୧୦ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ଧାନ ସଂଗ୍ରହ ଟାର୍ଗେଟ୍ ୫ ଲକ୍ଷ ଟନ୍ କମିଲା

0
169

ଭୂବନେଶ୍ୱର,୨୬/୯– ୧୦ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ: ଧାନ ସଂଗ୍ରହ ଟାର୍ଗେଟ୍ ୫ ଲକ୍ଷ ଟନ୍ କମିଲା

ଚଳିତ ଖରିଫ ଋତୁରେ ମରୁଡ଼ି ସମସ୍ୟା ନଥିବା ସତ୍ତେ୍ୱ ରାଜ୍ୟ ସରକାର ଗତ ଖରିଫ ବର୍ଷ ତୁଳନାରେ ପ୍ରାୟ ସାଢ଼େ ୫ଲକ୍ଷ ଟନ୍ କମ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଚଳିତ ଖରିଫ ବର୍ଷରେ ରାଜ୍ୟ ସରକାର ମୋଟ ୬୦ଲକ୍ଷ ମେଟ୍ରିକ୍ ଟନ୍ ଧାନ(୪୧ଲକ୍ଷ ମେଟ୍ରିକ ଟନ୍ ଚାଉଳ) ସଂଗ୍ରହ କରିବେ। ଧାନ ଓ ଚାଉଳ ସଂଗ୍ରହ ସୁପରିଚାଳନା ପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ୨୦୧୯-୨୦ ଖରିଫ ବର୍ଷ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହାସହିତ ଅନ୍ୟ ୯ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଆଜି କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

*ଚଳିତ ଖରିଫ ବର୍ଷରେ ଅର୍ଥାତ୍ ଖରିଫରେ ୫୦ଲକ୍ଷ ଓ ରବି ଋତୁରେ ୧୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚାଷୀଙ୍କ ବଳକା ଧାନକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଏହି ଧାନ ସଂଗ୍ରହ ପରିମାଣକୁ ବୃଦ୍ଧି କରାଯାଇପାରିବ। ୨୦୧୮-୧୯ରେ ଉଭୟ ଖରିଫ ଓ ରବିରେ ୬୫.୪୯ଲକ୍ଷ ମେଟ୍ରିକ ଟନ୍ ଧାନ(୪୪.୪୨ଲକ୍ଷ ମେଟ୍ରିକ ଟନ୍ ଚାଉଳ) ସଂଗ୍ରହ କରାଯାଇଥିଲା। ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିତରଣ ପାଇଁ ୨୪ଲକ୍ଷ ମେଟ୍ରିକ ଟନ୍ ଚାଉଳ ଆବଶ୍ୟକ ଥିବାରୁ ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରଦାନ କରାଯିବ। ପି-ପାସ୍ ମାଧ୍ୟମରେ ଚାଷୀଙ୍କୁ ୨୪ରୁ ୪୮ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଯଥାକ୍ରମେ ୧୮୧୫ ଟଙ୍କା ଓ ୧୮୩୫ଟଙ୍କା ଦରରେ ପ୍ରାପ୍ୟ ପ୍ରଦାନ କରାଯିବ । ପ୍ରକୃତ ଚାଷୀ, ଭାଗ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କଠୁ ଧାନ ସଂଗ୍ରହ କରାଯିବ । ଓଡ଼ିଶା ଯୋଗାଣ ନିଗମ ମାଧ୍ୟମରେ ଧାନ ସଂଗ୍ରହ ହେବ ।

ପ୍ୟାକ୍ସ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତରେ ଇଣ୍ଟରନେଟ୍ ସୁବିଧା ରହିଥିଲେ ସେଠାରେ ଧାନ କ୍ରୟ କାର୍ଯ୍ୟ କରାଯିବ। ଅଭାବୀ ଧାନ ବିକ୍ରିକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ/ ସଂଗ୍ରହକାରୀ ସଂସ୍ଥା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ମିଲରରମାନେ ପୂର୍ବବର୍ଷର ଶତପ୍ରତିଶତ ବକେୟା ଚାଉଳ ଫେରସ୍ତ କରିନଥିଲେ ଚଳିତବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ ।

