ବ୍ରହ୍ମପୁର,୧୩/୦୬/୨୦୨୩:ମନୁଷ୍ୟ ସମସ୍ତ ପ୍ରକାର ଦୁଃଖରୁ ଉଦ୍ଧାର ପାଇ ଶାଶ୍ଵତ ସୁଖ-ଶାନ୍ତି-ଆନନ୍ଦ ପ୍ରାପ୍ତ କରିବାକୁ ଚାହେଁ । ଏଥିପାଇଁ ସେ ନିରନ୍ତର ନୂଆ-ନୂଆ ସୁଖ-ସାଧନର ଉଦ୍ଭାବନ କରିଚାଲିଛି । ଜୀବନକୁ ସୁଖମୟ କରିବାର ଏତେ ଭୌତିକ ସାଧନ ବିଦ୍ୟମାନ ଥିବା ସତ୍ତ୍ଵେ
ମଣିଷର ଜୀବନ ପୂର୍ବ ଅପେକ୍ଷା ଅଧିକ ଅଶାନ୍ତିମୟ, ଚାପଗ୍ରସ୍ତ, ସମସ୍ୟାବହୁଳ ହୋଇଯାଇଛି । ବିଶ୍ୱରେ ହିଂସା, ରକ୍ତପାତ, ଧାର୍ମିକ
ଅସହିଷ୍ଣୁତା, ଆତଙ୍କବାଦର ତାଣ୍ଡବ ନୃତ୍ୟ ଲାଗିରହିଛି । ଏ ସବୁର କାରଣ ହେଲା, ମଣିଷର ନୈତିକ ମୂଲ୍ୟବୋଧର ଅବକ୍ଷୟ ।
ବେଦ ନୈତିକ ମୂଲ୍ୟବୋଧର ଶିକ୍ଷା ଦିଏ ଓ ଶାଶ୍ଵତ ଶାନ୍ତିର ରାଜପଥ ଦେଖାଏ । ବେଦର ଶିକ୍ଷା, ସାର୍ବଭୌମ, ସାର୍ବକାଳିକ,
ସାର୍ବଜନୀନ, ମାନବତାବାଦୀ ତଥା ବର୍ଗ-ଜାତି-ରଙ୍ଗ-ଲିଙ୍ଗଗତ ଭେଦଭାବ, ରାଗ-ଦ୍ବେଷ–ପକ୍ଷପାତ ଆଦିରୁ ରହିତ । ଘରେ ଘରେ ବେଦର ଶିକ୍ଷା ଦିଆଗଲେ ଆମର ପାରିବାରିକ, ସାମାଜିକ ଶାନ୍ତି ପ୍ରତିଷ୍ଠା ହେବ । ବ୍ରହ୍ମପୁର ବେଦ ପ୍ରଚାର ସମିତି ପକ୍ଷରୁ ଗିରି ରୋଡ୍ ସ୍ଥିତ, ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ, ପାଢୀ ସେଲିବ୍ରେସନ୍ ହଲ୍ ଠାରେ ଚଳିତ ମାସ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିଦିବସୀୟ ବେଦ ପ୍ରବଚନ କାର୍ଯ୍ୟକ୍ରମର ଉଦଘାଟନ କରି ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ଵାମୀ ସୁଧାନନ୍ଦ ସରସ୍ୱତୀ ଉପରୋକ୍ତ ବିଚାର ବ୍ୟକ୍ତ କରିଛନ୍ତି ।
ମୁଖ୍ୟ ଅତିଥ, ଖଲ୍ଲିକୋଟ୍ ଏକକ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ର କୁଳପତି କର୍ଣ୍ଣେଲ ପ୍ରଫେସର ପ୍ରଫୁଲ୍ଲ କୁମର ମାହାନ୍ତି କହିଲେ ଯେ,ବେଦ ବିଶ୍ଵ ସଂସ୍କୃତିର ମୂଳାଧାର। ସେହିପରି ପାଢୀ ସେଲିବ୍ରେସନ୍ ର ପ୍ରତିଷ୍ଠାତା ତଥା ଲାୟନ୍ସ କ୍ଲବ୍ ର ପୂର୍ବତନ ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀ ସୁରେଶ୍ ଚନ୍ଦ୍ର ପାଢୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ଯେ,ଅତୀତରେ ଭାରତ ବିଶ୍ଵଗୁରୁ ଥିଲା ।କିନ୍ତୁ ଦୁଃଖର କଥା ଯେ ଆଜିର ଯୁବପିଢୀ ଅପସଂସ୍କୃତି ପଛରେ ପଡି ପଥଭ୍ରଷ୍ଟ ହେଉଛନ୍ତି । ଏଣୁ ବେଦର ବହୁଳ ପ୍ରଚାର ଅତ୍ୟାବଶ୍ୟକ।ବେଦ ପ୍ରଚାର ସମିତିର ବ୍ରହ୍ମପୁର ଶାଖାର ବିଷ୍ଣୁ ପ୍ରସାଦ ମୁନି, ଆର୍ ମୋହନ୍ ରେଡି, ଅଶୋକ ସୁବୁଦ୍ଧି, ସୀମଂଚଳ ପାତ୍ର, ବସନ୍ତ କୁମାର ଚୌଧୁରୀ, ଜଗନ୍ନାଥ ସୁବୁଦ୍ଧି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।





