୧୦୦ ବର୍ଷ ର ବିଦ୍ୟାଳୟ କୁ ରାସ୍ତା ନାହିଁ

0
393

ଦିଗପହଣ୍ଡି (ଆପ୍ର)

ଆଜିର ଶିଶୁ କାଲିର ନାଗରିକ । ଶିଶୁକୁ ସମସ୍ତ ସୁବିଧା ସୁଯୋଗ ଦେଇ ଦାୟୀତ୍ୱ ନେବା ସମସ୍ତଙ୍କ‌ ଉଚିତ କର୍ତ୍ତବ୍ୟ । ଏଭଳି ସୁନ୍ଦର ସୁନ୍ଦର ଭାଷଣ ଦେବାରେ ନେତା ମାହିର୍ । ବାସ୍ତବରେ କାର୍ଯ୍ୟ ଓ ମନୋଭାବ କିଛି ଅଲଗା । ଲଗାତର ନିର୍ଦ୍ଧିଷ୍ଟ ଦଳ ୨୦ବର୍ଷରୁ ଅଧିକ କାଳ ଦିଗପହଣ୍ଡି ଅଞ୍ଚଳରେ ଶାସନ ଜାରି ରଖିଛି । ପଞ୍ଚାୟତ ସମିତି ଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ଯାଏଁ ଦୀର୍ଘଦିନ ସେହି ଗୋଟିଏ ରାଜନୈତିକ ବ୍ୟବସ୍ଥା ହାତରେ । ଅଞ୍ଚଳର ବିକାଶ ବହୁ ଶୀର୍ଷରେ ରହିବା କଥା । ଆମେ ଯେଉଁ କଥା ଏଠି ଉଲ୍ଲେଖ କରିବୁ ତାହା କୌଣସି ଉପାନ୍ତ ଅଞ୍ଚଳ କିମ୍ବା ଦୁର୍ଗମ ଅପହଞ୍ଚ ଅଞ୍ଚଳ ନୁହେଁ । ଏହା ବ୍ରହ୍ମପୁର-ତପ୍ତପାଣି ମୁଖ୍ୟ ରାଜପଥ ଠାରୁ ମାତ୍ର ୨କିମି ଦୂରରେ, ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଠାରୁ ୪-୫କିମି ମଧ୍ୟରେ । ସଭ୍ୟ ଶିକ୍ଷିତ ଗ୍ରାମ ବିଜୟ ପଦ୍ମନାଭପୁର (ଲାଡିଗାଁ) । ବିଦ୍ୟାଳୟଟି ସ୍ଥାପିତ ୧୯୧୮ ମସିହାରେ । ପାଳନ କରିବ ଏବେ ଶତବାର୍ଷିକି ଉତ୍ସବ। ବିଦ୍ୟାଳୟ ସମାଜକୁ ପ୍ରଦାନ କରିଛି ବହୁ ଉଦୀୟମାନ ନାଗରିକ। ଭାରତୀୟ ପ୍ରଶାସନିକ ସେବା ଭଳି ଉଚ୍ଚ ପଦପଦବୀରେ ଏହି ବିଦ୍ୟାଳୟର ଶିକ୍ଷାର୍ଥୀ । ଆଜି ଯାଏଁ ବିଦ୍ୟାଳୟର ଶିକ୍ଷାର୍ଥୀ ଶିକ୍ଷକ ବିଦ୍ୟାଳୟକୁ ଯିବା ଆସିବା କରିବା ପାଇଁ ପାଇ ପାରିଲେନି ଭଲ ରାସ୍ତା ଟିକେ । ସବୁବେଳେ ଅମଡାବାଟରେ, ବିଲହିଡ ଦେଇ ବିପଦ ସଙ୍କୁଳ ଆତଙ୍କିତ ଆଶଙ୍କାରେ ଯିବାଆସିବା କରିବାକୁ ପଡୁଛି । ସେହି ଅମଡା ବାଟରେ ଆଘାତପ୍ରାପ୍ତ ଶିକ୍ଷାର୍ଥୀ ଏବଂ ଶିକ୍ଷକ । ଏହି ବାବଦରେ ଶିକ୍ଷା ବିଭାଗର ଅଧିକାରୀଙ୍କ ତତ୍ପରତା ଶୂନ । ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ୯୫ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୪ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟରତ । ଏହିଭଳି ସମସ୍ୟା ଗୁଡିକର ସମାଧାନ କରିବା ଯଦିଓ ପ୍ରାଥମିକତା ଭିତ୍ତିରେ ପଞ୍ଚାୟତ ସମିତିର କାର୍ଯ୍ୟ, କିନ୍ତୁ ନିର୍ଦ୍ଧିଷ୍ଟ ବ୍ୟକ୍ତି ଦୀର୍ଘଦିନ ଧରି ଅଧ୍ୟକ୍ଷ/ଉପାଧ୍ୟକ୍ଷ ରୂପେ ରହି ଆସିଥିଲେ ମଧ୍ୟ ସର୍ବଦା ନିଜ ହାତରେ ଲଗାମ ରଖି ଆସିଛନ୍ତି କିନ୍ତୁ ଏଭଳି ସମସ୍ୟା ଗୁଡିକୁ ଦୃଷ୍ଟି ନଦେବା ଆଶ୍ଚର୍ଯ୍ୟ । ଏଥି ସଂପର୍କରେ ଯୋଗାଯୋଗ କରିବା ପାଇଁ ପ୍ରୟାଶ କରିଥିଲେ ମଧ୍ୟ କୌଣସି କାରଣ ବଶତଃ ଏଡେଇ ଯାଉଥିବା ପରିଲକ୍ଷିତ ହେଉଛି । ଅନ୍ୟପଟେ ସେହି ବିଦ୍ୟାଳୟର ଜନୈକ ଶିକ୍ଷକ ଗଞ୍ଜାମ ଜିଲ୍ଲାର ନିର୍ଦ୍ଧିଷ୍ଟ ଶିକ୍ଷକ ବର୍ଗର ଜିଲ୍ଲାସଭାପତି ରହିଆସୁଛନ୍ତି ସିଆରସିସି ରୂପେ ୫ବର୍ଷ କାର୍ଯ୍ୟ କରିବା ସହ ସ୍ଥାନୀୟ ବିଧାୟକଙ୍କ ଅତି ଘନିଷ୍ଠ ଭାବରେ ସଭାସମିତି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଦେଖିବାକୁ ମିଳିଥାଏ । ହେଲେ ମଧ୍ୟ ଏହିଭଳି ସମସ୍ୟାର ସମାଧାନ ସକାଶେ ଚେଷ୍ଟାବାନ ନୁହଁନ୍ତି କି ବୋଲି ପ୍ରଶ୍ନବାଚି । ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହେବ ବୋଲି ସମାଜସେବୀ ଅନନ୍ତ ମହାନ୍ତି ସମେତ ଅନେକ ବୁଦ୍ଧିଜୀବି ମାନଙ୍କ ମଧ୍ୟରେ ଆଶା ସଂଚାର ହେଉଛି, ଯେହେତୁ ସ୍ଥାନୀୟ ବିଧାୟକ ନିରପେକ୍ଷ ପଦବୀ ବାଚଷ୍ପତି ରୂପେ ଅବସ୍ଥାପିତ । ଆଲୋଚ୍ୟ ବିଷୟ ଜାଣିବା ଶୁଣିବା ଲୋକଙ୍କ ମଧ୍ୟରେ ଯେ ବିକାଶର ପରିଭାଷା ଦିଗପହଣ୍ଡି ଅଞ୍ଚଳ ପାଇଁ ଭିନ୍ନ କି?!!!

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here