ମହାନଗର ନିଗମ ନିର୍ବାଚନୀ ପୋଷ୍ଟମର୍ଟମ ରିପୋର୍ଟରେ ବିଫଳ ସ୍ଥାନୀୟ ବିଜେଡି ନେତୃତ୍ୱ , ତୃତୀୟ ପକ୍ଷଙ୍କ ଦବଦବାରେ ବ୍ରହ୍ମପୁର

0
1366

ବ୍ରହ୍ମପୁର , ୧୦/୦୪/୨୦୨୨: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବ୍ରହ୍ମପୁର ସହର ନୂଆଁ ଡେପୁଟି ମେୟର ପାଇଛି । ଚଳିତ ବର୍ଷ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତଙ୍କ ନଜର ଡେପୁଟି ମେୟର ଆସନ ଉପରେ ନିବଦ୍ଧ ଥିଲା । ବ୍ରହ୍ମପୁର ରାଜନୀତିରେ ଏହି ପଦବୀକୁ ନେଇ ପ୍ରବଳ ଅଙ୍କ କଷା ମଧ୍ୟ ଚାଲିଥିଲା । ନିର୍ବାଚନ ଫଳାଫଳ ପ୍ରକାରେ ବିଜେଡିର କର୍ପରେଟର ସଂଖ୍ୟା ଅଧିକ ଥିବାରୁ ଏହି ପଦରେ ବି ଜଣେ ବିଜେଡି କର୍ପରେଟର ହିଁ ଅସିନ ହେବାର ଥୟ ମଧ୍ୟ ଥିଲା । ପରିଶେଷରେ ସେୟା ହିଁ ଘଟିଲା ସତକଥା , କିନ୍ତୁ ଏହାକୁ ନେଇ କିଛି ନେତାଙ୍କ ବଦହଜମି ହୋଇଥିବା ଆଲୋଚନା ସମ୍ପ୍ରତି ଗଞ୍ଜାମର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ହେଉଛି । ଏଠି କୁହାଯାଉଛି ତୃତୀୟ ମହଲାରେ ନିଜର ଦବଦବା ଜାରି ରଖିବାକୁ ଚେଷ୍ଟା କରୁଥିବା ନେତାଏ ଶେଷରେ ବିଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଏହାର ଫାଇଦା ନେଇ ଶେଷରେ ବ୍ରହ୍ମପୁର ରାଜନୀତିରେ ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ କୁହାଯାଉଥିବା ଜଣେ ବ୍ୟକ୍ତିଙ୍କ ଉପସ୍ଥିତି ଦବଦବା କାଏମ ରହିଛି । ଏଠି ଆମେ ଆପଣଙ୍କୁ ଜଣେଇ ଦେବାକୁ ଚାହୁଁ ଯେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ସଂପ୍ରତି ସର୍ବକନିଷ୍ଠ କର୍ପୋରେଟରଙ୍କୁ ଡେପୁଟି ମେୟର ପଦରେ ବସେଇଛନ୍ତି । ବ୍ରହ୍ମପୁରରେ ମଧ୍ୟ ପ୍ରଥମଥର ପାଇଁ କର୍ପରେଟର ହୋଇଥିବା ବିବେକ ରେଡ୍ଡୀଙ୍କୁ ଏହି ପଦବୀ ପାଇଁ ବିବେଚିତ କରାଯାଇଛି । ବର୍ତ୍ତମାନ ସେ ବ୍ରହ୍ମପୁର ସହରର ଡେପୁଟି ମେୟର । ପରନ୍ତୁ ରାଜନୈତିକ ସୂତ୍ର କହୁଛି ବ୍ରହ୍ମପୁରରେ ପ୍ରତିଷ୍ଠିତ ବିଜେଡି ନେତାଙ୍କ ପ୍ରସ୍ତୁତ ପୂର୍ବନକ୍ସା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି । କୁହାଯାଉଛି , ଗୋଟିଏ ପଟେ ବିଧାୟକ ବିକ୍ରମ ପଣ୍ଡାଙ୍କ ଗୋଷ୍ଠୀ ଏବଂ ଅନ୍ୟ ପକ୍ଷରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତିଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଏବଂ ନିଜ ସମର୍ଥକ କର୍ପୋରେଟରଙ୍କୁ ଏହି ପଦରେ ଥଇଥାନ କରିବାର ପ୍ରଚେଷ୍ଟା ମଉଳି ଯାଇଛି । ଉଭୟ ପକ୍ଷଙ୍କ ବିବାଦ ହିଁ ତୃତୀୟ ପକ୍ଷଙ୍କୁ ଏକଦମ ସୁଯୋଗ ଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ପ୍ରକାରେ , ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବ୍ରହ୍ମପୁର ମହାନଗର ନିଗମର ୪ ଟି ୱାର୍ଡ ରହିଛି । ସେହି ନିର୍ବାଚନ ମଣ୍ଡଳୀ ପାଇଁ ସମ୍ପ୍ରତି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶ ଦାତା ଗୋପବନ୍ଧୁ ଦାସ ଫୁଲ ଦମରେ ଲାଗିଥିବା ଆଲୋଚନା ହେଉଛି । ତେବେ କର୍ପୋରେଟର ମାନେ ଯେହେତୁ ଡେପୁଟି ମେୟର ବାଛିବାନେଇ ପ୍ରକ୍ରିୟା ରହିଛି କିନ୍ତୁ ବିଜେଡି ମୁଖିଆ ହିଁ ସର୍ବେସର୍ବା । ମୁଖିଆଙ୍କ ଶୁଭଦୃଷ୍ଟି ଥିବା ପ୍ରାର୍ଥୀ ହିଁ ସମର୍ଥନ ପାଇବ । ଶେଷରେ ସେଇୟା ହିଁ ଘଟିଛି । କିନ୍ତୁ ବଡ଼ କଥା ଏହିକି ,ଏହି ପଦବୀ ପାଇଁ ଦାବିଦାର ଥିବା କିଛି ପୁରୁଣା ବିଜେଡି ନେତୃତ୍ୱ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନା ବିଧାୟକଙ୍କ ପାଖଲୋକ କିମ୍ବା ଜିଲ୍ଲା ସଭାପତିଙ୍କ ପାଖ ଲୋକ କେହିବି ଏହି ପଦରେ ଆସିନ ନହେବା ବ୍ୟଥିତ କରିଛି । ଶେଷରେ ତୃତୀୟ ପକ୍ଷ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶ ଦାତା ଗୋପବନ୍ଧୁ ଦାସଙ୍କ ନବୀନ ନିବାସର ସିଧା ଲିଙ୍କ ଥିବାରୁ ଦୌଡ଼ରେ ନଥିବା ତାଙ୍କ ପ୍ରାର୍ଥୀଙ୍କ ରାଟିଆଧିଆ ଜିତାପଟ ହୋଇଥିବା ଆଲୋଚନା ହେଉଅଛି । ସେ ଯାହା ବି ହେଉ ଏହି ନିର୍ବାଚନ ପରେ ତୃତୀୟ ମହଲାର ଗୁଡ଼ ବୁକରେ ସ୍ଥାନୀୟ ନେତୃତ୍ୱବୃନ୍ଦଙ୍କ ସ୍ଥାନ ନିରୂପଣ ମଧ୍ୟ ହୋଇସାରିଛି । ପୁର୍ବ ଦିନରୁ ବ୍ରହ୍ମପୁରରେ ଆଲୋଚନା ହେଉଥିବା ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଓ ମୁହଁମୋଡ଼ା ରାଜନୀତି ଆବିକାର ତୃତୀୟ ପକ୍ଷଙ୍କୁ ବେଶ ସହାୟକ ହେଉଛି ବୋଲି ରେଶମ ସହରରେ ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here