*ଦୋଷ ମାନିଲେ ଅଧିକାରୀ : +୨ ରେ ନାମ ଲେଖାଇଥିବା ପିଲାଙ୍କର ଅସୁବିଧା ହେବନି: ନିର୍ଦ୍ଦେଶକ*

0
192

 

ଭୂବନେଶ୍ୱର, ୦୧/୧୦-ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ୨ ନାମଲେଖା କ୍ଷେତ୍ରରେ ବଡ଼ଧରଣର ତ୍ରୁଟି ଧରିତ୍ରୀ ଦୃଷ୍ଟିକୁ ଆସିବାପରେ ଏନେଇ ‘ପିଲା ଯିବେ କୁଆଡ଼େ’ ଶୀର୍ଷକ ଖବର ସୋମବାର ପ୍ରକାଶ ପାଇଥିଲା। ଖବର ଏହା ଥିଲା ଯେ, ଗତ ୧୯ତାରିଖରେ ରାଜ୍ୟର ବିଭିନ୍ନ ସରକାରୀ ଜୁନିଅର କଲେଜଗୁଡିକୁ ପରିଷଦର ସାମସ୍‌(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ) ପକ୍ଷରୁ ପିଲାଙ୍କ ଆଡ୍‌ମିଶନ ଲାଗି ତାଲିକା ପଠାଯାଇଥିଲା। ସେହି ତାଲିକା ଅନୁଯାୟୀ ଛାତ୍ରୀଛାତ୍ରମାନେ ନାମ ଲେଖାଇଥିଲେ। ମାତ୍ର ୨୦ ତାରିଖରେ ପରିଷଦ ପକ୍ଷରୁ ଆଉ ଏକ ଚିଠି କଲେଜଗୁଡ଼ିକରେ ପହଞ୍ଚତ୍ଥିଲା, ଯେଉଁଥିରେ ୧୯ ତାରିଖର ନାମଲେଖା ତାଲିକା ଭୁଲ୍‌ ଥିବା ଦର୍ଶାଯାଇଥିଲା। ଏପରିକି ୨୧ ତାରିଖରେ ଆଉ ଏକ ତାଲିକା ପହଞ୍ଚତ୍ବ ବୋଲି କୁହାଯାଇଥିଲା। ଏହାପରେ ୧୯ ତାରିଖରେ ନାମ ଲେଖାଇଥିବା ପିଲାମାନଙ୍କୁ କଲେଜରୁ ରସିଦ୍‌ ମିଳିଥିବା ସତ୍ତ୍ୱେ ଟଙ୍କା ଫେରାଇ ନେବାକୁ କଲେଜ କର୍ତ୍ତୃପକ୍ଷ ଜଣାଇଥିଲେ। ଫଳରେ ରାଜ୍ୟର ପ୍ରାୟ ୨୦ ହଜାର ଛାତ୍ରୀଛାତ୍ର ସେମାନଙ୍କ ପାଠପଢ଼ା ଭବିଷ୍ୟତକୁ ଚିନ୍ତାରେ ପଡ଼ିଯାଇଥିବାବେଳେ ଦୋଷ ଲୁଚାଇବା ପାଇଁ ଅଧିକାରୀ ମାନେ ଜୋରଦାର ଉଦ୍ୟମ କରିଥିଲେ। କିନ୍ତୁ ଖବର ପ୍ରକାଶ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ୍‌ ଓ ସାମସ୍‌ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟୟୁନିଟ୍‌(ପିଏମ୍‌ୟୁ) ଅଫିସର ଇନ୍‌ଚାର୍ଜ(ଓଆଇସି) ଭାଗୀରଥି କାଣ୍ଡି ଦୋଷ ହୋଇଥିବା ସୋମବାର ସ୍ବୀକାର କରିଛନ୍ତି।ପରିଷଦ ନିର୍ଦ୍ଦେଶକ ସିଲ୍‌ କହିଛନ୍ତି, ଯେଉଁପିଲାମାନଙ୍କ ନାମଲେଖାରେ ତ୍ରୁଟି ହୋଇଛି ତା’ର ସମାଧାନ ତୁରନ୍ତ କରାଯିବ। ସେମାନଙ୍କୁ ଯଥାଶୀଘ୍ର ଆଡ୍‌ମିଶନ ମିଳିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ସମସ୍ୟା ଉପୁଜିବା ପରେ କଲେଜ କର୍ତ୍ତୃପକ୍ଷମାନେ ପ୍ରଥମେ ସାମସ୍‌ ପିଏମ୍‌ୟୁ ଓଆଇସି କାଣ୍ଡିଙ୍କୁ ଜଣାଇଥିବା କହିଥିଲେ। ମାତ୍ର ଏହି ଘଟଣା ସମ୍ପର୍କରେ ତାଙ୍କୁ କେହି ଅବଗତ କରି ନ ଥିବା କହି କାଣ୍ଡି ରବିବାର କଲେଜ କର୍ତ୍ତୃପକ୍ଷମାନଙ୍କ ମୁଣ୍ଡରେ ଦୋଷ ଲଦି ଦେଇଥିଲେ। ସୋମବାର ଏ ସମ୍ପର୍କିତ ଅଧିକ ଖବର ସଂଗ୍ରହ ବେଳେ କାଣ୍ଡି କହିଛନ୍ତି, ଏମିତି ଭୁଲ୍‌ ହୋଇଯାଏ। ନିଶ୍ଚିତ ଏହାର ସମାଧାନ କରାଯିବ।
ଅପରପକ୍ଷରେ ଏଭଳି ତ୍ରୁଟିକୁ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶକ ସିଲ୍‌ ଏବଂ କାଣ୍ଡିଙ୍କୁ ତାଗିଦ୍‌ କରାଯାଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଥିବା ସତ୍ତ୍ୱେ ଏତେଦିନ ପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ଏବଂ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ସମସ୍ୟା ସମାଧାନ କରି ଆସନ୍ତା ୫ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here