୍ୟକୁ ସଂପାଦକ ଶ୍ରୀ ରାଉତ କଳଙ୍କିତ ଓ ନିନ୍ଦିତ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ଉମରକୋଟ ଭଳି ଏକ ଉପାନ୍ତ ଅଂଚଳରୁ ନିର୍ବାଚିତ ଜନପ୍ରତିନିଧି ତଥା ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଜଣେ ଯୋଗ୍ୟ, ଅତ୍ୟନ୍ତ ସରଳ ଏବଂ ସେ ଜନଜାତି ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଛନ୍ତି । ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ହେଉଥିବା ଷଡଯନ୍ତ୍ରଟି ସେହି ଅଡିଓରୁ ସ୍ପଷ୍ଟ ହୋଇଛି । ରାଜ୍ୟରେ ଅନେକ ପ୍ରତିଷ୍ଠିତ ସାମ୍ବାଦିକ ଦୀର୍ଘ ସମୟ ଧରି ସାମ୍ବାଦିକତା କରିଥିଲେ ସୁଦ୍ଧା ସେମାନଙ୍କ କୈାଣସି ବିବାଦ ବା କଳଙ୍କ ସ୍ପର୍ଶ କରିନାହିଁ, ଅପର ପକ୍ଷରେ ସେମାନଙ୍କର ବୃତ୍ତିଗତ ବିଶ୍ୱସନୀୟତା ଓଡିଶାବାସୀଙ୍କ ନିକଟରେ ସର୍ବଦା ଆସ୍ଥାଭାଜନ ହୋଇପାରିଛି । ରାଜନୀତି ପ୍ରକ୍ରିୟା ଭିନ୍ନ, କିନ୍ତୁ ରାଜନୀତି ଭିତରେ ଏ ପ୍ରକାର ଶ୍ରୀ ରାଉତଙ୍କ ଭଳି ରୁଗ୍‌ଣ ମାନସିକତା ରଖୁଥିବା କାମଳ ସାମ୍ବାଦିକତାର କୌଣସି ସ୍ଥାନ ନାହିଁ । ଓଡିଶାରେ ଦୀର୍ଘ ସମୟ ଧରି ବିଜୁ ଜନତା ଦଳ ଶାସନ କ୍ଷମତାରେ ଥାଇ ସାଧାରଣ ଜନତାଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହେବା ପରେ ବର୍ତମାନ ଅତ୍ୟନ୍ତ ନିମ୍ନ ସ୍ତରକୁ ଖସିଯାଇ ଗଣମାଧ୍ୟମକୁ ଅପବ୍ୟବହାର କରିବାକୁ ମଧ୍ୟ ପଶ୍ଚାଦପଦ ହେଉନାହିଁ । ଏପରିକି ଶ୍ରୀ ରାଉତ ଏବଂ ତାଙ୍କ ଭଳି କାମଳ ମାନସିକତା ରଖୁଥିବା କିଛି ମୁଷ୍ଟିମେୟ ସାମ୍ବାଦିକଙ୍କୁ ନିର୍ବାଚିତ ଜନପ୍ରତିନିଧି ତଥା ମନ୍ତ୍ରୀ ଭଳି ସାମ୍ବିଧାନିକ ଦାୟୀତ୍ୱରେ ଥିବା ବ୍ୟକ୍ତି ଓ ସରକାରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ବିଜେଡି ସୁପାରୀ ପ୍ରଦାନ କରିବା, ଓଡିଶା ରାଜନୈତିକ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ସୃଷ୍ଟି କରିଛି । ଏହି ସୁପାରୀ ସାମ୍ବାଦିକ ଶ୍ରୀ ରାଉତଙ୍କ ନାମରେ ଥାନାରେ ଏଫଆଇଆର ଦିଆଯାଇଛି । ତେଣୁ ଏଭଳି ସୁପାରୀ ସାମ୍ବାଦିକମାନଙ୍କଠାରୁ ଜନସାଧାରଣ ସାବଧାନ ରହିବା ଉଚିତ୍ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ରମେଶ ଚନ୍ଦ୍ର ସାହୁ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here