ଗାନ୍ଧୀ ଜୟନ୍ତୀ ଠାରୁ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ ଓ ଷ୍ଟେସନ ମାନଙ୍କରେ ଏକକ ବ୍ୟବହାର ପ୍ଲାଷ୍ଟିକ ନିଷିଦ୍ଧ

0
220

 

ରେଳବାଇ ପରିସୀମା ବିଶେଷ ଭାବେ ଷ୍ଟେସନ ଅଞ୍ଚଳ ଓ ଟ୍ରେନ ମାନଙ୍କରେ ପ୍ଲାଷ୍ଟିକ ବ୍ୟବହାରକୁ ନିରୁତ୍ସାହିତ କରିବା ଓ ଏକ ସବୁଜିମା ସୃଷ୍ଟି କରିବା ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବ୍ୟାପକ ଭାବେ ଜନ ସଚେତନତା କାର୍ଯ୍ୟକ୍ରମ କରିଆସୁଅଛି I ପରିବେଶ ପ୍ରତି ପ୍ଲାଷ୍ଟିକ ବ୍ୟବହାରର ପ୍ରଦୂଷଣ ଓ ଏହାର କ୍ଷତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏହାର ପରିସୀମା ତଥା ଟ୍ରେନ, ରେଳ ଷ୍ଟେସନ, ଆବାସିକ ଅଞ୍ଚଳ ଓ କାର୍ଯ୍ୟାଳୟ ମାନଙ୍କ ମଧ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରାଇବାକୁ ଅନେକ ପଦକ୍ଷେପ ହାତକୁ ନେଇଛି I

ଆଜି ରେଳପଥର ମୁଖ୍ୟାଳୟ ରେଳସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଏବଂ ପରିବେଶ ପ୍ରତି ଏହାର ଅପକାରିତା ସମ୍ବନ୍ଧରେ ଅନ୍ୟମାନଙ୍କୁ ସଚେତନ କରାଇବାପାଇଁ ଶପଥପାଠ କରାଇଥିଲେ I ରେଳସଦନକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ମହାପ୍ରବନ୍ଧକଙ୍କ ନେତୃତ୍ୱରେ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ଶ୍ରମଦାନ କାର୍ଯ୍ୟକ୍ରମରେ ଭାଗନେଇ ଅଳିଆ ପ୍ଲାଷ୍ଟିକକୁ ସଫା କରିଥିଲେ I

ଚଳିତ ବର୍ଷ ଅକ୍ଟୋବର ମାସ ୨ ତାରିଖ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଠାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ଯଥା ପ୍ଲାଷ୍ଟିକ ବ୍ୟାଗ, କପ, ପ୍ଲେଟ, ଛୋଟ ବୋତଲ, ପ୍ଲାଷ୍ଟିକ ଷ୍ଟ୍ର ଏବଂ କେତେକ ଜରି ପୁଡିଆ (ପାଉଚ)କୁ ଦେଶବ୍ୟାପୀ ନିଷେଧ କରିବାକୁ ପଦକ୍ଷେପ ନିଆଯାଇଅଛି I

ଆଧୁନିକ ଜୀବନ ଶୈଳୀରେ ପ୍ଲାଷ୍ଟିକର ବହୁଳ ବ୍ୟବହାର ମଣିଷ ପାଇଁ ଏବେ ମୁଖ୍ୟ ପ୍ରସଙ୍ଗ ହୋଇଅଛି I ପ୍ଲାଷ୍ଟିକ ବ୍ୟାଗ ର କେମିକାଲ ମଣିଷକୁ କ୍ଷ୍ୟତି ପହଁଚାଉଥିବାବେଳେ ଏହାର ପ୍ରଭାବରେ ସ୍ୱାସ୍ଥ୍ୟ ଖରାପ ହେଵା, ହର୍ମୋନର କାର୍ଯ୍ୟକାରିତାକୁ ପ୍ରଭାବିତ କରିବା ସହିତ କ୍ୟାନ୍ସର ଭଳି ମାରାତ୍ମକ ରୋଗ ସୃଷ୍ଟି କରିଥାଏ I

ପ୍ଲାଷ୍ଟିକ ବ୍ୟାଗ ପରିବେଶ ପ୍ରତି ନାକାରତ୍ମକ ପ୍ରଭାବ ପକାଇଥାଏ I ଯେହେତୁ ପ୍ଲାଷ୍ଟିକ ବ୍ୟାଗ ଏବଂ ଅନ୍ୟାନ ପ୍ଲାଷ୍ଟିକ ଉପକରଣ ଆଦୌ ଅବକ୍ଷୟ ହୁଏନାହିଁ କିମ୍ବା ଏହା ସହଜରେ ପୁନଃଚକ୍ରଣ ହୁଏନାହିଁ ଏଥିପାଇଁ ପରିବେଶ ପ୍ରତି ଏହାର ପ୍ରଭାବ ମାରାତ୍ମକ ଅଟେ I ଏଥିପାଇଁ ପୂର୍ବତଟ ରେଳପଥ ଏହାର ଭେଣ୍ଡର ମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ କିମ୍ବା ଉପଯୋଗ ନକରିବାକୁ ଆଦେଶ ଦେଇଥିବାବେଳେ ଏହାର କର୍ମଚାରୀ ମାନଙ୍କୁ ମଧ୍ୟ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ କହିଛି I

