ସହର ତଳି ଅଞ୍ଚଳ କୁ ମହାନଗର ନିଗମ ରେ ସାମିଲ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ସହ ପ୍ରକ୍ରିୟା ଆରମ୍ଭ

0
144

ବ୍ରହ୍ମପୁର,୨୮/୧୦/୨୦୨:୨୦୦୮ ନୋଟିଫିକେସନ ଅନୁସାରେ ବ୍ରହ୍ମପୁର ସନ୍ନିକଟ ଅଞ୍ଚଳ ତଥା ସହର ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରି ଏକ ପୂର୍ଣ୍ଣାଙ୍ଗ ଓ ବୃହତ୍ତର ମହାନଗର ନିଗମ ଗଠନ କରିବା ଦାବୀ ନେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଦୀର୍ଘ ୧୨ ବର୍ଷ ହେଲା ଦାବୀ କରାଯାଇ ଆସୁଥିଲେ ସୁଦ୍ଧା ସରକାର ତାହା ପୂରଣ କରିବାରେ ବିଫଳ ରହି ତିନି ତିନୋଟି ନିର୍ବାଚନ ପାର ହେଇଗଲେ ସିନା ସହର ତଳି ଅଞ୍ଚଳ ସାମିଲ ନେଇ ନିଜ ନୀତି ସ୍ପଷ୍ଟ କଲେ ନାହିଁ ବରଂ ଟାଳଟୁଳ ନୀତି ଆପଣେଇ ଚାଲିଲେ। ରାଜନୈତିକ, ସାମାଜିକ ଓ ପ୍ରଶାସନିକ ସ୍ତରରେ ଆନ୍ଦୋଳନ ଏବଂ ଲଢେ଼ଇ କରି ବିଫଳ ହେବା ପରେ ବାଧ୍ୟ ହୋଇ କ୍ରିୟାନୁଷ୍ଠାନ କମିଟି ତରଫରୁ ଆଇନଗତ ପଦକ୍ଷେପ ସ୍ୱରୂପ ଉଚ୍ଚ ନ୍ୟାୟାଳୟରେ ରିଟ ଯାଚିକା ଦାଖଲ କରାଯାଇଥିଲା।ଗତ ନଭେମ୍ବର ୨୦୨୧ ରେ ଦାଖଲ ଯାଚିକାର ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକ ପୌର ପ୍ରଶାସନଙ୍କୁ ମହାନଗର ନିଗମରେ ସାମିଲ ସକାଶେ ସଂକଳ୍ପ ପାସ କରିଥିବା କୁକୁଡ଼ାଖଣ୍ଡି ବ୍ଲକର ଲୋଚାପଡା ଗ୍ରାମ ପଞ୍ଚାୟତ ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ତିନୋଟି ଗ୍ରାମକୁ ତିନି ମାସ ମଧ୍ୟରେ ସାମିଲ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଜାରି କରିଥିଲେ।କିନ୍ତୁ ହାଇ କୋର୍ଟଙ୍କ ନିର୍ଦ୍ଧେଶ ପ୍ରକାରେ ସରକାର ତିନି ମାସ ମଧ୍ୟରେ ପଦକ୍ଷେପ ନେବାରେ ବିଫଳ ରହିବାରୁ କ୍ରିୟାନୁଷ୍ଠାନ କମିଟି ତରଫରୁ ନିର୍ଦ୍ଦେଶକ ପୌର ପ୍ରଶାସନ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଦାୟର ଗତ ଅଗଷ୍ଟ ମାସରେ ଦାୟର କରାଯାଇଥିଲା । ଅଦାଲତ ଅବମାନନା ଯାଚିକାର ବିଚାର କରି ହାଇକୋର୍ଟ ନିର୍ଦ୍ଦେଶକ ପୌର ପ୍ରଶାସକଙ୍କୁ ଆଦେଶ କାର୍ଯ୍ୟକାରୀ କରିବା ପାଇଁ ପୁନର୍ବାର ଏକ ମାସ ସମୟ ଦେଇଥିଲେ। ସେହି ଏକ ମାସ ସମୟ ସୀମା ଗତ କାଲି