*ଦିଗପହଣ୍ଡିରେ ବ୍ଲକ୍ ସ୍ତରୀୟ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ* *ଭାଗନେଲେ ୭୮ ଛାତ୍ରଛାତ୍ରୀ* *ପ୍ରବନ୍ଧରେ ଜ୍ୟୋତିପ୍ରିୟା, ଚିତ୍ରାଙ୍କନରେ ଶ୍ରୀୟାଶ୍ରୀ, ଅନୁଭା ପ୍ରଥମ*

0
278

 

ଦିଗପହଣ୍ଡିି, ୧୫ା୯ (ନିପ୍ର):
ଉକ୍ରଳ ମଣି ଗୋପବନ୍ଧୁ ଦାସଙ୍କୁ ପାଥେୟ କରି ପ୍ରତିଷ୍ଠା ହୋଇଥିବା ଓଡିଶାର ଅଗ୍ରଣି ଦୈନିକ ଖବର କାଗଜ “ସମାଜ” ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକର ବିଭିନ୍ନ ସ୍ଥାନରୁ ବିଭିନ୍ନ ବିଦ୍ୟାଳୟରୁ ସମୁଦାୟ ୭୮ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରବନ୍ଧ ଲିଖନ କେବଳ ଉଚ୍ଚ ବିଦ୍ୟାଳୟ ସ୍ତରର ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଦୁଇ ଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ ଛାତ୍ରଛାତ୍ରୀ ମାନଙ୍କୁ ପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରଷ୍କାର ଏବଂ ପ୍ରମାଣ ପତ୍ର ସହ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ନିର୍ଦ୍ଧାରିତ ସମୟାନୁସାରେ ରବିବାର ସକାଳ ୮ ଘଣ୍ଟ ସମୟରେ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କ ପଞ୍ଜିକରଣ ପ୍ରକ୍ରିୟା ସମ୍ପାଦିତ ହେବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଚିତ୍ରାଙ୍କନ କନିଷ୍ଠ ବିଭାଗରେ ୧୮ ଜଣ ବରିଷ୍ଠ ବିଭାଗରେ ୪୫ ଜଣ ଅଂଶ ଗ୍ରହଣ କରିଥିବା ବେଳେ ପ୍ରବନ୍ଧ ଲିଖନରେ ୧୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କୃଷି କ୍ଷେତ୍ରର ଦୃଶ୍ୟ ବିଷୟ ବସ୍ତୁକୁ ଆଧାର କରି ଚିତ୍ରାଙ୍କନ କନିଷ୍ଠ ବର୍ଗର ଛାତ୍ରଛାତ୍ରୀ ମାନେ ସମାଜ ପକ୍ଷରୁ ପ୍ରଦତ୍ତ ଡ୍ରଇଙ୍ଗ୍ ସିଟ୍ ରେ ଆଙ୍କିଥିବା ବେଳେ ଜଳହିଁ ଜୀବନ ବିଷୟ ବସ୍ତୁକୁ ଆଧାର କରି ଚିତ୍ରାଙ୍କନ ବରିଷ୍ଠ ବର୍ଗରେ ଛାତ୍ରଛାତ୍ରୀ ମାନେ ନିଜର ତୁଳୀର କମାଲ୍ ଡ୍ରଇଙ୍ଗ୍ ସିଟ୍ ମାଧ୍ୟମରେ ଉପସ୍ଥାପନା କରିଥିଲେ । ସେହିପରି ଗୋପବନ୍ଧୁଙ୍କ ଦୃଷ୍ଟିରେ ଜଣେ ଛାତ୍ରର କର୍ତ୍ତବ୍ୟ ବିଷୟ ବସ୍ତୁକୁ ଆଧାର କରି ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହେମନ୍ତ ପାତ୍ର ଏବଂ ପୋଡାମାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଇ.ପ୍ରଦୀପ କୁମାର ପାତ୍ର ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଜର୍ଜ୍ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ଚିତ୍ର ଶିକ୍ଷକ ଚନ୍ଦ୍ର ଭୂଷଣ ପଣ୍ଡିତ ଏବଂ ଅରୁଣ କୁମାର ସାହୁ ଜର୍ଜ୍ ଭାବେ ଯୋଗ ଦେଇ ମୂଲ୍ୟାୟନ କରିଥିଲେ । ପରେ ସମ୍ମିଳନୀ କକ୍ଷରେ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା । ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହେମନ୍ତ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୋଡାମାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଇ.