ଖେମୁଣ୍ଡି କଲେଜ୍ ଗୁମର ଖୋଜୁଛନ୍ତି ଛାତ୍ରସଂସଦ ଆଶାୟୀ ପ୍ରାର୍ଥୀ

0
200

ଦିଗପହଣ୍ଡି,୧୧/୯-
ସମ୍ପ୍ରତ୍ତି ଛାତ୍ରସଂସଦ ନିର୍ବାଚନ ବାତିଲ୍ କରାଯାଇ କେବଳ ଚୟନ ପ୍ରକ୍ରିୟାକୁ ନେଇ ବିଭିନ୍ନ ସ୍ଥାନରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅଶାନ୍ତି ବାତାବରଣ ଦେଖାଦେଇଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ କିଛି ସ୍ୱାଗତ କରୁଥିବା ବେଳେ ଆଉ କିଛି ଗଣତନ୍ତ୍ର ପ୍ରକ୍ରିୟା ଏବଂ ରାଜନୈତିକ ସ୍ରୋତରୁ ଛାତ୍ରଛାତ୍ରୀମାନଙ୍କୁ ବଞ୍ଚିତ କରାଯାଉଛି ବୋଲି କିଛି ଯୁକ୍ତି ବାଢି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହାତଗଣତି କିଛି ଦିନ ଗଲେ ଛାତ୍ର ସଂସଦ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ପକ୍ଷରୁ ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଯିବ । ତେବେ ଛାତ୍ର ସଂସଦ କର୍ମକର୍ତ୍ତା ଏବଂ କାର୍ଯ୍ୟକାରୀ କମିଟି ପ୍ରସ୍ତୁତ ଏବଂ ସଭାପତି, ସମ୍ପାଦକ ସହ ବିଭିନ୍ନ ବିଭାଗର ସମ୍ପାଦକ କିଏ ହେବ ସେନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ରାଜନିତୀରୁ ଉଦ୍ଧ୍ୱର୍ରେ ରଖାଯାଇ ଛାତ୍ର ସଂସଦ ପ୍ରସ୍ତୁତ କରିବା ପାଇଁ ଯେଉଁ ଆଭିମୂଖ୍ୟ ରଖାଯାଇଥିଲେ ସମ୍ପ୍ରତ୍ତି ବିଶେଷ କରି କଲେଜ ମଧ୍ୟରେ ରାଜନିତୀ ପ୍ରବେଶ କରୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଫଳରେ ଛାତ୍ରଛାତ୍ରୀ ମାନେ ମଧ୍ୟ କଲେଜ ଏବଂ ଅଧ୍ୟାପକ ଅଧ୍ୟାପିକା ଦ୍ୱାରା ହୋଇଥିବା ବିଭିନ୍ନ ଦୁର୍ନିତୀର ଖୁଲାସା ନେଇ ଖୋଳତାଡ କରୁଥିବା ଜାଣିବାକୁ ମିଳିଛି ।
ପ୍ରକାଶଯେ, ଗତ ଜୁନ୍ ମାସ ପ୍ରଥମ ସପ୍ତାହରେ ଖେମୁଣ୍ଡି ମହାବିଦ୍ୟାଳୟକୁ ନାକ୍ ଟିମ୍ ଆସିଥିବା ବେଳେ କଲେଜର ରୂପରେଖ ଏବଂ ବାତାବରଣକୁ ଦେଖି ସି-ଗ୍ରେଡ୍୍ର ମାନ୍ୟତା ଦେଇଥିଲେ । ସମସ୍ତ ପ୍ରକାର ଭିତ୍ତଭୂମୀ ଥାଇ ମଧ୍ୟ କିଭଳି ସି-ଗ୍ରେଡ୍ ମାନ୍ୟତା ପାଇଲା ସେନେଇ ମଧ୍ୟ ଖୋଳତାଡ୍ ଆରମ୍ଭ ହୋଇଯାଇଛି । ନାକ୍ ଟିମ୍ ପରିଦର୍ଶନରେ ଆସିବା ପୂର୍ବଦିନହିଁ କଲେଜ କମ୍ପ୍ୟୁଟର୍ ର ଡେସ୍କଟପ୍ ମଧ୍ୟରୁ ହାର୍ଡ ଡିସ୍କ୍ ଚୋରି ହୋଇଯାଇଥିଲା । କଲେଜ ପରିସରରେ ସବୁଠାରେ ସିସିଟିଭି ଲାଗି ଥିବା ବେଳେ କେବଳ ଚୋରି ସମୟରେ ସିସିଟିଭିର ଦୃଶ୍ୟ କାହିଁକି ନାହିଁ ସେନେଇ କଲେଜ କର୍ତ୍ତୃପକ୍ଷଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି ବୋଲି ମତ ପ୍ରକାଶ ପାଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ହେଁ ପ୍ରକୃତ ଚୋରକୁ ଧରାଯାଇନାହିଁ କିମ୍ବା ହଜିଯାଇଥିବା ହାର୍ଡ ଡିସ୍କ୍ ଏଯାବତ୍ ଠାବ ହୋଇପାରିନାହିଁ । ଶୁଣିବାକୁ ମିଳୁଛି ଯେ, କଲେଜର ବିଜ୍ଞାନ ବିଭାଗର ଜଣେ ଡେମୋନୋଷ୍ଟ୍ରେଟର୍ ଙ୍କ ନିକଟରେ ଉକ୍ତ ହାର୍ଡ ଡିସ୍କ୍ ଟି ରହିଛି । ସେହିପରି କଲେଜର ବିଜ୍ଞାନ ବିଭାଗର ଜଣେ ଡେମୋନୋଷ୍ଟ୍ରେଟର୍ ଙ୍କ ନିଯୁକ୍ତି ଏବଂ ତାଙ୍କର