ବ୍ରହ୍ମପୁର,୧୬/୦୭/୨୦୨୬:
ଗୋଳନ୍ଥରା ଥାନା ସମ୍ମୁଖରେ ଥିବା ଏକ ଚାହା ଦୋକାନ ସମ୍ମୁଖରେ ଠିଆ ହୋଇଥିବା ଥାନାରେ କାର୍ଯ୍ୟରତ ମହିଳା ଝାଡୁଦାର କୁ ଜଣେ ବ୍ୟକ୍ତି ଖଣ୍ଡା ରେ ଆକ୍ରମଣ କରି ଲହୁଲୁହାଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ଖଣ୍ଡା ଚୋଟରେ ଆହାତ ହୋଇଥିବା ମହିଳା ଜଣଙ୍କ ପାଲୁର ହିଲ୍ ଶାନ୍ତି ନଗରର ଏମ କାନ୍ତାମ୍ମା(୫୫) ବୋଲି ଜଣାପଡିଛି। ଅଭିଯୋଗ ଅନୁସାରେ ଆଜି ଅପରାହ୍ନ ୫ ଟା ବେଳେ କାନ୍ତାମ୍ମା ଥାନାରେ ଝାଡୁ କରିବା ପରେ ଥାନା ସମ୍ମୁଖରେ ରାସ୍ତା କଡ଼ରେ ଥିବା ଏକ ଚାହା ଦୋକାନ ନିକଟରେ ଠିଆ ହୋଇଥିବା ବେଳେ ମହିଳା ଙ୍କ ସାହିରେ ରହୁଥିବା ଇ କ୍ରିଷ୍ଣା ଦୋରା(୬୦) ହଠାତ ସେଠାରେ ପହଞ୍ଚି ଏକ ଖଣ୍ଡା ରେ କାନ୍ତାମ୍ମା ଙ୍କ ହାତ ଓ ଗୋଡ଼କୁ ହାଣି ଦେଇଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ କ୍ରିଷ୍ଣା ଦୋରା କୁ କାବୁ କରିବା ସହ ଥାନା ରେ ଜିମା ଦେଇଥିଲେ। ଗୁରୁତର କାନ୍ତାମ୍ମା କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ କୁ ଚିକିତ୍ସା ନିମନ୍ତେ ପଠାଇଥିଲେ।ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି କ୍ରିଷ୍ଣା ଦୋରା,କାନ୍ତାମ୍ମା କୁ ହାଣିଥିବା ପୁଲିସ ନିକଟରେ ପ୍ରକାଶ କରିଥିବା ବେଳେ ପୁଲିସ ପକ୍ଷରୁ ଘଟଣା ନେଇ ତଦନ୍ତ ଚଳେଇଥିବା ଆଇଆଇସି ଟୁନା ସାସମଲ ପ୍ରକାଶ କରିଛନ୍ତି।