ପ୍ରଦୀପ କୁମାର ପାତ୍ର ମଞ୍ଚାସୀନ ଥିଲେ । ବଡଖେମୁଣ୍ଡି ହାଇସ୍କୁଲର ଏନସିସି ଅଫିସର୍ ଏମ୍.ଗୌରାଙ୍ଗ, ଆଇନଜିବୀ ହରପ୍ରସାଦ ରଥ, ସମାଜସେବୀ ଇଂ.ରଞ୍ଜନ କୁମାର ପାତ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିଶିର କୁମାର ଦାସ, ସମାଜ ବ୍ଳକ ପ୍ରତିନିଧି ଗଜାନନ ତ୍ରିପାଠୀ, ପ୍ରକୃତିବନ୍ଧୁ ପୁରଷ୍କାର ପ୍ରାପ୍ତ ସ୍ୱେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ମଞ୍ଚାସୀନ ଥିଲେ । ଉକ୍ରଳ ମଣି ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିବା ସହିତ ଶତବାର୍ଷିକ ଉତ୍ସବ ଏବଂ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆଭିମୂଖ୍ୟ ସମ୍ପର୍କରେ ଅଂଶ ଗ୍ରହଣକାରୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ଉଦ୍ବୋଧନ ଦେଇଥିଲେ । ଚିତ୍ରାଙ୍କନ କନିଷ୍ଠ ବର୍ଗରେ ସରସ୍ୱତି ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ରୀ ଏନ୍. ଅନୁଭା ରେଡ୍ଡି ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ ସିଲ୍ଭା ରୋଶନୀ ପଣ୍ଡା ଦ୍ୱିତୀୟ, କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରୀ ବିଶ୍ୱରୂପା ପାଇକରାୟ ତୃତୀୟ ଭାବେ ମନୋନୀତ ହୋଇଥିଲେ । ଚିତ୍ରାଙ୍କନ ବରିଷ୍ଠ ବର୍ଗରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀର ଛାତ୍ରୀ ଶ୍ରିୟାଶ୍ରୀ ସାହୁ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଅନନ୍ୟା ପଟ୍ଟନାୟକ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଜ୍ୟୋତିରାଦିତ୍ୟ ପାଇକରାୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜ୍ୟୋତିପ୍ରିୟା ସାହୁ ପ୍ରଥମ ଏବଂ ଦେବସ୍ମିତା ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସରସ୍ୱତି ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଆଦର୍ଶ ରଥ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ କୃତି ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ସେହିପରି କୋୟଲ ପାଢୀ, ପ୍ରିୟଙ୍କା ରଥ, ଆକାଶ କୁମାର ଦୋରା, ଯାଜ୍ଞସିନୀ ପାଢୀ, ଅଭୟ କୁମାର ପଣ୍ଡା ଓ ସନ୍ତୋଷିନୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ସାନ୍ତ୍ୱନା ମୂଳକ ପୁରଷ୍କାର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ମିଲନ ପାଣିଗ୍ରାହୀ, ବି.ମନୋଜ ଦୋରା, ପୀତବାସ ତ୍ରିପାଠୀ, ସମ୍ଭବ କୁମାର ତ୍ରିପାଠୀ, ଜଗ୍ଦୀଶ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ: ରବି କୁମାର ଶର୍ମା

LEAVE A REPLY

Please enter your comment!
Please enter your name here