ଯାବତୀୟ ପ୍ରମାଣ ପତ୍ର ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ବେଳେ ସଠିକ୍ ତଥ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ସେହିପରି ମିଳିଥିବା ତଥ୍ୟରେ ପ୍ରମାଣପତ୍ର ଗୁଡିକରେ ପଞ୍ଜିକୃତ ଏବଂ କ୍ରମିକ ନଂ ଆଦିକୁ ଲିଭାଇଦେଇ ତଥ୍ୟ ପ୍ରଦାନ କରାଯାଇଛି ବୋଲି ସମାଜସେବୀ ଅନନ୍ତ ମହାନ୍ତି ଅଭିଯୋଗ କରିଛନ୍ତି । ନିକଟରେ କଲେଜରେ ଶ୍ରୀ ଗଣେଶ ମହୋତ୍ସବ ପାଳନ କରାଯାଇଥିବା ବେଳେ ସେଥିରେ କେତେ ବ୍ୟୟ ବରାଦ୍ ହୋଇଛି ଏବଂ କାହା କାହା ଠାରୁ ଚାନ୍ଦା ଆଦାୟ ହୋଇଛି ସେନେଇ ମଧ୍ୟ ବିଭିନ୍ନ ପ୍ରକାର ସମାଲୋଚନା ସୃଷ୍ଟି ହୋଇଛି । ବିଭିନ୍ନ ରାଜନୈତିକ ଦଳୀୟ ନେତା ମାନଙ୍କ ଚାନ୍ଦାରେ ଶ୍ରୀ ଗଣେଶ ପୂଜା ପାଳନ କରାଯାଇଥିବା ବେଳେ ଛାତ୍ରସଂସଦ କର୍ମକର୍ତ୍ତା ଚୟନରେ ସାଧୁତାର ସହ ହେବ କି ନାହିଁ ସେଥି ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ଗତ ୨୦୧୮ ବର୍ଷରେ ତିତିଲି ବାତ୍ୟା ପାଇଁ ଖେମୁଣ୍ଡି କଲେଜରେ ଛାତ୍ରସଂସଦ ନିର୍ବାଚନ ବାତିଲ୍ ହୋଇଯାଇଥିଲା । ସେହିପରି ୨୦୧୭ ମସିହାରେ ଛାତ୍ରସଂସଦ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଚାଲିଥିବା ସମୟରେ କଲେଜ ପରିସରରେ ବୋମା ବିସ୍ଫୋରଣ ହୋଇଥିଲା । ଫଳରେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶାକ୍ରମେ ସାଇନ୍-ଏ-ଡାଏ ଘୋଷଣା କରାଯାଇ ନିର୍ବାଚନ ବନ୍ଦ କରିଦିଆଯାଇଥିଲା । ଫଳରେ ୨୦୧୭ ମସିହାରୁ ଅଦ୍ୟାବିଧି ଛାତ୍ରସଂସଦ ପାଣ୍ଠିର ବ୍ୟୟବରାଦ ଏବଂ ହିସାବ ନିକାସ ହୋଇପାରିନାହିଁ । ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆଡ୍ ମିଶନ୍ ସମୟରେ ଛାତ୍ରସଂସଦ ପାଣ୍ଠି ନାମରେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସକାଶେ ଫିସ୍ ପୈଠ ହେଉଥିବା ବେଳେ କୌଣସି ପ୍ରକାର ଛାତ୍ର ସଂସଦ ପ୍ରସ୍ତୁତ ହୋଇନଥିବାରୁ ଛାତ୍ର ସଂସଦର ପାଣ୍ଠି ଉପରେ ସମସ୍ତ ଛାତ୍ରଛାତ୍ରୀଙ୍କ ନଜର୍ ରହିଥିବା ଶୁଣିବାକୁ ମିଳୁଛି । ଚୟନ ଏବଂ ମନୋନୟନ ପ୍ରକ୍ରିୟାରେ ମଧ୍ୟ ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜର ଲବିରେ ରହିଥିବା ବେଳେ ଆଶା ପୂରଣ ନହେଲେ କଲେଜର ଦୁର୍ନିତୀର ଗୁଣ ଗାଇବା ନେଇ ପ୍ରସ୍ତୁତ ହୋଇଯାଇଥିବା ଜାଣିବାକୁ ମିଳିଛି । ବିଭିନ୍ନ ପ୍ରକାର ସୋସିଆଲ୍ ମିଡିଆକୁ ଯୁକ୍ତ ୩ର ଛାତ୍ରଛାତ୍ରୀ ମାନେ ଅମେଘ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଜାଣିବାକୁ ମିଳିଛି । ଅପରପକ୍ଷେ କଲେଜ ପରିସରରେ ଅଣଛାତ୍ର ପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ନିୟମିତ ପୋଲିସ ପଇଁତରା କରିଲେ କଲେଜ ପରିସରରେ ସ୍ୱଭାବିକ ବାତାରଣ ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି ।

ଦିଗପହଣ୍ଡି ପ୍ରତିନିଧି ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here