ସମଗ୍ର ପୋଲିସ ବାବୁଙ୍କ ନାଲି ଆଖିକୁ ମୁଖ୍ୟମନ୍ତ୍ରୀଙ୍କ ନଜର

0
177

ଭୂବନେଶ୍ୱର, ୧୪/୯-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ରାଜ୍ୟର ସମସ୍ତ ୬୩୫ ଥାନା ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନସି ଜରିଆରେ ମୋ ସରକାର କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅକ୍ଟୋବର ୨ଠାରୁ ସେ ନିଜେ ପ୍ରତିଦିନ ଥାନାକୁ ଆସୁଥିବା ବିଭିନ୍ନ ଅଭିଯୋଗକାରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ଫୋନ କରି ସେମାନେ ଥାନାରେ କିପରି ବ୍ୟବହାର ଓ ସେବା ପାଇଲେ, ସେ ବିଷୟରେ ପଚାରି ବୁଝିବେ । ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ରେ, ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର . ମୋ ସରକାର ହେଉଛି ସେମାନଙ୍କ ସରକାର । ସେମାନଙ୍କ ଅର୍ଥରେ ପ୍ରଶାସନ ଚାଲୁଛି, । ତେଣୁ ସେମାନଙ୍କୁ ସମ୍ମାନର ସହିତ ବ୍ୟବହାର କରିବା ଆମର ନୈତିକ ଦାୟିତ୍ୱ । ଯେତେବେଳେ କୌଣସି ଅଭିଯୋଗକାରୀ ଥାନାକୁ ଆସୁଛି, ସେତେବେଳେ ସେମାନଙ୍କୁ ଆମେ ସମ୍ପୂର୍ଣ୍ଣ ବୃତ୍ତିଗତ, ନୈତିକ ଓ ମାନବିକତାର ସହ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ମତାମତ ଉପରେ ଭଲ କାମକୁ ତୁରନ୍ତ ପ୍ରଶଂସା କରାଯିବ । ଏଥିପାଇଁ ସେ ନିଜେ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଶଂସାପତ୍ର ଦେବେ ଏବଂ କାମ ସନ୍ତୋଷଜନକ ନ ହେଲେ କାର୍ଯ୍ୟାନୁଷ୍ଠାନ କରାଯିବ । ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜିକରଣ କରାଯିବ ଏବଂ ଏହା ଏସପିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଉପଲବ୍ଧି ହେବ । ଥାନାରେ ଅଭିଯୋଗକାରୀର ମୋବାଇଲ ନମ୍ବରକୁ ମୋ ସରକାର ପୋଟଲରେ ତୁରନ୍ତ ପଞ୍ଜିକରଣ କରାଯିବ । ମୋବାଇଲ ନମ୍ବର ପଞ୍ଜିକରଣ ହେବା ସଙ୍ଗେ ସଙ୍ଗେ ଅଭିଯୋଗକାରୀଙ୍କ ପାଖକୁ ତୁରନ୍ତ ଏସଏମଏସ ଯିବ । ମୋ ସରକାର ପୋଟାଲରୁ ୧୦ଟି ନମ୍ବରକୁ ରାଣ୍ଡୋମ ସିଲେକ୍ସନ କରି ଅଭିଯୋଗକାରୀଙ୍କ ସହିତ ସିଧାସଳଖ ମୁଖ୍ୟମନ୍ତ୍ରୀ କଥା ହେବେ । ଯଦି ଅଭିଯୋଗକାରୀର ମୋବାଇଲ ନମ୍ବର ନ ଥାଏ ତେବେ ସେ ତାଙ୍କର ଆତ୍ମୀୟ ମାନଙ୍କ ନମ୍ବର ଦେଇପାରିବେ । ସେହିପରି ଯଦି ଥାନା ଅଧିକାରୀ ଅବହେଳା କ୍ରମେ ଅଭିଯୋଗକାରୀ ମୋବାଇଲ ନମ୍ବର ପଞ୍ଜିକରଣ ନ କରନ୍ତି, ସେ କ୍ଷେତ୍ରରେ ଅଭିଯୋଗକାରୀ ଟୋଲ ଫ୍ରି ନମ୍ବରକୁ ଫୋନ କଲାପରେ ଏସଏମଏସ ପାଇପାରିବେ । ଥାନା ଅଧିକାରୀଙ୍କର ଏହି ଅବହେଳାକୁ ଗୁରୁତର ସହ ନିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ଥାନା ଅଧିକାରୀମାନେ ମୋ ସରକାରରେ ଭଲ କାମ କରିବେ, ଲୋକଙ୍କ ପ୍ରତିକ୍ରିୟା ସେମାନଙ୍କ ଥାନା ପ୍ରତି ଭଲ ରହିବ, ତେବେ ସମ୍ପୃକ୍ତ ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଭାବରେ ଆଉଟ ଅଫ ଟର୍ଣ୍ଣ ପଦୋନ୍ନତି ଦିଆଯିବ / ପ୍ରତି ମାସରେ ଜିଲ୍ଲା ସ୍ତରରେ ୫-ଟି ରେ ଭଲ କାମ ପାଇଁ ମୋ ସରକାର ପୁରସ୍କାର ଏବଂ ରାଜ୍ୟ ସ୍ତରରେ ମଧ୍ୟ ଅନ୍ତଃ ବିଭାଗୀୟ ପୁରସ୍କାର ଦିଆଯିବ ବୋଲି ବୈଠକରେ ଘୋଷଣା କରାଯାଇଥିଲା । ଭିଡିଓ କାନଫରେନସିଂରେ ବିଭିନ୍ନ ଜିଲ୍ଲାର ଆଇଆଇସି ମାନଙ୍କ ସହିତ ମୋ ସରକାର କାର୍ଯ୍ୟକ୍ରମର ସଫଳ ପ୍ରୟୋଗ ସମ୍ପର୍କରେ ସିଧାସଳଖ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ସ୍ୱରାଷ୍ଟ ବିଭାଗର ପ୍ରମୁଖ ସଚିବ ଏବଂ ବରିଷ୍ଠ ଅଧକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here