ସମାପ୍ତ ହୋଇ ଯାଇଥିବାରୁ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ଯାଇ ଲୋଚପଡା ଗ୍ରାମ ପଞ୍ଚାୟତ ସହ ବଡ଼ କୁଶସ୍ଥଳି ପଞ୍ଚାୟତର ସାନ କୁଷସ୍ଥଳି ଗ୍ରାମ , ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣ ପଲ୍ଲି ଗ୍ରାମ ଏବଂ ଗୋଳବନ୍ଧ ଗ୍ରାମ ପଞ୍ଚାୟତର ଗୋଳାବନ୍ଧ ଆର୍ମି ଟ୍ରେନିଙ୍ଗ ସ୍କୁଲକୁ ମିଶାଇବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି।ଏ ନେଇ ତିରିଶ ଦିନ ମଧ୍ୟରେ ଆପତ୍ତି ଓ ପରାମର୍ଶ ଆହ୍ଵାନ କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କାର୍ଯ୍ୟକାରୀ କରି ସହର ତଳି ଅଞ୍ଚଳ ସାମିଲ କରିବା ପକ୍ରିୟା ଆରମ୍ଭ କରିଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ସରକାରଙ୍କ ଏହି ପଦକ୍ଷେପକୁ ସ୍ଵାଗତ କରିବା ସହ କୃତଜ୍ଞତା ଜଣାଉଛି। କମିଟି ଆଶା କରୁଛି ଯେ ସରକାର ନିଜ ଦୂରଦୃଷ୍ଟିତା ଓ ବିଜ୍ଞତାର ପରିଚୟ ଦେଇ କମିଟିର ମୂଳ ଦାବୀ ଅନୁଯାୟୀ ସମସ୍ତ ୧୮ ଟି ପଞ୍ଚାୟତକୁ ସାମିଲ କରି ବ୍ରହ୍ମପୁର ମହାନଗର ନିଗମକୁ ଏକ ପୂର୍ଣ୍ଣାଙ୍ଗ ମହାନଗର ନିଗମରେ ପରିଣତ କରିବାକୁ ପଦକ୍ଷେପ ନେବେ । ଏପରି ହେଲେ ହିଁ ବ୍ରହ୍ମପୁର ମହାନଗର ନିଗମ ସହ ସହର ତଳି ଅଞ୍ଚଳର ଦୃତ ବିକାଶ ହେଇପାରିବ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ଉନ୍ନୟନ କାମ ନିମନ୍ତେ ପ୍ରଚୁର ଆର୍ଥିକ ଅନୁଦାନ ଆକାରରେ ମିଳିପାରିବ। ହାଇକୋର୍ଟ ଙ୍କ ଏହି ରାୟ ସରକାରଙ୍କୁ ବଳ ଦେବା ସହ ସମସ୍ତ ବାଧା ବିଘ୍ନ ହଟିଇବାରେ ସାହାଯ୍ୟ କରିବା ସହ ଅନ୍ୟାନ୍ୟ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ବାଟ ଫିଟିବ।ଏଥି ନିମନ୍ତେ ଜନ ପତିନିଧିଙ୍କ ଭୂମିକା ଏବଂ ଜନ ସାଧାରଣଙ୍କ ସହଯୋଗ ସୁନ୍ଦର ଓ ସମୃଦ୍ଧି ଶାଳୀ ମହାନଗର ନିଗମ ଗଠନ ନିମନ୍ତେ ନିତାନ୍ତ ଆବଶ୍ୟକ ରହିଛି ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ସମସ୍ତ ସହର ତଳି ଅଞ୍ଚଳ ମିଶ୍ରଣ ପର୍ଯ୍ୟନ୍ତ କମିଟିର ଲଢେଇ ଜାରୀ ରହିବ ବୋଲି ସେ ପ୍ରକାଶ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here