ବରମୁଣ୍ଡା ବସଷ୍ଟାଣ୍ଡର ଆଧୁନିକୀକରଣ କରାଯିବ। ବରମୁଣ୍ଡାଠାରେ ଏକ ଆନ୍ତଃରାଜ୍ୟ ବସ ଟର୍ମିନାଲ ଓ ଜାଗମରାଠାରେ ବସ୍ ଡିପୋ ନିର୍ମାଣ ହେବ। ଏଥିପାଇଁ ଟେଣ୍ଡର ଚୂଡ଼ାନ୍ତ ହୋଇଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ ଆଣ୍ଡ ରୁଫ କମ୍ପାନୀ ୧୬୦.୬୬କୋଟି ଟଙ୍କାରେ ଏହି ଟେଣ୍ଡର ନେଇଛି। ୨୪ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବ ଓ ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ।

*ସେହିପରି ଓଡ଼ିଶା ଟିକସ ଓ ହିସାବ ସେବା ନିୟମରେ ସଂଶୋଧନ କରାଯାଇ ୫୦ ପ୍ରତିଶତ ପଦବୀକୁ ଓଡ଼ିଶା ଅଧସ୍ତନ ଆର୍ଥିକ ସେବା ବର୍ଗର କର୍ମଚାରୀଙ୍କ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ। ଯଦି ପଦୋନ୍ନତି ପାଇଁ ପ୍ରାର୍ଥୀ ନଥିବେ ତେବେ ସିଧାସଳଖ ନିଯୁକ୍ତିରେ ତାହା ପୂରଣ ହେବ।

ବସୁଧା ଯୋଜନାରେ ନୀଳଗିରି ବ୍ଲକର ୧୭ଟି ପଞ୍ଚାୟତର ୯୦ହଜାର ଲୋକଙ୍କ ପାଇଁ ୧୪୯.୧୨କୋଟି ଟଙ୍କାର ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ରାଜ୍ୟ ବାହାରର ୨ଟି ସଂସ୍ଥା ଏହାର ଟେଣ୍ଡର ନେଇଛନ୍ତି ଓ ୨୪ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବେ। ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

ସେହିପରି ଯାଜପୁର ଜିଲ୍ଲାର ଟମକାରୁ ମଙ୍ଗଳପୁର ପର୍ଯ୍ୟନ୍ତ ୪୩କିମି ରାସ୍ତାକୁ ଚାରିଲେନ୍ ବିଶିଷ୍ଟ କରିବା ପାଇଁ ଡିଏମଏଫ ପାଣ୍ଠିରୁ ୧୧୭କୋଟି ଟଙ୍କାରେ ଟେଣ୍ଡର ଆହ୍ୱାନ କରାଯାଇଛି। ଦୁର୍ଗା କନଡେଭ ପ୍ରାଃ ଲିମିଟେଡ୍ ନାମକ ସଂସ୍ଥା ଏହି କାର୍ଯ୍ୟକୁ ୨୪ମାସ ମଧ୍ୟରେ ସାରିବ। ଏଥିପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି।

ଏସବୁ ବ୍ୟତୀତ ବାଲେଶ୍ୱର ଓ ବଲାଙ୍ଗୀରରେ ୫୦୦ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ଚିକିତ୍ସାଳୟ ନିର୍ମାଣ ହେବ। ବାଲେଶ୍ୱର ପାଇଁ ୧୪୪.୯୯କୋଟି ଓ ବଲାଙ୍ଗିର ପାଇଁ ୧୪୨.୪୬ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ସେହିପରି ଖୋର୍ଦ୍ଧାର ବାଙ୍କୁଆଳଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ଆଞ୍ଚଳିକ ଶିକ୍ଷା ଓ ତାଲିମ ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ୨.୪୭୮ଏକର ଜମି ବିନା ମୂଲ୍ୟରେ ରାଜ୍ୟ ସରକାର ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଏସବୁ ବ୍ୟତୀତ ଜିଲ୍ଲା ଜଜମାନଙ୍କୁ ପ୍ରଶାସନିକ କ୍ଷେତ୍ରରେ ସହଯୋଗ କରୁଥିବା ୩୨ଟି କୋର୍ଟ ମ୍ୟାନେଜର ପଦବୀକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିୟମିତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here