ରେଳବାଇ ପରିସରକୁ ସବୁଜ ପରିବେଶ କରିବାକୁ ସଂକଳ୍ପ ନେଇ ଭାରତୀୟ ରେଳବାଇ ବିଭିନ୍ନ ପଦକ୍ଷେପ ହାତକୁନେଇ ପରିବେଶ ପ୍ରତି ପ୍ରଦୂଷଣର କୁପ୍ରଭାବକୁ ହ୍ରାସ କରିବାକୁ ପ୍ରୟାସ ଜାରିରଖିଛି I ଏଗୁଡିକ ହେଲା ସୌରାଚାଳିତ ଓ ଵାୟୁଚାଳିତ ଶକ୍ତି ଉତ୍ପାଦନ କରି ରେଳାବାଇରେ ବ୍ୟବହାର କରିବା, ଯାତ୍ରୀବାହୀ ଟ୍ରେନ ଗୁଡିକରେ ବାୟୋ-ଟୟଲେଟ ପ୍ରଚଳନ କରାଇବା, ରେଳପଥ କୁ ଇଲେକ୍ଟ୍ରିଫିକେସନ କରିବା, ଏଲଇଡ଼ି ଲାଇଟ ବ୍ୟବହାର କରିବା, ରେଳଧାରଣା କଡରେ ବୃକ୍ଷରୋପଣ କରିବା, ବ୍ୟବହୃତ ପାଣିକୁ ପୁନଃ ବ୍ୟବହାର କରିବା ପାଇଁ ଉପଯୋଗ କରାଇବା, ବର୍ଷା ଜଳ ସଂରକ୍ଷଣ କରିବା ଇତ୍ୟାଦି I ଏହା ବ୍ୟତୀତ, ପ୍ଲାଷ୍ଟିକ ବୋତଲ ଯୋଗୁଁ ପରିବେଶ ପ୍ରଭାବିତକୁ ଏଡ଼ାଇବାପାଇଁ ରେଳଷ୍ଟେସନ ମାନଙ୍କରେ ପ୍ଲାଷ୍ଟିକ ବୋତଲ କ୍ରସିଂ ମେସିନ ବନ୍ଦୋବସ୍ତ କରାଯାଉଅଛି ଯାହା ଫଳରେ ପରିବେଶ ପ୍ରଦୂଷଣକୁ ଏଡାଇଯାଇପାରିବ ଏବଂ ସଂଗୃହିତ ପ୍ଲାଷ୍ଟିକର ପୁନଃ ବ୍ୟବହାର କରାଯାଇ ପାରିବ I

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ଏବେ ସୁଦ୍ଧା ୧୬ଟି ପ୍ଲାଷ୍ଟିକ ବୋତଲ କ୍ରସିଂ ମେସିନ ସ୍ଥାପନ କରିଛି I ବିଶାଖାପାଟଣା ରେଳ ଷ୍ଟେସନ ଠାରେ ୦୬ଟି ଉପଲବ୍ଧ କରାଯାଇଥିବାବେଳେ ଭୁବନେଶ୍ୱର ଠାରେ ୦୨ଟି, ପୁରୀ ଠାରେ ୦୨ଟି, ସମ୍ବଲପୁର ଠାରେ ୦୧ଟି, କଟକ ଠାରେ ୦୪ଟି ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ୦୧ଟି ଉପଲବ୍ଧ କରାଯାଇଅଛି I

ଅଳ୍ପଦିନ ମଧ୍ୟରେ ପୁରୀରେ ଆହୁରି ୦୪ଟି, ଖୋର୍ଦ୍ଧା ରୋଡ଼ ଠାରେ ୦୨ଟି, ରାୟଗଡା ଠାରେ ୦୨ଟି ଏବଂ ବିଜୟନଗରମ, ଶ୍ରୀକାକୁଲମ, ସିଂହIଚଲମ, ଆରକୁ, ଜଗଦଳପୁର, ବଲାଙ୍ଗୀର, ଟିଟିଲାଗଡ଼ ଓ କେସିଙ୍ଗା ଠାରେ ପ୍ରତ୍ୟେକ ଗୋଟିଏ ଲେଖା ପ୍ଲାଷ୍ଟିକ ବୋତଲ କ୍ରସିଂ ମେସିନ ସ୍ଥାପନ କରାଯିବାକୁ ଯୋଜନା ରହିଛି ଯାହା ଫଳରେ ପ୍ଲାଷ୍ଟିକ ବୋତଲକୁ ସଂଗୃହିତ କରାଯାଇ ପୁନଃ ବ୍ୟବହାରଯୁକ୍ତ ପଦାର୍ଥ ତିଆରି କରାଯିବାକୁ ପ୍ରୟାସ କରାଯିବ I ଏଥିପାଇଁ ରେଳଯାତ୍ରୀ ମାନଙ୍କୁ ଏହା ସମ୍ବନ୍ଧରେ ଜଣାଇବା ପାଇଁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଗୁଡିକର ଆୟୋଜନ କରାଯାଉଅଛି ଯାହାଦ୍ୱାରା ରେଳବାଇ ପରିବେଶ ପ୍ରଦୂଷଣ ମୁକ୍ତ ହୋଇପାରିବ I

LEAVE A REPLY

Please enter your comment!
Please enter your name here